ବାହାନଗା: ଆନିକଟ୍‌ କରି ମଧୁର ଜଳ ସଂରକ୍ଷଣ ଓ ମାଛ ଧରିବା ପାଇଁ ସମୁଦ୍ରକୁ ଡଙ୍ଗାରେ ଯିବା ସହଜ କରିବାକୁ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାମ ଆରମ୍ଭ ହୋଇଥିଲା। ହେଲେ ସରକାରୀ ଅବହେଳା ଯୋଗୁଁ ଗେଟ୍‌ କାମ ଅଧା ହୋଇ ପଡ଼ିଛି। ଫଳରେ ଜଳ ସଂରକ୍ଷଣ ହୋଇପାରୁନି କି ଡଙ୍ଗା ନେଇ ସମୁଦ୍ରକୁ ମାଛ ଧରି ଯିବା ସମ୍ଭବ ହେଉନି। ବରଂ ଜୁଆର ସମୟରେ ଲୁଣାପାଣି ଗେଟ୍‌ ଦେଇ ହେକ୍ଟର ହେକ୍ଟର ଜମିକୁ ମାଡ଼ିଯାଉଛି।

Advertisment

କଣ୍ଟିଆଚିରା ନଦୀ ଦେବଗିରି ପାହାଡ଼ରୁ ବାହାରି ରେମୁଣା ବ୍ଲକ୍‌ ଅଧୀନ ତାଳପଦା ଜାମୁକା ତଥା ଆଣ୍ଡିଆ ମୁହାଣଠାରେ ସମୁଦ୍ରରେ ମିଶିଛି। ସେଠାରେ ଆନିକଟ୍‌ କରି ମଧୁର ଜଳ ସଂରକ୍ଷଣ ଏବଂ ମାଛ ଧରିବା ପାଇଁ ସମୁଦ୍ରକୁ ଡଙ୍ଗାରେ ଯିବା ସହଜ କରିବାକୁ ସ୍ଲୁଇସ୍‌ ଗେଟ୍‌ ନିର୍ମାଣ କାମ ୧୯୯୨ ମସିହାରେ ଆରମ୍ଭ ହୋଇଥିଲା। ଏଥିପାଇଁ ୩୨ ଲକ୍ଷ ଟଙ୍କା ବ୍ୟୟ ବରାଦ ଥିଲା। ହେଲେ ସବୁ ଫସର ଫାଟିଛି। ସରକାରୀ ଅବହେଳା ଯୋଗୁଁ ଗେଟ୍‌ କାମ ସଂପୂର୍ଣ୍ଣ ହୋଇ ପାରିନି।

ଫଳରେ ଜଳ ସଂରକ୍ଷଣ ବ୍ୟବସ୍ଥା ହୋଇପାରିନି କି ଡଙ୍ଗା ନେଇ ସମୁଦ୍ରକୁ ମାଛ ଧରି ଯିବା ବାଟ ଫିଟିନି। ବରଂ ଜୁଆର ସମୟରେ ଲୁଣାପାଣି ସ୍ଲୁଇସ୍‌ ଗେଟ୍‌ ଦେଇ ୨୫ ହଜାରରୁ ଊର୍ଦ୍ଧ୍ବ ହେକ୍ଟର ଜମିକୁ ମାଡ଼ିଯାଉଛି। ଏପରି ସମୟରେ ସ୍ଥାନୀୟ ଲୋକ ଚିନ୍ତାରେ ପଡ଼ିଛନ୍ତି। ସେମାନେ ସମସ୍ୟା ବାବଦରେ ବିଭାଗୀୟ ଅଧିକାରୀଙ୍କୁ ଅବଗତ କରୁଥିଲେ ବି କିଛି ଫଳ ମିଳୁନି। ସବୁ ଜାଣି ବି ସରକାରୀ ବାବୁମାନେ ଚୁପ୍‌ ବସିଛନ୍ତି। ସତେଯେମିତି ଲୋକଙ୍କ ପ୍ରତି ସରକାରଙ୍କ କୌଣସି ଉତ୍ତରଦାୟିତ୍ବ ନାହିଁ। ଏପରି ସମୟରେ ସମସ୍ୟାରେ ସମାଧାନ ଦିଗରେ କିଛି ପଦକ୍ଷେପ ନିଆ ନଗଲେ ଲୋକେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦେଇଛନ୍ତି।