ମୁକୁଳା ପଡ଼ିଛି ସ୍ଲୁଇସ୍‌, ଉଜୁଡ଼ିଯିବ ଭାତହାଣ୍ତି, ପଡ଼ିଆ ପଡ଼ିଛି ଶହଶହ ଏକର ଜମି

ଉଜୁଡ଼ିଯିବ ଖରିଫ୍‌ ଧାନ ଚାଷ

ରାଜନଗର: ମୁକୁଳା ପଡିଛି ସ୍ଲୁଇସ୍‌। ନାଁ ବର୍ଷା ଜଳ ଭେଡାରେ ରହୁଛି ନାଁ ଲୁଣା ସମୟରେ ନଦୀର ଜଳକୁ ସଟର୍‌ ପକାଇ ଅଟକାଇ ହେଉଛି। ମୁକୁଳା ସ୍କୁଇସ୍‌ ଯୋଗୁଁ ଉପକୂଳର ଭାତହାଣ୍ତି ଉଜୁଡି ଗଲାଣି। ବିଭାଗୀୟ ଅଧିକାରୀଙ୍କ ତ୍ରୁଟିପୂର୍ଣ୍ଣ ଓ ଭଙ୍ଗା ସଟର ଲଗାଇବା ଯୋଗୁଁ ୩ ବର୍ଷ ହେଲା ଖରିଫ ଧାନଚାଷ ବାଧାପ୍ରାପ୍ତ ହୋଇପଡିଛି। ଗତବର୍ଷ ପ୍ରାୟ ୧୦୦୦ ଏକର ଜମି ପଡିଆ ରହିଥିବା ବେଳେ ଚଳିତ ବର୍ଷ ମଧ୍ୟ ସମାନ ପରିସ୍ଥିତି ଉପୁଜିଛି। ଚାଷୀମାନେ ବାରମ୍ବାର ଦାବୀ କରିବା ପରେ ବି ସ୍ଲୁଇସ ଦାୟିତ୍ବରେ ଥିବା ତଟବନ୍ଧ ବିଭାଗର କୁମ୍ଭକର୍ଣ୍ଣ ନିଦ ଭାଙ୍ଗୁନି। ରାଜନଗରକୁ ଉପକୂଳ ଓଡିଶାର ଭାତହାଣ୍ତି କୁହାଯାଇଥାଏ। ସରକାର ଚାଷ ଓ ଚାଷୀଙ୍କ ଉନ୍ନତି ପାଇଁ କୋଟିକୋଟି ଟଙ୍କା ଯୋଗାଇ ଦେଉଛନ୍ତି। ମାତ୍ର ଦାୟିତ୍ବରେ ଥିବା ବିଭାଗୀୟ ଅଧିକାରୀ ଦୁର୍ନୀତିଖୋର ମନୋଭାବ ଯୋଗୁଁ ଭାତହାଣ୍ତି ଉଜୁଡି ଯିବାକୁ ବସିଛି। ରାଜନଗର ବ୍ଲକର ନଳିତାପାଟିଆ ତାଳଚୁଆ ରାସ୍ତାର କମଳପୁର ନିକଟରେ ତଟବନ୍ଧ ବିଭାଗ ପକ୍ଷରୁ ସ୍ଲୁଇସ୍‌ ନିର୍ମାଣ କରାଯାଇଛି। ୩ ବର୍ଷ ତଳେ ଏହା ନିର୍ମାଣ କରାଯାଇଥିଲା। ନିର୍ମାଣର ବର୍ଷକ ପରେ ଚାଷୀଙ୍କ ବାରମ୍ବାର ଦାବି ପରେ ଫାଟକ ଲଗାଯାଇଥିଲା। ମାତ୍ର ଏହା ଲଗାଯିବା ସମୟରେ ତ୍ରୁଟିପୂର୍ଣ୍ଣ ଭାବେ ଓ ନିମ୍ନମାନର ଫାଟକ ଲଗାଯିବା ଯୋଗୁଁ ଆରମ୍ଭରୁ ସ୍ଲୁଇସ୍‌ଟି ଟେକି ହୋଇ ରହିଥିଲା। ଫଳରେ ମୁକୁଳା ସ୍ଲୁଇସରେ ଯେପରି ପାଣି ଯା’ ଆସ କରୁଥିଲା, ସଟର ଲଗାଯିବା ପରେ ବି ସେପରି ପାଣି ଯା’ଆସ କରୁଛି। ଚାଷୀମାନେ ଯେତେ ଅଭିଯୋଗ କରିବା ପରେ ବି ବିଭାଗୀୟ ଯନ୍ତ୍ରୀମାନେ ଶୁଣିଲେ ନାହିଁ। ଫଳରେ ଲୁଣା ସମୟରେ ଲୁଣିପାଣି ଚାଷ ଜମିରେ ମାଡି ଯାଉଛି। ଜମିରେ ବର୍ଷା ଜଳ ମଧ୍ୟ ଅକଟାଇ ହେଉନି।

