ରାୟଗଡା: ରାୟଗଡା ସ୍ଥିତ ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନରେ ବିଶ୍ୱ ଯୁବ ଦକ୍ଷତା ଦିବସ-୨୦୨୩ ଅନୁଷ୍ଠିତ ହୋଇ ଯାଇଛି। ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ଛାତ୍ରଛାତ୍ରୀଙ୍କ ସହିତ ଜିଲ୍ଲାର ୪ ଗୋଟି ଉଚ୍ଚ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ପ୍ରାୟ ୧୫୦ ଜଣ ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଅତିରିକ୍ତ ଜିଲ୍ଲାପାଳ ଧର୍ମାନନ୍ଦ ବେହେରା ଯୋଗ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସୂଚନା ଏବଂ ଲୋକ ସମ୍ପର୍କ ଅଧୁକାରୀ ବସନ୍ତ କୁମାର ପ୍ରଧାନ, ଏମଏସଏମଇର ସହକାରୀ ନିର୍ଦେଶକ ଏନ କୋଟି ରତ୍ନମ ଯୋଗ ଦେଇଥିଲେ।ମୁଖ୍ୟବକ୍ତା ଭାବେ ଆଇପିଓ ସବ୍ୟସାଚୀ ସାହୁ ଏବଂ ଦୀପକ କୁମାର ବେହେରା ପ୍ରମୁଖ ଯୋଗ ଦାନ କରିଥିଲେ।ଅନୁଷ୍ଠାନର ଅଧ୍ୟକ୍ଷ ଅତୁଲ୍ୟ କୁମାର ପଣ୍ଡା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଅତିଥି ଶ୍ରୀ ବେହେରା ଛାତ୍ରଛାତ୍ରୀ ମାନଙ୍କୁ ଦକ୍ଷ ହୋଇ ସ୍ବରୋଜଗାରକ୍ଷମ ହେବା ସହିତ କୁଶଳୀ ହେବା ପାଇଁ ପରାମର୍ଶ ଦେଇଥିଲେ।
/sambad/media/post_attachments/wp-content/uploads/2023/07/Rgda-Skill-devlope-programme-2.jpg)
ଅନ୍ୟ ଅତିଥି ଏବଂ ମୁଖ୍ୟ ବକ୍ତା ସେମାନଙ୍କର ମୂଲ୍ୟବାନ ଅଭିଭାଷଣ ପ୍ରଦାନ କରି ଶିକ୍ଷାର୍ଥୀ ମାନଙ୍କ ଉଜ୍ଜଳ ଭବିଷ୍ୟତ ନିମନ୍ତେ ଦକ୍ଷତା ବୃଦ୍ଧି କରି ଆତ୍ମନିର୍ଭର ହେବାକୁ ଆହ୍ୱାନ ଦେଇଥିଲେ। ଅନୁଷ୍ଠାନର ଟ୍ରେଡ଼ ଭିତିକ ଦକ୍ଷତା ପ୍ରଦର୍ଶନୀକୁ ସମସ୍ତ ଅତିଥି ବୁଲି ଦେଖିଥିଲେ ଏବଂ ଉଚ୍ଚ କୋଟିର ପ୍ରଦର୍ଶନ ପାଇଁ ଫିଟର ଟ୍ରେଡ଼କୁ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥିଙ୍କ ଦ୍ୱାରା୨ ଜଣ ରୋଲ ମଡେଲ ଏବଂ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହୋଇଥିବା ଛାତ୍ରଛାତ୍ରୀଙ୍କୁ ଅତିଥିମାନଙ୍କ ଦ୍ୱାରା ମାନପତ୍ର ଏବଂ ପୁରସ୍କାର ପ୍ରଦାନ କରାଯାଇଥିଲା। ଅତିଥି ମାନଙ୍କ ଦ୍ୱାରା ପ୍ରାୟ ୧୦ ଗୋଟି ବୃକ୍ଷ ରୋପଣ କରାଯାଇଥିଲା। ତାଲିମ ଅଧିକାରୀ ନିଶିକାନ୍ତ ଶର୍ମା ଧନ୍ୟବାଦ ଅର୍ପଣ କରିଥିବା ବେଳେ ସନ୍ତୋଷ କୁମାର ସାହୁ ମଞ୍ଚ ପରିଚାଳନା କରିଥିଲେ।