ଜାତୀୟ ରାଜପଥରେ ଲୁଟ ଉଦ୍ୟମ ବେଳେ ୬ ଗିରଫ, ମାରଣାସ୍ତ୍ର ଜବତ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ୫୭ ନମ୍ବର ଜାତୀୟ ରାଜପଥରେ ଲୁଟ ଉଦ୍ୟମ କରୁଥିବା ବେଳେ ୬ଜଣ ପୁଲିସ ହାତରେ ଗିରଫ ହୋଇଛନ୍ତି। ସେମାନଙ୍କ ନିକଟରୁ ସଂଖ୍ୟାଧିକ ମାରଣାସ୍ତ୍ର ଜବତ କରାଯାଇଛି। ସୂଚନାନୁସାରେ, ଗତକାଲି ରାତିରେ ଏସ୍ଆଇ ବିଜୟ କେତନ ବେହରାଙ୍କ ନେତୃତ୍ୱରେ ଏକ ଟିମ୍ ପେଟ୍ରୋଲିଂ କରୁଥିଲେ। ଏହି ସମୟରେ ୫୭ ନମ୍ବର ଜାତୀୟ ରାଜପଥର ତରତୁଆ ଉଚ୍ଚପ୍ରାଥମିକ ବିଦ୍ୟାଳୟର ପଛପଟରେ କିଛି ଯୁବକ ସନ୍ଦିଗ୍ଧ ଅବସ୍ଥାରେ ରହିଥିବା ନେଇ ସୂଚନା ପାଇଥିଲେ। ଏନେଇ ଏସ୍‌ପି ରାଜକିଶୋର ଦୋରାଙ୍କୁ ଜଣାଇବା ପରେ ଏସ୍‌ପିଙ୍କ ନିର୍ଦେଶରେ ଏସ୍‌ଡ଼ିପିଓ ସୁଶୀଲ କୁମାର ମିଶ୍ରଙ୍କ ତତ୍ୱାବଧାନରେ ଟାଉନ୍ ଥାନା ଆଇଆଇସି ସଂଜୟ ପଟ୍ଟନାୟକ, ଏସ୍ଆଇ ବିଜୟ ବେହେରା, ବିନୟ ଭୂଷଣ ବେହେରା, ଏଏସ୍ଆଇ ବସନ୍ତ କୁମାର ପଟ୍ଟନାୟକ, ହାଭିଲଦାର ଅଭିରାମ ସାମନ୍ତରାୟ, କନଷ୍ଟେବଳ ଡିକେ ହରିଚନ୍ଦନ, ମାସି ଖାନ୍, ହୃଦାନନ୍ଦ ବେହେରା ପ୍ରମୁଖଙ୍କୁ ନେଇ ତୁରନ୍ତ ଏକ ଟିମ୍ ଗଠନ କରାଯାଇଥିଲା। ପୁଲିସ ଚାରିଦିଗରୁ ଘେରି ସେମାନଙ୍କୁ ଧରିଥିଲା। ତେବେ ସେମାନଙ୍କ ମଧ୍ୟରୁ ୨ଜଣ ଖସି ପଳାଇବାରେ ସକ୍ଷମ ହୋଇଥିଲେ।

ଏନେଇ ଥାନା ଆଇଆଇସି ଶ୍ରୀ ପଟ୍ଟନାୟକ କହିଛନ୍ତି ଯେ ଗିରଫ ହୋଇଥିବା ବ୍ୟକ୍ତିଙ୍କ ମଧ୍ୟରେ ତରତୁଆର ଅବ୍ଦୁଲ୍ ମାଜିଦ ଖାଁ ଓରଫ ବାବୁଲ (୨୨), କଲିମ ଖାଁନ୍‌ ଓରଫ ରାଜୁ (୨୩), ନଳିପଡ଼ା ଅର୍ଜୁନପୁରର ଦୀପକ ସ୍ୱାଇଁ ଓରଫ ତପନ(୨୨), ଗୁରୁଜଙ୍ଗ ବାଉରିସାହିର ସୁଦୀପ୍ତ ନାୟକ ଓରଫ ସିପ (୩୦), ଗୁରୁଜଙ୍ଗ ଦ୍ୱାରିକା ନଗରର ବଳଭଦ୍ର ବେହେରା ଓରଫ ବଳିଆ (୩୫), ରଂଜନ ସୁନ୍ଦରାୟ ଓରଫ ବାବି (୩୦) ଅଛନ୍ତି। ସେମାନଙ୍କ ଠାରୁ ଖଣ୍ଡା, ଭୂଜାଲି, ଛୁରୀ, ଲୁହା ଛଡ଼, ଠେଙ୍ଗା ଓ ଗୋଟିଏ ମୋବାଇଲ୍ ଫୋନ୍ ଜବତ କରାଯାଇଛି। ସେମାନଙ୍କ ବିରୋଧରେ ଖୋର୍ଦ୍ଧା ଟାଉନ୍ ଥାନାରେ ୩୪୨/୨୦୨୧ରେ ଏକ ମାମଲା ରୁଜୁ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି। ତଦନ୍ତ ବେଳେ ଗିରଫ ଅବଦୁଲ୍ ମାଜିଦ୍ ଖାଁ ଓ କଲିମ ଖାଁ ଉଭୟ ୩୦ ଅଗଷ୍ଟ ୨୦୨୧ରେ ଘଟିଥିବା ଡକାୟତ ମାମଲା ନଂ ୩୪୦ରେ ସମ୍ପୃକ୍ତ ଅଛନ୍ତି ବୋଲି ଶ୍ରୀ ପଟ୍ଟନାୟକ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର