ରାୟଗଡ଼ା: ଦଶନ୍ଧି ଦଶନ୍ଧି ଧରି ନିରାଶ୍ରୟଙ୍କୁ ଆଶ୍ରୟ ଦେଇଥିବା କୋଇଲାପଡା ବସ୍ତି ମାଟିରେ ମିଶିବ। ନୂତନ ରେଳ ଡିଭିଜନ୍ ପାଇଁ ଉଚ୍ଛେଦ ଅଭିଯାନ ଚାଲିଥିବାରୁ ବସ୍ତି ଖାଲିବାକୁ ନୋଟିସ୍ ଜାରି କରିଛି ରେଳ ବିଭାଗ। ଯାହାକୁ ନେଇ ଛାନିଆ ହୋଇ ପଡିଛନ୍ତି ୧୫୦ରୁ ଊର୍ଦ୍ଧ୍ବ ପରିବାର। ତୁରନ୍ତ ଥଇଥାନ ଦିଗରେ ପଦକ୍ଷେପ ନେବାକୁ ବସ୍ତି ବାସିନ୍ଦା ଜିଲ୍ଲାପାଳଙ୍କ ଦ୍ବାରସ୍ଥ ହୋଇଛନ୍ତି। ବସ୍ତି ବାସିନ୍ଦାଙ୍କ ଗୁହାରି ପରେ ୨/୩ ଦିନ ମଧ୍ୟରେ ନୂତନ ଜାଗା ଚିହ୍ନଟ କରି ସମସ୍ତ ପରିବାରକୁ ଥଇଥାନ କରାଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ଜିଲ୍ଲାପାଳ ସ୍ବଧା ଦେବ ସିଂହ। ୫୦ ବର୍ଷରୁ ଉର୍ଦ୍ଧ୍ବ ସମୟ ହେଲା କୋଇଲାପଡା ବସ୍ତିରେ ବାସ କରି ଆସୁଛନ୍ତି ଦିନ ମଜୁରିଆ ଶ୍ରେଣୀର ପରିବାର। କାମଧନ୍ଧା ଅନ୍ବେଷଣରେ ରାୟଗଡ଼ା ଆସି ବିଭିନ୍ନ କାମରେ ନିୟୋଜିତ ଥିବା ଏହି ବର୍ଗର ପରିବାର କୋଇଲାପଡା ବସ୍ତିରେ ମୁଣ୍ଡ ଗୁଞ୍ଜି ଆସୁଛନ୍ତି। ୧୫୦ରୁ ଉର୍ଦ୍ଧ୍ବ ପରିବାର ବସ୍ତିରେ ବାସ କରୁଥିବା ବେଳେ ସଭିଁଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ଭୂମି ଅଧିକାର ପ୍ରମାଣପତ୍ର। ଉଚ୍ଛେଦ ପୂର୍ବରୁ ସରକାରୀ ଜାଗାରେ ଥଇଥାନ କରିବା ପାଇଁ ସରକାର ନିର୍ବାଚନ ପୂର୍ବରୁ ପ୍ରତିଶ୍ରୁତି ଦେଇଥିଲେ। ୨୦୨୦ ମସିହାରୁ ବସ୍ତି ବାସିନ୍ଦାଙ୍କୁ ପ୍ରମାଣପତ୍ର ମିଳିଥିଲେ ମଧ୍ୟ ଥଇଥାନ ପାଇଁ ଏଯାବତ୍ ସରକାର କିମ୍ବା ଜିଲ୍ଲା ପ୍ରଶାସନ ପକ୍ଷରୁ ଜାଗା ଚିହ୍ନଟ ହୋଇପାରିନି। ଏପରି ସ୍ଥିତିରେ ରାୟଗଡ଼ା ନୂତନ ରେଳ ଡିଭିଜନ୍ ପାଇଁ ନିର୍ମାଣ କାମ ଆରମ୍ଭ ହେବାକୁ ଥିବାରୁ ବସ୍ତି ‌ଉଚ୍ଛେଦ ପାଇଁ ରେଳ ବିଭାଗ ନୋଟିସ୍ ପଠାଇଛି। ତୁରନ୍ତ ବସ୍ତି ଖାଲି କରିବା ପାଇଁ ଲୋକଙ୍କ ସହମତି ମଧ୍ୟ ନେଇଛି ରେଳ ବିଭାଗ।

Advertisment

ଗତ ୧୮ ତାରିଖରେ ରେଳ ବିଭାଗ ନୋଟିସ୍ ଜାରି କରିବା ସହ ୨୩ ତାରିଖ ସୁଦ୍ଧା ବସ୍ତି ଖାଲି କରିବାକୁ କହିଛି। ୨୪ ତାରିଖ ସକାଳେ ଉଚ୍ଛେଦ ଅଭିଯାନ ଆରମ୍ଭ ହେବାକୁ ଥିବାରୁ ବସ୍ତି ବାସିନ୍ଦା ମୁଣ୍ଡ ଗୁଞ୍ଜିବା ନେଇ ଚିନ୍ତାରେ ପଡିଛନ୍ତି। ଘରର ଆସବାବ ସାମଗ୍ରୀ ସହ ଛୁଆ ପିଲାଙ୍କୁ ନେଇ କେଉଁଠିକୁ ଯିବେ ତାକୁ ନେଇ ଚିନ୍ତାରେ ପଡିଛନ୍ତି ବସ୍ତି ବାସିନ୍ଦା। ଶୀତ ଆରମ୍ଭ ହୋଇଯାଇଥିବାରୁ ଉଚ୍ଛେଦ ପୂର୍ବରୁ ଥଇଥାନ ଦିଗରେ ପ୍ରଶାସନ ପଦକ୍ଷେପ ନ ନେ‌ଲେ ସମସ୍ତ ପରିବାର ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେବେ ବୋଲି ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ଏ. ଆପ୍ପା ରାଓ। ଶ୍ରୀ ରାଓ କହିଥିଲେ, ସରକାରୀ ଜାଗା ଭାବି ଅସ୍ଥାୟୀ ଗୃହ ନିର୍ମାଣ କରିଥିଲୁ। ସରକାର ଭୂମି ଅଧିକାର ପ୍ରମାଣପତ୍ର ଦେବା ପରେ ସ୍ଥାୟୀ ଗୃହ ନିର୍ମାଣ ପାଇଁ ଖୁସି ହୋଇଥିଲୁ। କିନ୍ତୁ ନୂତନ ରେଳ ଡିଭିଜନ୍ ଘୋଷଣା ପରେ ବସ୍ତି ଅଞ୍ଚଳ ରେଳ ବିଭାଗର ଜାଣିବା ପରେ ଉଚ୍ଛେଦ ନେଇ ଆଶା ଆଶଙ୍କାରେ ଦିନ କାଟି ଆସୁଛୁ। ଥଇଥାନ ପାଇଁ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦକୁ ବହୁବାର ନେହୁରା ହେଲୁଣି। ହେଲେ କୌଣସି ସୁଫଳ ମିଳିପାରିନି। ବସ୍ତି ବାସିନ୍ଦାଙ୍କ ଗୁହାରି ଜିଲ୍ଲାପାଳ ଥଇଥାନ ସମ୍ପର୍କରେ ପୌର ପରିଷଦ ନିର୍ବାହୀ ଅଧିକାରୀ ୟାସିର ବିଲାଲ୍ ଅହମ୍ମଦଙ୍କ ସହ ଆଲୋଚନା କରିଛନ୍ତି। ରାଜସ୍ବ ବିଭାଗ ସହ ପରାମର୍ଶ କରି ତୁରନ୍ତ ନୂତନ ଜାଗା ଚିହ୍ନଟ ପାଇଁ ଜିଲ୍ଲାପାଳ ନିର୍ଦେଶ
ଦେଇଛନ୍ତି।