ଭଦ୍ରକ: ବିବାହ ପାଇଁ ଦିଅଁମଙ୍ଗଳା ବେଳେ ଆକ୍ରମଣ, ୧୦ ଆହତ, ୨ ଗୁରୁତର

ଚାନ୍ଦବାଲି: ବାହାଘର ପୂର୍ବରୁ ଦିଅଁମଙ୍ଗଳା ପାଇଁ ଗ୍ରାମ ଦେବତୀଙ୍କ ନିକଟରେ ପୂଜାର୍ଚ୍ଚନା ଚାଲିଥିବା ବେଳେ ୧୦ ଜଣ ଲୋକ ଆହତ ହୋଇଛନ୍ତି। ଆହତ ମାନଙ୍କୁ ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ସୂଚନା ଅନୁସାରେ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ଥାନା ଅନ୍ତର୍ଗତ ଭାତପଡ଼ା ପଂଚାୟତର ଶୁକ୍ଲେଶ୍ୱର ଗ୍ରାମରେ ଆଜି ଜଣେ ଯୁବକଙ୍କର ବାହାଘର ଥିଲା। ସେଥିପାଇଁ ଆଜି ସକାଳୁ ଗ୍ରାମଦେବତୀଙ୍କ ନିକଟରେ ଦିଅଁମଙ୍ଗଳ ଚାଲିଥିଲା। ଏହି ସମୟରେ ୩ଟି ପରିବାରର ଲୋକେ ଦିଅଁମଙ୍ଗଳ କାର୍ଯ୍ୟକ୍ରମରେ ବାହାରିଥିବା ଲୋକଙ୍କୁ ଆକ୍ରମଣ କରିଥିଲେ। ଜଣକୁ କଟକ ଓ ଅଜ୍ୟ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

ଆହତମାନେ ହେଲେ

-ବିଜୟଲକ୍ଷ୍ମୀ ମିଶ୍ର
-ମାନସୀ ପାଣିଗ୍ରାହୀ
-ଦିବାକର ଦାଶ
-ଭାସ୍ୱତୀ ପାଢ଼ୀ
-ଶାସ୍ୱତୀ ଦାଶ
-କଳ୍ପତରୁ ବାରିକ
-ସୋମବାରୀ ବାରିକ
-ଗୌରିଲତା ବାରିକ
-ଚନ୍ଦନ ବାରିକ
-ଅଜୟ ବାରିକ

ରିପୋର୍ଟ ଅନୁସାରେ ଯେଉଁ ଯୁବକଙ୍କର ବାହାଘର ଥିଲା, ତାଙ୍କ ପରିବାର ଲୋକଙ୍କୁ ଗାଁ ଲୋକେ ୧୫ ବର୍ଷ ତଳେ ଏକଘରକିଆ କରିଥିଲେ। ସେମାନଙ୍କୁ ନିଆଁ-ପାଣି ବନ୍ଦ କରାଯାଇଥିଲା। ଏହି ୧୫ ବର୍ଷ ଭିତରେ ସଂପୃକ୍ତ ପରିବାର ଲୋକେ ଗାଁ ଲୋକଙ୍କ ସହିତ ମିଳାମିଶା କରିଛନ୍ତି। ଅବସ୍ଥା ସ୍ୱାଭାବିକ ହୋଇ ସାରିଛି ଭାବି ଆଜି ଯୁବକଙ୍କର ବିବାହ ପାଇଁ ଦିଅଁମଙ୍ଗଳ ଚାଲିଥିବା ବେଳେ କ୍ରୋଧର ବଶବର୍ତ୍ତୀ ହୋଇ ୩ ଜଣ ଲୋକ ଆକ୍ରମଣ କରିଥିଲେ। ଆହତମାନଙ୍କୁ ଚାନ୍ଦବାଲି ହସ୍‌ପିଟାଲରେ ଭର୍ତ୍ତି କରାଯାଇଛି। ଥାନାରେ ମାମଲା ରୁଜୁ ହେବା ପରେ ପୁଲିସ ଘଟଣାର ତଦନ୍ତ କରୁଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଘଟଣା ଘଟିଛି ବୋଲି ପୁଲିସ ସନ୍ଦେହ କରୁଛି।

ସମ୍ବନ୍ଧିତ ଖବର