କେନ୍ଦ୍ରାପଡ଼ାରେ ଭୟ ଦେଖାଇଲାଣି ‘ଓମିକ୍ରନ୍‌’: ୨ୟ ଡୋଜ୍‌ ନେଇନାହାନ୍ତି ୬ ଲକ୍ଷ

କେନ୍ଦ୍ରାପଡା: ତୃତୀୟ ଲହର ଆସିବା ନେଇ ଇଣ୍ଡିଆନ ମେଡିକାଲ ଆସୋସିଏସନ ସତର୍କ କରାଇସାରିଲାଣି। ଦେଶବ୍ୟାପୀ ଓମିକ୍ରନ ମାମଲା ମଧ୍ୟ ବଢୁଛି। ରାଜ୍ୟରେ ୪୦ ପ୍ରତିଶତ ବିଦେଶ ଫେରନ୍ତାଙ୍କୁ ଏଯାଏ ଠାବ କରାଯାଇପାରିନି। ଓମିକ୍ରନ ପ୍ରଜାତି ଅତ୍ୟନ୍ତ ସଂକ୍ରାମକ ଏଥିରୁ ବର୍ତ୍ତିବା ପାଇଁ ଟିକାକରଣ ଏକମାତ୍ର ମାଧ୍ୟମ ବୋଲି କୁହାଯାଉଛି। ଦକ୍ଷିଣ ଆଫ୍ରିକାରେ ଶିଶୁଙ୍କୁ ଟୀକାକରଣ ହୋଇନଥିବାରୁ ଶିଶୁଙ୍କ ମଧ୍ୟରେ ଅଧିକ ସଂକ୍ରମଣ ବଢୁଛି। ଆମ ରାଜ୍ୟରେ ଏଯାଏ ଶିଶୁଙ୍କୁ ଟିକାକରଣ ଆରମ୍ଭ ହୋଇନି। ଏପଟେ କେନ୍ଦ୍ରାପଡା ଜିଲ୍ଲାରେ ଟୀକାକରଣ ସ୍ଥିତି ଅତ୍ୟନ୍ତ ଦୟନୀୟ। ଜନ୍ମରୁ ୧୭ ବର୍ଷ ଯାଏ ଶିଶୁଙ୍କ ବାଦ୍‌ କେନ୍ଦ୍ରାପଡା ଜିଲ୍ଲାରେ ଦେଢଲକ୍ଷ ଲୋକ ପ୍ରଥମ ଡୋଜ ଟିକା ନେଇନଥିବା ବେଳେ ୬ ଲକ୍ଷ ଲୋକ ୨ୟ ଡୋଜ ନେଇନାହାନ୍ତି। ଡେରାବିଶ ଓ ରାଜନଗର ବ୍ଲକରେ ଟୀକାକରଣର ହାର ଅତି ନଗଣ୍ୟ। ଏପରି ସ୍ଥିତିରେ ୩ୟ ଲହର ଆସିଲେ, କେନ୍ଦ୍ରାପଡାରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ନେଇ ଆଶଙ୍କା ପ୍ରକାଶ ପାଇଛି। କେନ୍ଦ୍ରାପଡା ଜିଲ୍ଲାରେ ମୋଟ ଜନସଂଖ୍ୟାର ଜନ୍ମରୁ ୧୭ ବର୍ଷ ମଧ୍ୟରେ ୩୩ ପ୍ରତିଶତ ଶିଶୁ, ୧୮ରୁ ୪୪ ବର୍ଷ ମଧ୍ୟରେ ୪୧.୭ ପ୍ରତିଶତ ଲୋକ ଓ ୪୫ ବର୍ଷରୁ ଉର୍ଦ୍ଧ୍ୱ ୨୫.୩ ପ୍ରତିଶତ ଲୋକ ଥିବା ନେଇ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଏହି ଆଧାରରେ ୧୮ରୁ ୪୪ ବର୍ଷ ମଧ୍ୟରେ ୬ ଲକ୍ଷ ୯୯ ହଜାର ୩୫୨ଜଣ ଓ ୪୫ ବର୍ଷରୁ ଉର୍ଦ୍ଧ୍ୱ ୪ ଲକ୍ଷ ୭ ହଜାର ୬୩୪ ଜଣଙ୍କୁ ଟୀକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା। ଅର୍ଥାତ ୧୮ ବର୍ଷରୁ ଅଧିକ ୧୧ ଲକ୍ଷ ୬ ହଜାର ୯୮୬ ଜଣଙ୍କୁ ଟିକାକରଣ କରିବାକୁ ଲକ୍ଷ୍ୟ ରଖାଯାଇଥିଲା। ମାତ୍ର ଆଜି ସୁଦ୍ଧା ୯ ଲକ୍ଷ ୬୪ ହଜାର ୪୭୦ଜଣ ପ୍ରଥମ ଡୋଜ ଟିକା ନେଇଥିବା ବେଳେ ୫ ଲକ୍ଷ ୧୯ ହଜାର ୪୫୩ଜଣ ୨ୟ ଡୋଜ ନେଇଛନ୍ତି। ଅର୍ଥାତ୍ ଜିଲ୍ଲାରେ ୫ ଲକ୍ଷ ୮୭ ହଜାର ୫୫୩ଜଣ ୨ୟ ଡୋଜ ଟିକା ନେଇନଥିବା ବେଳେ ୧ ଲକ୍ଷ ୪୨ହଜାର ୫୧୬ଜଣ ପ୍ରଥମ ଡୋଜ ନେଇନାହାନ୍ତି।

