ରାୟଗଡ଼ା: ସଂରକ୍ଷଣ ଟିକେଟ୍ ବୁକିଂ ପାଇଁ ନାହିଁ ସ୍ଲିପ୍। ଷ୍ଟକ୍ ସରିଯିବା କାରଣରୁ ୩ ଦିନ ହେଲା ଦୂର ଯାତ୍ରା ଟିକେଟ୍ ବୁକିଂ କ୍ଷେତ୍ରରେ ଦେଖା ଦେଇଛି ଅବ୍ୟବସ୍ଥା। ଯାତ୍ରା ସମ୍ପର୍କିତ ସବିଶେଷ ତଥ୍ୟ ଯାତ୍ରୀ ସାଧା କାଗଜ‌ରେ ଲେଖି କାଉଣ୍ଟରରେ ଦେବା ପରେ ‌ମିଳୁଛି ଟିକେଟ୍। ରାୟଗଡ଼ା ଭଳି ଗୁରୁତ୍ବପୂର୍ଣ୍ଣ ଷ୍ଟେସନରେ ବିଭାଗର ଏପରି ଅବ୍ୟବସ୍ଥାକୁ ନେଇ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି ଯାତ୍ରୀ। ରାୟପୁରରୁ ବିଶାଖାପାଟଣାକୁ ସଂଯୋଗ ହୋଇଥିବା ରେଳ ଲାଇନ୍ ମଧ୍ୟରେ ରହିଛି ରାୟଗଡ଼ା ଷ୍ଟେସନ୍। ପ୍ରତିଦିନ ଏହି ଷ୍ଟେସନ ଦେଇ ଦିଲ୍ଲୀ, ହାଇଦ୍ରାବାଦ୍, ଧାନବାଦ, ଗୁଜୁରାଟ, ବିଶାଖାପାଟଣା, ବିଜୟୱାଡା, ଜଗଦଲପୁର, ରାୟପୁର, ହାୱଡା, ଟାଟାନଗର, ମୁମ୍ବାଇ, ଚେନ୍ନାଇ ସମେତ ଭୁବନେଶ୍ବର, ସମ୍ବଲପୁର, ରାଉରକେଲା, କୋରାପୁଟକୁ ୫୦ରୁ ଉର୍ଦ୍ଧ୍ବ ଯାତ୍ରୀବାହୀ ରେଳ ଯାତାୟାତ କରୁଛି। ଶିଳ୍ପ କରିଡରର ବିକାଶ ସହ ଅବିଭକ୍ତ କୋରାପୁଟ ଜିଲ୍ଲାରେ ରେଳ ଭିତ୍ତିଭୂମିର ବିକାଶ ଦୃଷ୍ଟିରୁ ୨୦୧୯ ମସିହାରେ କେନ୍ଦ୍ର ରେଳ ମନ୍ତ୍ରଣାଳୟ ରାୟଗଡ଼ା ଷ୍ଟେସନକୁ ନୂତନ ରେଳ ଡିଭିଜନ୍ ମାନ୍ୟତା ପ୍ରଦାନ କରିଥିଲେ। ଦୈନିକ ପ୍ରାୟ ୪ ରୁ ୫ ହଜାର ଯାତ୍ରୀ ବିଭିନ୍ନ ସ୍ଥାନକୁ ଯିବା ପାଇଁ ରାୟଗଡ଼ା ଷ୍ଟେସନ ଉପରେ ନିର୍ଭର କରୁଥିବା ବେଳେ ୫୦୦ ରୁ ୭୦୦ ସଂରକ୍ଷଣ ଟିକେଟ୍ ବୁକିଂ ହେଉଛି। କିନ୍ତୁ ଯାତ୍ରୀଙ୍କ ଟିକେଟ୍ ବୁକିଂ ପାଇଁ ଷ୍ଟେସନରେ ନାହିଁ ସ୍ଲିପ୍। ୩ ଦିନ ହେଲାଣି ସ୍ଲିପ୍ ସରି ଯାଇଥିଲେ ମଧ୍ୟ ବିଭାଗୀୟ କର୍ତ୍ତୃପକ୍ଷ ଏଥିପ୍ରତି ଦୃଷ୍ଟି ଦେଉନାହାଁନ୍ତି। ଫଳରେ ଷ୍ଟେସନରେ ସାଧା କାଗଜରେ ହେଉଛି ଟିକେଟ୍ ବୁକିଂ। ସ୍ଥାନୀୟ ରେଳ କର୍ତ୍ତୃପକ୍ଷ ଏ ସଂପର୍କରେ ଉପରିସ୍ଥ ଅଧିକାରୀଙ୍କୁ ଅବଗତ କରିଥିଲେ ମଧ୍ୟ ଷ୍ଟକ୍ ନଥିବା ଦର୍ଶାଇ ଚୁପ୍ ବସିଛନ୍ତି। ସଂରକ୍ଷଣ ଟିକେଟ୍ ବୁକିଂରେ ବିଭାଗୀୟ ପ୍ରଦତ୍ତ ସ୍ଲିପ୍ ବହୁ ଗୁରୁତ୍ବ ରଖୁଛି।

