ଘରୋଇ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୬୦ ହଜାର ଲୁଟ ଅଭିଯୋଗ

ଖୋର୍ଦ୍ଧା: ସଦର ଥାନା ଅନ୍ତର୍ଗତ ବେଗୁନିଆ ବ୍ଲକ ଗୁଡ଼ୁମ ରାସ୍ତାରେ ଏକ ଘରୋଇ ଫାଇନାନ୍ସ କମ୍ପାନୀର ମହିଳା କର୍ମଚାରୀଙ୍କ ଠାରୁ ମାରଣାସ୍ତ୍ର ଦେଖାଇ ୬୦ହଜାର ଟଙ୍କା ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଆଜି ଅପରାହ୍ନରେ ମଧୁରା ଫାଇନାନ୍ସ କମ୍ପାନିରେ କାମ କରୁଥିବା ମହିଳା କର୍ମଚାରୀ ସଂଯୁକ୍ତ ଖଟୁଆ ଜମାକାରୀଙ୍କ ଠାରୁ ୬୦ ହଜାର ଟଙ୍କା ଆଦାୟ କରି ଫେରୁଥିବା ସମୟରେ ଗୁଡ଼ୁମ ରାସ୍ତାର ଗୋଡ଼ା- ଜାମୁସାହି ରାସ୍ତାରେ ଦୁଇଜଣ ଦୁର୍ବୃତ୍ତ ମୋଟର ସାଇକଲ (ଓଡି୦୨ଏକେ ୫୮୦୭)ରେ ଆସି ତାଙ୍କୁ ଅଟକାଇବା ସହ ବେକରେ କଟୁରୀ ଲଗାଇ ଟଙ୍କା ଭର୍ତ୍ତି ବ୍ୟାଗ୍‌ଟି ଛଡ଼ାଇ ନେଇଯାଇଥିଲେ।

ତେବେ ମହିଳା ଜଣକ ଦୁର୍ବୃତ୍ତଙ୍କୁ ପ୍ରତିରୋଧ କରିବା ଓ ମହିଳାଙ୍କ ଚିକ୍ରାରରେ ଆଖପାଖର ଲୋକ ପହଂଚିଯିବାରୁ ଦୁର୍ବୃର୍ତ୍ତମାନେ ନିଜର ମୋଟର ସାଇକଲ ଓ ମାରଣାସ୍ତ୍ର ଛାଡ଼ି ଟଙ୍କା ନେଇ ପଳାଇଯାଇଥିବା ଅଭିଯୋଗ ହୋଇଛି। ତେବେ ଏନେଇ ସଦର ଥାନା ଅଧିକାରୀ ଅନୀତା ସାହୁଙ୍କୁ ପଚାରିବାରେ ସେ କହିଛନ୍ତି ଯେ ସୂଚନା ମିଳିବା ପରେ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଅନୁସନ୍ଧାନ କରି ଫେରିଛି। ଏନେଇ ଅଭିଯୋଗକାରିଣୀ ଥାନାରେ ଲିଖିତ ଅଭିଯୋଗ କରିନାହାନ୍ତି। ଅଭିଯୋଗ ମିଳିବା ପରେ ଏନେଇ ବିଧିବଦ୍ଧ ତଦନ୍ତ ହେବ।

ସମ୍ବନ୍ଧିତ ଖବର