ଖୋର୍ଦ୍ଧା: ଖୋର୍ଦ୍ଧା ଜିଲ୍ଲାର ୪ଟି ପୌରାଞ୍ଚଳ- ଜଟଣୀ ଓ ଖୋର୍ଦ୍ଧା ପୌର ପରିଷଦ, ବାଣପୁର ଓ ବାଲୁଗାଁ ବିଜ୍ଞପିତ ଅଞ୍ଚଳ ପରିଷଦ ପାଇଁ ଆଜି ମତଦାନ ଶାନ୍ତିପୂର୍ଣ୍ଣ ଭାବେ ଶେଷ ହୋଇଛି। ଜିଲ୍ଲା ନିର୍ବାଚନ ଅଧିକାରୀ ତଥା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ମିଳିଥିବା ତଥ୍ୟାନୁସାରେ, ୪ଟି ପୌରାଞ୍ଚଳର ୧ଲକ୍ଷ ୯ହଜାର ୫୫୪ ଜଣ ଭୋଟର ପଞ୍ଜୀକୃତ ହୋଇଥିଲେ। ଆଜିର ମତଦାନରେ ମୋଟ ୭୦ହଜାର ୬୫୫ ଜଣ ଭୋଟର, ଅର୍ଥାତ୍ ମୋଟ ଭୋଟରଙ୍କ ୬୪.୪୯ ପ୍ରତିଶତ ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି। ଜଟଣୀ ପୌରାଞ୍ଚଳରେ ସର୍ବନିମ୍ନ ୫୬.୮୭ ପ୍ରତିଶତ ମତଦାନ ହୋଇଥିବାବେଳେ ବାଲୁଗାଁରେ ସର୍ବାଧିକ ୭୪.୩୭ ପ୍ରତିଶତ ମତଦାନ ହୋଇଛି। ଖୋର୍ଦ୍ଧାରେ ୬୭.୪୨ ପ୍ରତିଶତ ମତଦାନ କରିଥିବା ବେଳେ ବାଣପୁରରେ ୭୧.୯୮ ପ୍ରତିଶତ ମତଦାନ ହୋଇଛି। ବାଣପୁରରେ ପଞ୍ଚାୟତ ନିର୍ବାଚନ ଭଳି ପୌର ନିର୍ବାଚନରେ ମଧ୍ୟ ମହିଳା ମାନେ ଘରୁ ବାହାରି ଉତ୍ସାହର ସହକାରେ ପୁରୁଷଙ୍କ ଠାରୁ ଅଧିକ ସଂଖ୍ୟାରେ ଭୋଟ ଦେଇଛନ୍ତି। ଜଟଣୀ ପୌରାଞ୍ଚଳରେ ମୋଟ ୪୫ହଜାର ୮୭୫ଜଣ ଭୋଟରଙ୍କ ମଧ୍ୟରୁ ୧୩ ହଜାର ୬୩୬ ଜଣ ପୁରୁଷ ଭୋଟର ଓ ୧୨ହଜାର ୪୫୪ ମହିଳା ଭୋଟର ନିଜର ମତଦାନ କରିଛନ୍ତି।

Advertisment

publive-image Sambad

ଖୋର୍ଦ୍ଧା ପୌର ପରିଷଦରେ ୩୭ ହଜାର ୫୪୧ ଜଣ ଭୋଟରଙ୍କ ମଧ୍ୟରୁ ୧୩ ହଜାର ୩୪୦ ପୁରୁଷ ଓ ୧୧,୯୭୧ ଜଣ ମହିଳା ଭୋଟର ନିଜର ମତଦାନ କରିଛନ୍ତି। ବାଲୁଗାଁ ଏନ୍ଏସିରେ ମୋଟ ୧୨,୯୧୩ ଜଣ ଭୋଟରଙ୍କ ମଧ୍ୟରୁ ୫୧୫୫ଜଣ ପୁରୁଷ ଓ ୪୪୪୭ଜଣ ମହିଳା ଭୋଟର ମତଦାନ କରିଥିବା ବେଳେ ବାଣପୁର ଏନ୍ଏସିରେ ୧୩,୨୨୫ ଭୋଟରଙ୍କ ମଧ୍ୟରୁ ୪୭୫୩ଜଣ ପୁରୁଷ ଓ ୪୮୯୯ଜଣ ମହିଳା ଭୋଟର ନିଜର ମତ ସାବ୍ୟସ୍ତ କରିଛନ୍ତି। ସୂଚନାଯୋଗ୍ୟ, ଖୋର୍ଦ୍ଧା ଜିଲ୍ଲାରେ (ଭୁବନେଶ୍ୱର ମହାନଗର ନିଗମ ବ୍ୟତୀତ) ଖୋର୍ଦ୍ଧା ଓ ଜଟଣୀ ପୌର ପରିଷଦ ଓ ବାଲୁଗାଁ ଓ ବାଣପୁର ବିଜ୍ଞପିତ ଅଞ୍ଚଳ ପରିଷଦର ୧୩୧ଟି ବୁଥରେ ମତଦାନ ଅନୁଷ୍ଠିତ ହୋଇଥିଲା। ଅଧ୍ୟକ୍ଷ ପାଇଁ ୨୧ ଜଣ ପ୍ରାର୍ଥୀ ନିର୍ବାଚନ ମୈଦାନରେ ନିଜର ଭାଗ୍ୟ ପରୀକ୍ଷା କରୁଥିବା ବେଳେ ୨୧୦ଜଣ କାଉନସିଲର ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ଏହା ମଧ୍ୟରୁ ଖୋର୍ଦ୍ଧା ପୌର ପରିଷଦରେ ୩ଜଣ ଅଧ୍ୟକ୍ଷ ପ୍ରାର୍ଥୀ ଓ ୬୭ଜଣ କାଉନ୍ସିଲର ପ୍ରାର୍ଥୀ, ଜଟଣୀ ପୌର ପରିଷଦରେ ୬ଜଣ ଅଧ୍ୟକ୍ଷ ଓ ୮୭ କାଉନ୍ସିଲର ପ୍ରାର୍ଥୀ, ବାଲୁଗାଁରେ ୬ଜଣ ଅଧ୍ୟକ୍ଷ ଓ ୨୫ଜଣ କାଉନସିଲର ପ୍ରାର୍ଥୀ, ବାଣପୁରରେ ୬ଜଣ ଅଧ୍ୟକ୍ଷ ଓ ୩୨ ଜଣ କାଉନସିଲର ପ୍ରାର୍ଥୀ ଅଛନ୍ତି। ମୋଟ ୧୩୧ଟି ବୁଥ ମଧ୍ୟରୁ ଜଟଣୀ ସହ ଖୋର୍ଦ୍ଧା ଉପଖଣ୍ଡରେ ୬୦ଟି ସମ୍ବେଦନଶୀଳ ବୁଥ ରହିଥିଲା।