Advertisment

publive-image Sambad

ଜରୁରିକାଳୀନ ସମୟ କିମ୍ବା କୌଣସି ଅଘଟଣ ଘଟିଲେ ଯାତ୍ରୀଙ୍କ ଯାତାୟାତ ସ୍ଥାନ, ମୋବାଇଲ୍ ନମ୍ବର, ଠିକଣା ଭଳି ସବିଶେଷ ବିବରଣୀ ଏହି ସ୍ଲିପରୁ ବିଭାଗ ସଂଗ୍ରହ କରିଥାଏ। ହେଲେ ଗତ ୩ ଦିନ ଧରି ସାଧା କାଗଜରେ ରାୟଗଡ଼ା ଷ୍ଟେସନରେ ଟିକେଟ୍ ବୁକିଂ ଚାଲିଥିବା ସତ୍ତ୍ବେ ସ୍ଲିପ୍ ଉପଲବ୍ଧ ହୋଇପାରୁନି। ବିଶାଖାପାଟଣା ଡିଭିଜନ୍ କାର୍ଯ୍ୟାଳୟରେ ସଂରକ୍ଷଣ ବୁକିଂ ସ୍ଲିପ୍ ଆବଶ୍ୟକତା ମାତ୍ରାରେ ଉପଲବ୍ଧ ଥିଲେ ମଧ୍ୟ ବହୁ ଟ୍ରେନ୍ ଉଭୟ ଷ୍ଟେସନ ମଧ୍ୟରେ ଯାତାୟାତ କରୁଛି। ଯେଉଁଥିରେ ପାର୍ସଲ୍ ଭ୍ୟାନ୍ ସହ ପୋଷ୍ଟାଲ୍ ସୁବିଧା ରହିଛି। ତେବେ କେଉଁ କାରଣ ପାଇଁ ବୁକିଂ ସ୍ଲିପ୍ ରାୟଗଡ଼ାରେ ପହଞ୍ଚି ପାରୁନି ବୋଲି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ସୂଚନାଯୋଗ୍ୟ, ନୂତନ ରେଳ ଡିଭିଜନ ମାନ୍ୟତା ପାଇଥିବା ରାୟଗଡ଼ା ଷ୍ଟେସନ ପ୍ରତି ବିଭାଗୀୟ ଅବହେଳା ପିଛା ଛାଡ଼ିବାର ନାଁ ଧରୁନି। ଡିଭିଜନ୍ ଘୋଷଣାକୁ ୨ ବର୍ଷ ବିତିବାକୁ ବସିଥିଲେ ମଧ୍ୟ ଏଯାବତ୍ ବିକାଶ ଆଖିଦୃଶିଆ ହୋଇନି। ସେହିପରି ଡିଭିଜନର କ୍ୟାମ୍ପ ଅଫିସ୍ ମଧ୍ୟ ରାୟଗଡ଼‌ାରେ ଆରମ୍ଭ ହୋଇନଥିବାରୁ ସମସ୍ତ କାର୍ଯ୍ୟ ପୂର୍ବ ପରି ବିଶାଖାପାଟଣା ଡିଭିଜନ୍ କାର୍ଯ୍ୟାଳୟରୁ ହିଁ ପରିଚାଳନା ହେଉଛି। ଏପରିକି ଚଳିତ ରେଳ ବଜେଟରେ ମାତ୍ର ୩ କୋଟି ଟଙ୍କାର ଅନୁଦାନ ବିଭାଗକୁ ମିଳିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା। ଗତ ଅଗଷ୍ଟ ମାସରେ କେନ୍ଦ୍ର ରେଳମନ୍ତ୍ରୀ ଅଶ୍ବିନୀ ବୈଷ୍ଣବ ରାୟଗଡ଼ା ଗସ୍ତରେ ଆସିଥିଲେ। ଜିଲ୍ଲାବାସୀଙ୍କ ପକ୍ଷରୁ ରେଳମନ୍ତ୍ରୀଙ୍କୁ ତୁରନ୍ତ ନୂଆ ଡିଭିଜନ୍ କାର୍ଯ୍ୟକାରୀ, ନୂଆ ରେଳ ଲାଇନକୁ ଅନୁମୋଦନ ସଂପର୍କରେ ସ୍ମାରକପତ୍ର ପ୍ରଦାନ କରାଯାଇଥିଲା।