ସୁରତରେ ୬ଟି ଅଙ୍ଗଦାନ କଲେ ଓଡ଼ିଆ: ମରି ବି ଅମର ହୋଇଗଲେ କବିସୂର୍ଯ୍ୟନଗରର ବିପିନ

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା କବିସୂର୍ଯ୍ୟନଗର ବ୍ଲକ ଅନ୍ତର୍ଗତ ଭାଟପଡା ଗ୍ରାମର ଦିବଙ୍ଗତ ବିପିନ ପ୍ରଧାନଙ୍କ ମୃତ୍ୟୁ ହୋଇଥିଲେ ବି ସେ ଆଜି ଅମର ହୋଇଛନ୍ତି। ଗୁଜୁରାଟର ସୁରତରେ ୬ଟି ଅଙ୍ଗଦାନ କରି ସ୍ଥାନୀୟ ଅଞ୍ଚଳ ଓ ରାଜ୍ୟ ପାଇଁ ବିରଳ ଉଦାହରଣ ସୃଷ୍ଟି କରିଛନ୍ତି। ସୁରତରେ ବିପିନଙ୍କ ମୃତ୍ୟୁ ପରେ ତାଙ୍କ ପରିବାର ଲୋକେ ଏକ ଘରୋଇ ଚିକିତ୍ସାଳୟକୁ ହୃତପିଣ୍ଡ, ଆଖି, କିଡନୀ ଓ ଲିଭର ଆଦି ୬ଟି ଅଙ୍ଗାଦାନ କରିଛନ୍ତି। ଏଭଳି ମଣିଷପଣିଆ ପାଇଁ ପରିବାର ଲୋକେ ଯେଉଁ ଭଳି ଗର୍ବ ଅନୁଭବ କରିଛନ୍ତି, ଘରର ମୁରବୀ ସେତିକି ଭାଙ୍ଗି ପଡିଛନ୍ତି। ସୁରତ ଠାରେ ତାଙ୍କର ମର ଶରୀରକୁ ପ୍ରବାସୀ ଓଡିଆ ଟ୍ରଷ୍ଟ ତରଫରୁ ଶୋଭାଯାତ୍ରା ନିଆଯାଇ ଶେଷକୃତ୍ୟ ସମ୍ପନ୍ନ କରାଯାଇଛି।

ଅଙ୍ଗଦାନ କରିଥିବା ବିପିନଙ୍କ ବଡ ପୁଅ ମୁନାଙ୍କ କହିବାନୁଯାୟୀ, ବହୁ ବର୍ଷ ଧରି ବାପା ସୁରତରେ ସୁତା କଳରେ କାମ କରୁଥିଲେ। ପରିବାର କହିଲେ ବାପା, ମା’, ଦୁଇ ଭାଇ, ଦୁଇ ଭଉଣୀ। ଦୁଇ ଭଉଣୀର ବିବାହ ସରିଥିବା ବେଳେ ମା’ ରେଣୁ ପ୍ରଧାନ ଗାଁରେ ରହୁଥିଲେ। ମୁନା ନିଜର ବେଙ୍ଗାଲୁରୁ ଠାରେ କାମ କରୁଥିବା ବେଳେ ସାନ ଭାଇ କୁନା ବାପାଙ୍କ ପାଖରେ ସୁରତରେ ରହୁଥିଲେ। ବିପିନ ଗତ ୯ ତାରିଖରେ ସୁରତରେ ଥିବା ବେଳେ ଅସୁସ୍ଥ ହୋଇପଡି ଥିଲେ। ଏନେଇ ସେ ପ୍ରାଥମିକ ଚିକିତ୍ସା କରିଥିଲେ କିନ୍ତୁ ଗତ ୧୧ ତାରିଖ ବୁଧବାର ଦିନ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିବାରୁ ତାଙ୍କୁ ସୁରତ ସ୍ଥିତ କରିଣ ହସ୍ପିଟାଲକୁ ନିଆଯାଇଥିଲା। ସେଠାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯିବା ପରେ ବିପିନଙ୍କ ବ୍ରେନ ଡେଥ ହୋଇଥିବାର ନେଇ ରିପୋର୍ଟରୁ ଜଣାପଡିଲା।

ବିପିନକୁ ଭେଣ୍ଟିଲେଟରରେ ରଖାଯାଇଥିଲା। ତାଙ୍କର ଏଭଳି ଅବସ୍ଥାରୁ ସୁସ୍ଥ ହୋଇପାରିବେ ନାହିଁ ବୋଲି ଡାକ୍ତର କହିବା ପରେ ସେହି ଅବସ୍ଥାରେ ୨ ଦିନ ରହିଥିଲେ। ଡାକ୍ତରଙ୍କ ସହ ପରିବାରବର୍ଗ, ପ୍ରବାସୀ ଓଡିଆ ଟ୍ରଷ୍ଟର ସଦସ୍ୟମାନେ ଅଲୋଚନା ପରେ ଅଙ୍ଗଦାନ ପାଇଁ ରାଜି ହୋଇଥିଲେ। ଏହାପରେ ଗତକାଲି ପୂର୍ବାହ୍ନରେ ତାଙ୍କର ଦେହାନ୍ତ ହୋଇଥିଲା। ଅସ୍ତ୍ରୋପଚାର କରି ତାଙ୍କର ଶରୀରରୁ ହୃତପିଣ୍ଡ, ଦୁଇଟି ଆଖି, ଦୁଇଟି କିଡନୀ ଓ ଲିଭର ୬ଟି ଅଙ୍ଗ ବାହାର କରାଯାଇଥିଲା।

ଏହାପରେ ମେଡିକାଲ ଠାରୁ ଆମ୍ବୁଲାନ୍‌ସ ଯୋଗେ ପାଇଲଟିଂ ଗାଡି ମାଧ୍ୟମରେ ଅହମଦବାଦ ବିମାନବନ୍ଦରକୁ ନିଆଯାଇଥିଲା। ସେଠାରୁ ବିମାନ ଯୋଗେ ହୃତପିଣ୍ଡକୁ ମୁମ୍ବାଇକୁ ପଠାଇ ଦିଆଯଇଥିଲା। ଏଥିସହ ଦୁଇଟି କିଡନୀ ଓ ଲିଭରକୁ ଅହମଦବାଦ ମେଡିକାଲକୁ ପଠାଇ ଦିଆଯାଇଥିଲା। ବିପିନଙ୍କ ଅସ୍ତ୍ରେପଚାର ହୋଇଥିବା ଚିକିତ୍ସାଳୟରେ ଦୁଇଟି ଆଖି ପ୍ରତ୍ୟାରୋପଣ କରାଯାଇଥିଲା।

ସମ୍ବନ୍ଧିତ ଖବର