ଏପରିକି ମରୁଡି ଓ ଅନିୟମିତତା ବର୍ଷା ସମୟରେ ବୈତରଣୀ ନଦୀର ମିଠା ପାଣି ମଧ୍ୟ ଯୋରରେ ଅଟକାଇ ରଖି ହେଉନି। ଏହି ସ୍ଲୁଇସ ଦେଇ କୃଷ୍ଣନଗର ଓ ଡାଙ୍ଗମାଳ ପଂଚାୟତର ପ୍ରାୟ ୩ ହଜାର ଏକର ଚାଷ ଜମିକୁ ପାଣି ଯାଇଥାଏ ଓ ନିସ୍କାସନ ହୋଇଥାଏ। ଦୁଇ ପଞ୍ଚାୟତର ଶାରଦାପ୍ରସାଦ, କମଳାପୁର, ତ୍ରିଲୋଚନପୁର, ବଡଆଡିଆ, ଡାଙ୍ଗମାଳ, ପିନ୍ତ୍ରାପାଟିଆ, ସୁବର୍ଣ୍ଣପୁର ମୌଜାର ଜଳ ନିସ୍କାସନ ଓ ଜଳ ପ୍ରବେଶ କରିଥାଏ। ଅନ୍ୟପଟେ ଏହି ସ୍ଲୁଇସ୍ ଉପରେ ଖମାରସାହି ପଂଚାୟତର ନଳିତାପାଟିଆ ମୌଜାର ଚାଷୀମାନେ ମଧ୍ୟ ନିର୍ଭରଶୀଳ। ଏହି ମୌଜାରେ ଥିବା ୩ହଜାର ଏକର ଚାଷଜମିରେ ସୁନାର ଫସଲ ଅମଳ ହେଉଥିଲା। ଉପକୂଳ ଓପିଶାର ଭାତହାଣ୍ତି ଏ ଅଂଚଳକୁ କୁହାଯାଉଥିଲା। ମାତ୍ର ସ୍ଲୁଇସରେ ସଟର ନ ଥିବାରୁ ବର୍ଷାଜଳ ଆବଶ୍ୟକ ସମୟରେ ଭେଡାରେ ରହିପାରୁନି। ନଦୀର ଲୁଣି ପାଣି ଅନାୟାସରେ ଚାଷ ଜମିରେ ମାଡି ଯାଉଛି। ଅନିୟମିତ ବର୍ଷା, ମରୁଡି ଓ ସ୍କୁଇସ ମୁକୁଳା ଯୋଗୁଁ ଗତବର୍ଷ ଏ ଅଂଚଳରେ ୧୦୦୦ ଏକର ଜମି ପଡିଆ ପଡିଥିଲା। ଚାଷୀ ମାନଙ୍କ ଦାବି ସତ୍ବେ ବିଭାଗୀୟ ଅଧିକାରୀ ଶୁଣିଲେ ନାହିଁ। ଚଳିତ ବର୍ଷ ମଧ୍ୟ ଏହି ମୌଜାରେ ଖରିଫ ଧାନଚାଷ ଉଜୁଡି ଯିବାକୁ ବସିଛି। ଏହାକୁ ନେଇ ଚାଷୀଙ୍କ ମଧ୍ୟରେ ପ୍ରତିକ୍ରିୟା ବଢିବାରେ ଲାଗିଛି। ତୁରନ୍ତ ନୂତନ ସଟର ଲଗାଇବାକୁ ବରିଷ୍ଠ ନେତା ଲକ୍ଷ୍ମୀଧର ବାରିକ, ପୂର୍ବତନ ସରପଂଚ ରମେଶ ଚନ୍ଦ୍ର ବେହେରା, ନାଏବ ସରପଂଚ କାର୍ତିକ ଚନ୍ଦ୍ର ବେହେରା ଦାବି କରିଛନ୍ତି।

ସମ୍ବନ୍ଧିତ ଖବର