ସଦାଶିବରୁ ଟୁକୁରା: ଏସ୍‌ସିବିରୁ ୬ ବର୍ଷରେ ୬ କଏଦୀ ଫେରାର

ସରକାରୀ ଛୁଟି ଦିନରେ ଏସ୍‌ସିବିରେ ମିଳୁନି ଫୁଟେଜ୍‌

କଟକ : ଗ୍ୟାଙ୍ଗଷ୍ଟର୍ ହାଇଦର୍ କଟକ ବଡ଼ ମେଡିକାଲରୁ ଖସି ଯାଇଥିଲା। ଏହି ଘଟଣାକୁ ନେଇ ସରକାରୀସ୍ତରରେ ପ୍ରବଳ ଘଣ୍ଟାଚକଟା ଚାଲିଲା। କିନ୍ତୁ ସେହି ଘଟଣାର ବର୍ଷେ ଦୁଇ ମାସ ପରେ ପୁଣି ଜଣେ ହତ୍ୟା ଅଭିଯୁକ୍ତ କଏଦୀ ବଡ଼ ମେଡିକାଲରୁ ଖସିଯିବା ଘଟଣା ଉଭୟ ଡାକ୍ତରଖାନା ଓ ଜେଲ୍ ବିଭାଗର ବେଫିକର ମନୋଭାବକୁ ଧରା ପକାଇ ଦେଇଛି। ଫେରାର ହୋଇଥିବା କଏଦୀ କଟକ ବଡ଼ ମେଡିକାଲରେ ଭର୍ତ୍ତି ହେବା ସମୟରେ ତା ସଂପର୍କରେ ଜେଲ୍ ପକ୍ଷରୁ କମିସନରେଟ୍ ପୁଲିସକୁ ଅବଗତ କରାଯାଇନଥିଲା। କଏଦୀ ଫେରାର ହେଲା ପରେ ପୁଲିସ ଜାଣିଲା। କିନ୍ତୁ ପୁଲିସ ବଡ଼ ମେଡିକାଲ ବାହାରେ ଥିବା ସିସି କ୍ୟାମେରାରୁ ଫେରାର କଏଦୀର ଏଯାଏ କୌଣସି ଫୁଟେଜ୍ ପୁଲିସ ପାଇପାରି ନାହିଁ। ଏଭଳି ଢଙ୍ଗରେ କଟକ ବଡ଼ ଡାକ୍ତରଖାନାରୁ ଗଲା ୬ ବର୍ଷ ଭିତରେ ୬ ଜଣ ଦୁର୍ଦ୍ଦାନ୍ତ ଅପରାଧୀ ଖସିଯିବା ଘଟଣା ଉଦବେଗଜନକ ସ୍ଥିତି ସୃଷ୍ଟି କରିଛି।

ଜେଲ୍ ବିଭାଗର ନିୟମ କହୁଛି, ଡାକ୍ତରଖାନାକୁ ଆସୁଥିବା ଜଣେ କଏଦୀ ପାଇଁ ଜଣେ ହାବିଲଦାର୍ ଏବଂ ୪ ଜଣ କନଷ୍ଟେବଳ ଜେଲ ପକ୍ଷରୁ ନିୟୋଜିତ ହେବା କଥା। ଯଦିଓ ପ୍ରତି ପର୍ଯ୍ୟାୟରେ ଜଣେ ଓ୍ବାର୍ଡର ଡ୍ୟୁଟିରେ ରହିବେ, କିନ୍ତୁ ଅନ୍ୟ ଓ୍ବାର୍ଡର କଏଦୀ ଚିକିତ୍ସିତ ହେଉଥିବା ଓ୍ବାର୍ଡ ପରିସରରେ ହିଁ ରହିବେ। ଓ୍ବାର୍ଡ ଛାଡ଼ି ଅନ୍ୟତ୍ର ଯାଇପାରିବେ ନାହିଁ। ଗଲା ଶୁକ୍ରବାର ଡାକ୍ତରଖାନାରୁ ଖସିଯାଇଥିବା ଟୁକୁରା ମୁଣ୍ଡାକୁ ଜଗିବାକୁ ମାତ୍ର ୩ ଜଣ ଓ୍ବାର୍ଡର ଆସିଥିଲେ। ଧାର୍ଯ୍ୟ ସଂଖ୍ୟା ଅନୁଯାୟୀ ଓ୍ବାର୍ଡର ଆସୁନାହାନ୍ତି କି ଆସିଲେ ବି ଓ୍ବାର୍ଡ ପରିସରରେ ରହୁନାହାନ୍ତି। ହାଇଦର୍ ଘଟଣାରେ ୪ ଜଣ ଓ୍ବାର୍ଡର ହୋଟେଲରେ ମଉଜ କରୁଥିବା ବେଳେ ଧରା ପଡ଼ିଥିଲେ। ଅନ୍ୟପଟେ କଟକ ବଡ଼ ଡାକ୍ତରଖାନାର ସିସି କ୍ୟାମେରା ବ୍ୟବସ୍ଥାରେ ହାଇଦର ଫେରାର ପରେ ବି ସୁଧାର ଆସିପାରିଲା ନାହିଁ। ଯେଉଁ ଘରୋଇ ସଂସ୍ଥା କ୍ୟାମେରା ଦାୟିତ୍ବ ନେଇଛି, ସଂସ୍ଥାର କର୍ମଚାରୀ ସରକାରୀ ଛୁଟି ଦିନରେ ଡାକ୍ତରଖାନା ଆସୁନାହାନ୍ତି। ଅନ୍ୟ ଦିନଗୁଡ଼ିକରେ ସନ୍ଧ୍ୟା ପରେ ଡାକ୍ତରଖାନାରେ ଅନୁପସ୍ଥିତ ରହୁଛନ୍ତି। ୨୪ ଘଣ୍ଟିଆ ସେବା ଯୋଗାଇପାରୁ ନାହାନ୍ତି।

