ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ: ଦ୍ୱିତୀୟ ଦିନରେ ୬୦୩ ପ୍ରାର୍ଥୀଙ୍କ ନାମାଙ୍କନପତ୍ର ଦାଖଲ

ଖୋର୍ଦ୍ଧା: ଆଜି ନାମାଙ୍କନପତ୍ର ଦାଖଲର ଦ୍ୱିତୀୟ ଦିନରେ ଖୋର୍ଦ୍ଧା ଜିଲ୍ଲାରେ ମୋଟ ୬୦୩ ଜଣ ପ୍ରାର୍ଥୀ, ୱାର୍ଡ଼ ସଭ୍ୟ, ସମିତି ସଭ୍ୟ, ସରପଞ୍ଚ ଓ ଜିଲ୍ଲା ପରିଷଦ ସଭ୍ୟ ପାଇଁ ନିଜ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ଗତକାଲି ନାମାଙ୍କନପତ୍ର ଦାଖଲର ପ୍ରଥମ ଦିନରେ ମୋଟ ୩୨୫ ଜଣ ପ୍ରାର୍ଥୀ ବିଭିନ୍ନ ପଦପଦବୀ ପାଇଁ ନିଜର ନାମାଙ୍କନପତ୍ର ଦାଖଲ କରିଥିଲେ। ଆଜି ଜିଲ୍ଲା ପଞ୍ଚାୟତ କାର୍ଯ୍ୟାଳୟରୁ ମିଳିଥିବା ସୂଚନାନୁସାରେ ମୋଟ ୬୦୩ ଜଣ ପ୍ରାର୍ଥୀ ବିଭିନ୍ନ ବ୍ଲକ, ପଞ୍ଚାୟତ କାର୍ଯ୍ୟାଳୟ ଓ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ନିଜର ନାମାଙ୍କନପତ୍ର ଦାଖଲ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫୧୩ ଜଣ ୱାର୍ଡ଼ ସଭ୍ୟ ନିମନ୍ତେ, ୫୭ ଜଣ ସରପଞ୍ଚ, ୨୮ ଜଣ ସମିତି ସଭ୍ୟ ଓ ୫ ଜଣ ଜିଲ୍ଲା ପରିଷଦ ନିମନ୍ତେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି।

ୱାର୍ଡ଼ ସଭ୍ୟ ନିମନ୍ତେ ଟାଙ୍ଗୀରୁ ସର୍ବାଧିକ ୮୦ଜଣ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଭୁବନେଶ୍ୱର ବ୍ଲକରୁ ୭୭, ବୋଲଗଡ଼ରୁ ୬୯, ଜଟଣୀରୁ ୪୮, ବାଣପୁରରୁ ୨୫, ବେଗୁନିଆରୁ ୬୯, ଚିଲିକାରୁ ୧୮, ବାଲିଅନ୍ତାରୁ ୩୯, ଖୋର୍ଦ୍ଧା ବ୍ଲକରୁ ୬୦, ବାଲିପାଟଣାରୁ ୨୮ଜଣ ଦାଖଲ କରିଥିବା ଜଣାଯାଇଛି। ସେହିଭଳି ସରପଞ୍ଚ ପଦବୀ ନିମନ୍ତେ, ବୋଲଗଡ଼ରୁ ୩, ଜଟଣୀରୁ ୮, ବାଣପୁରରୁ ୩, ବେଗୁନିଆରୁ ଜଣେ, ଭୁବନେଶ୍ୱରରୁ ୬, ବାଲିଅନ୍ତାରୁ ୭, ଖୋର୍ଦ୍ଧାରୁ ୧୨, ବାଲିପାଟଣାରୁ ୩ ଓ ଟାଙ୍ଗୀରୁ ୧୪ ଜଣ ଦାଖଲ କରିଛନ୍ତି। ସମିତି ସଭ୍ୟ ନିମନ୍ତେ ବୋଲଗଡ଼ରୁ ୨, ଜଟଣୀରୁ ୩, ବେଗୁନିଆରୁ ୩, ଭୁବନେଶ୍ୱରରୁ ୬, ବାଲିଅନ୍ତାରୁ ୨, ଖୋର୍ଦ୍ଧାରୁ ୫, ବାଲିପାଟଣାରୁ ୩ ଓ ଟାଙ୍ଗୀରୁ ୪ଜଣ ଦାଖଲ କରିଛନ୍ତି। ଜିଲ୍ଲା ପରିଷଦ ସଭ୍ୟ ନିମନ୍ତେ, ଜଟଣୀରୁ ୨, ବେଗୁନିଆ, ଭୁବନେଶ୍ୱର ଓ ବାଲିପାଟଣାରୁ ଜଣେ ଲେଖାଏଁ ଦାଖଲ କରିଛନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ, ବାଣପୁର ବିଧାନସଭା ଆସନରେ ଥିବା ବାଣପୁର ଓ ଚିଲିକା ବ୍ଲକରେ ୱାର୍ଡ଼ ସଭ୍ୟ ଓ ସରପଞ୍ଚ ବ୍ୟତୀତ ସମିତି ସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ପାଇଁ କୌଣସି ପ୍ରାର୍ଥୀ ଗତ ଦୁଇ ଦିନ ମଧ୍ୟରେ ପ୍ରାର୍ଥୀପତ୍ର ଦାଖଲ କରିନାହାଁନ୍ତି।

ସମ୍ବନ୍ଧିତ ଖବର