ଜଟଣୀ ଲୋକୋ ବସ୍ତି ବାସିନ୍ଦାଙ୍କ ଥଇଥାନ ଦାବିରେ ଧାରଣା

ଖୋର୍ଦ୍ଧା: ଜଟଣୀ ରେଳ ଷ୍ଟେସନ ନିକଟରେ ରେଳବାଇ ଜମିରେ ଗଢ଼ି ଉଠିଥିବା ଲୋକୋ ବସ୍ତିକୁ ବର୍ତମାନ ହଟାଇବାକୁ ରେଳବାଇ ବିଭାଗ ଯୋଜନା କରିଛି । ତେବେ ସେମାନଙ୍କୁ ଅନ୍ୟସ୍ଥାନରେ ଥଇଥାନ ନକରିବା ପର୍ଯ୍ୟନ୍ତ ହଟାନଯାଉ ବୋଲି ଦାବି କରି ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟଙ୍କ ସହିତ ବସ୍ତିବାସିନ୍ଦା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିବା ସହ ଏକ ଦାବିପତ୍ର ଦେଇଛନ୍ତି ।

ବସ୍ତି ବାସିନ୍ଦାଙ୍କ ପକ୍ଷରୁ ସବିତା ବେହେରା, ଅଶୋକ ମଙ୍ଗରା, କଳିଙ୍ଗ ସାହୁ, ସଂକେତ ପାଟ୍ଟଷାଣୀ, ସୌମ୍ୟ ଶ୍ରୀଚନ୍ଦନ ପ୍ରମୁଖ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସିଥିଲେ । ଏହାପରେ ଜଟଣୀ ବିଧାୟକଙ୍କ ସହ ଏକ ପ୍ରତିନିଧି ଦଳ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ଦାବିପତ୍ର ସମ୍ପର୍କରେ ବିଧାୟକ ସୁର ରାଉତରାୟ କହିଛନ୍ତି ଯେ ସେଠାରେ ଦୀର୍ଘ ଦିନ ଧରି ଅନେକ ଗରିବ, ଦିନମଜୁରିଆ ଘର କରି ରହିଛନ୍ତି ।

ରେଳବାଇର ଜମି ଅଧିଗ୍ରହଣକୁ ସେ ବିରୋଧ କରୁନାହାନ୍ତି, କିନ୍ତୁ ଯଦି ସେମାନଙ୍କୁ ଥଇଥାନ ନକରି ବଳପୂର୍ବକ ହଟାଇଦିଆଯାଏ ତେବେ ଶତାଧିକ ପରିବାର ବେସହାରା ହୋଇଯିବେ । ତାଙ୍କର ସର୍ବସ୍ୱ ନଷ୍ଟ ହୋଇଯିବ । ଯେହେତୁ ଏନେଇ ଦୁଇ ଦୁଇ ଥର ରାଜ୍ୟ ହାଇକୋର୍ଟ ଜବରଦଖଲ ହଟାଇବା ନିମନ୍ତେ ବଳପ୍ରୟୋଗ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି, ଏହାକୁ ଦୃଷ୍ଟିରେ ରଖି ସେମାନଙ୍କୁ ତୁରନ୍ତ ଥଇଥାନ କରାଯାଉ ।

ସମ୍ବନ୍ଧିତ ଖବର