କଏଦୀଙ୍କ ସଂପର୍କରେ ଥାନାକୁ ଆଗୁଆ ସୂଚନା ଦେଉନି ଜେଲ୍

Times of India

କଏଦୀ ଚମ୍ପଟ୍ ହେବା ପରେ ଛୁଟି ଦିନ ପଡ଼ିଗଲେ ପୁଲିସ ଅଡ଼ୁଆରେ ପଡ଼ୁଛି। କଏଦୀ ଚମ୍ପଟ୍ ହେବା ପରେ ତୁରନ୍ତ ଫୁଟେଜ୍ ମିଳୁ ନଥିବାରୁ କଏଦୀକୁ ଠାବ କରିବା ପୁଲିସ ପାଇଁ କଷ୍ଟକର ହୋଇପଡ଼ୁଛି। କିଛି ଓ୍ବାର୍ଡ ଭିତରେ କ୍ୟାମେରା ଲାଗିଥିବା ବେଳେ ଓ୍ବାର୍ଡ ବାହାରେ ଶୌଚାଳୟ କିମ୍ବା ବାରଣ୍ଡାରେ ଅଧିକାଂଶ ସ୍ଥାନରେ ସିସି କ୍ୟାମେରା ନାହିଁ। କ୍ୟାମ୍ପସ୍ ପରିସର କିମ୍ବା ଡାକ୍ତରଖାନାର ଦୁଇଟି ଗେଟ୍ ବାହାରେ ବି କ୍ୟାମେରା ନାହିଁ। କଏଦୀ ଓ୍ବାର୍ଡରୁ ବାହାରିବା ପରେ କେଉଁଆଡ଼େ ଯାଉଛି, ପୁଲିସ ତାକୁ ଧରିବାରେ ଅଡ଼ୁଆ ହେଉଛି। ହାଇଦର୍ ଫେରାର ହେବା ଘଟଣା ପରେ ଏହି ସ୍ଥାନରେ କ୍ୟାମେରା ଲଗାଇବାକୁ କମିସନରେଟ୍ ପୁଲିସ ଡାକ୍ତରଖାନା କର୍ତ୍ତୃପକ୍ଷଙ୍କୁ କହିଥିଲା। କିନ୍ତୁ ହାଇଦର୍ ଫେରାର ହେବାର ଏକ ବର୍ଷ ପରେ ବି ବ୍ୟବସ୍ଥାରେ କୌଣସି ପ୍ରକାର ସୁଧାର ଆସିପାରିଲା ନାହିଁ। ପ୍ରତି ମାସରେ କଟକ ବଡ଼ ଡାକ୍ତରଖାନାକୁ ହାରାହାରି ୧୫ ଜଣ କଏଦୀ ଚିକିତ୍ସିତ ହେବାକୁ ସାରା ରାଜ୍ୟର ବିଭିନ୍ନ ଜେଲରୁ ଆସୁଛନ୍ତି। ଏଭଳି ପରିସ୍ଥିତିରେ କଏଦୀଙ୍କ ଉପରେ ୨୪ ଘଣ୍ଟିଆ ନଜର ରଖିବାରେ ବଡ଼ ଡାକ୍ତରଖାନା ଏକ ପ୍ରକାର ବିଫଳ ହୋଇଛି।