ଏହାବାଦ୍‌ ଏବେ ଟିକାକରଣ କେନ୍ଦ୍ରରେ ଆଉ ଭିଡ ବି ଜମୁନି। କେତେକ କେନ୍ଦ୍ରରେ ଦ୍ୱିତୀୟ ଡୋଜ ଟିକା ନେବାକୁ କିଛି ଲୋକ ଆସୁଥିବା ବେଳେ ପ୍ରଥମ ଡୋଜ ନେବାକୁ ଆସୁନଥିବା ଜଣାପଡିଛି। ଏହାବାଦ୍‌ ଯେତିକି ଲୋକଙ୍କୁ ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ଅନୁଯାୟୀ ଟୀକାକରଣ କରିବାକୁ ଲକ୍ଷ୍ୟ ଧାର୍ଯ୍ୟ କରାଯାଇଥିଲା, ସେତିକି ଲୋକ ଗାଁରେ ନଥିବା ନେଇ ମଧ୍ୟ ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ କୁହାଯାଇଛି। ସେ ଲୋକ କୁଆଡେ ଗଲେ, କାମ ଧନ୍ଦା ଅଭାବରୁ ଓ ବେକାରୀ ସମସ୍ୟା ବଢିଥିବାରୁ ରାଜ୍ୟ ବାହାରକୁ ଦାଦନ ଖଟିବାକୁ ଚାଲିଯାଇଥିବା କୁହାଯାଉଛି। କେତେ ଲୋକ ଦାଦନ ଖଟିବାକୁ ଯାଇଛନ୍ତି, ତା’ର ତାଲିକା ଶ୍ରମ ବିଭାଗ ପାଖରେ ନଥିବାରୁ ଟୀକାକରଣର ସ୍ଥିତି ସ୍ପଷ୍ଟ ହୋଇପାରୁନି। ଅନ୍ୟପଟେ ୨ୟ ଡୋଜ ଟୀକାକରଣ ମନ୍ଥର ଗତିରେ ଚାଲିଛି। ଡେରାବିଶ ବ୍ଲକରେ ପ୍ରଥମ ଡୋଜ ଟୀକାକରଣ ୫୭ ପ୍ରତିଶତ ହୋଇଥିବା ବେଳେ ୨ୟ ଡୋଜ ଟୀକାକରଣ ମାତ୍ର ୩୫ ପ୍ରତିଶତ ହୋଇଛି। ରାଜନଗର ବ୍ଲକରେ ପ୍ରଥମ ଡୋଜ ଟୀକାକରଣ ୭୪ ପ୍ରତିଶତ ହୋଇଥିବା ବେଳେ ୨ୟ ଡୋଜ ଟୀକାକରଣ ମାତ୍ର ୩୬ ପ୍ରତିଶତ ହୋଇଛି। ହାରାହାରି ହିସାବରେ ଜିଲ୍ଲାରେ ପ୍ରଥମ ଡୋଜ ଟୀକାକରଣ ୮୭ ପ୍ରତିଶତ ହୋଇଥିବା ବେଳେ ୨ୟ ଡୋଜ ୪୭ ପ୍ରତିଶତରେ ସୀମିତ ରହିଛି। ବଡକଥା ହେଲା ୨ୟ ଡୋଜ ଟୀକାକରଣ କେବଳ ଜିଲ୍ଲା ହେଡକ୍ୱାର୍ଟର ଓ ଆଳି ବ୍ଲକକୁ ଛାଡିଦେଲେ ଅନ୍ୟ କୌଣସି ବ୍ଲକରେ ୫୦ ପ୍ରତିଶତ ଛୁଇଁ ପାରିନାହିଁ। ଏପରି ସ୍ଥିତିରେ ଯଦି ଓମିକ୍ରନ ପ୍ରଜାତିର ଭୂତାଣୂ ପାଇଁ ୩ୟ ଲହର ଆସେ କେନ୍ଦ୍ରାପଡାରେ ଟୀକାକରଣ ହାର କମ ଥିବାରୁ ଏଠାରେ ଶୀଘ୍ର ୩ୟ ଲହର ବ୍ୟାପିବା ଆଶଙ୍କାକୁ ଏଡାଇ ଦିଆଯାଇନପାରେ।

ସମ୍ବନ୍ଧିତ ଖବର