କଟକ ଡିସିପି ପିନାକ୍ ମିଶ୍ରଙ୍କ କହିବା ଅନୁଯାୟୀ, କଏଦୀ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହେବା ପରେ ଜେଲ୍ ପକ୍ଷରୁ ସ୍ଥାନୀୟ ଥାନା ପୁଲିସକୁ ଲିଖିତ ଭାବେ ଅବଗତ କରିବା କଥା। ପୁଲିସ ଅବଗତ ହେଲେ ସେମାନଙ୍କ ଉପରେ ପୁଲିସ ତୀକ୍ଷ୍ଣ ନଜର ରଖିପାରିବ। ନିକଟରେ ଫେରାର ଥିବା ଟୁକୁରା ମୁଣ୍ଡା ଘଟଣାରେ ବି ଜେଲ୍ ପକ୍ଷରୁ ପୁଲିସକୁ ଅବଗତ କରାଯାଇନାହିଁ ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ଅନ୍ୟପଟେ ତଥ୍ୟ ଅନୁଯାୟୀ ବ୍ରହ୍ମପୁର ଜେଲରେ ହତ୍ୟା ମାମଲାରେ ଆଜୀବନ ସଜା କାଟୁଥିବା ନବରଙ୍ଗପୁର ପାପଡ଼ାହାଣ୍ତିର ସଦାଶିବ ଗୌଡ଼ର କିଡନୀ ଜନିତ ସମସ୍ୟା ପାଇଁ କଟକ ବଡ଼ ଡାକ୍ତରଖାନାକୁ ଆସିଥିବା ବେଳେ ୨୦୧୭ ଫେବ୍ରୁଆରି ୬ରେ ଚମ୍ପଟ୍ ମାରିଥିଲା। ଯାଜପୁର ସବ୍‌-ଜେଲ୍‌ରେ ବିଚାରାଧିନ କଏଦୀ ଥିବା ଦୁର୍ଦ୍ଦାନ୍ତ ଡକାୟତ ହାଇଦ୍ରାବାଦ୍‌ର ଏମ୍‌.ନନି ଛାତିରେ ଯନ୍ତ୍ରଣା ଯୋଗୁଁ ଚିକିତ୍ସାଧୀନ ଅବସ୍ଥାରେ ବେଡରେ ହାତକଡ଼ି ପଡ଼ିଥିବା ସତ୍ତ୍ବେ ସୁରକ୍ଷାକର୍ମୀଙ୍କ ଅନୁପସ୍ଥିତିର ସୁଯୋଗରେ ୨୦୧୮ ଜୁଲାଇ ୪ରେ ଚମ୍ପଟ୍ ମାରିଥିଲା। ଜଗତସି˚ହପୁର ଜିଲ୍ଲା ରଘୁନାଥପୁର ଥାନା ଦ୍ବାରା ଚୋରି ମାମଲାରେ ଗିରଫ ଆଲୋକ କୁମାର ସାହୁ ଥାନାରେ ଫିନାଇଲ୍ ପିଇ ଅସୁସ୍ଥ ହୋଇ ଚିକିତ୍ସିତ ହେଉଥିବା ବେଳେ ୨୦୨୦ ଜାନୁଆରି ୧୨ରେ ଚମ୍ପଟ୍ ମାରିଥିଲା। ହତ୍ୟା ମାମଲାରେ ଢେଙ୍କାନାଳ ଜେଲରେ ଆଜୀବନ ସଜା କାଟୁଥିବା ଢେଙ୍କାନାଳ ରାସୋଳର କାଳିଆ ଓରଫ ଜିତେନ୍‌ ସାହୁର ମେରୁଦଣ୍ଡରେ ସମସ୍ୟା ଥିବାରୁ ନ୍ୟୁରୋ ସର୍ଜରୀ ଵାର୍ଡରେ ଚିକିତ୍ସିତ ହେଉଥିବା ବେଳେ ୨୦୨୦ ଅକ୍ଟୋବର ୨ରେ ଶୌଚ ଯିବାକୁ କହି ଚମ୍ପଟ୍ ମାରିଥିଲା। ୨୦୨୧ ଏପ୍ରିଲ ୧୦ରେ ଗ୍ୟାଙ୍ଗଷ୍ଟର ହାଇଦର୍ ଚିକିତ୍ସାଧୀନ ଅବସ୍ଥାରେ ଓ୍ବାର୍ଡରଙ୍କୁ ବିରିଆନିରେ ନିଶା ଦେଇ ଚମ୍ପଟ୍ ମାରିଥିଲା। ୨୦୨୨ ଜୁଲାଇ ୧ ତାରିଖରେ ବଡ଼ ଡାକ୍ତରଖାନାର ନ୍ୟୁରୋଲଜି ବିଭାଗରୁ ଦୁର୍ଦ୍ଦାନ୍ତ ଅପରାଧୀ ଯାଜପୁରରୋଡ କାଳିଆପାଣିର ଟୁକୁରା ମୁଣ୍ଡା ଫେରାର ହୋଇଯାଇଛି। ଚିକିତ୍ସିତ ହେଉଥିବା ବେଳେ ଶୌଚ ଯିବାକୁ କହି ସେ ଫେରାର ହୋଇଯାଇଛି।

ସମ୍ବନ୍ଧିତ ଖବର