କେନ୍ଦ୍ରାପଡ଼ା: ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ସ୍ମାର୍ଟ ହୋଇଥିବା କେନ୍ଦ୍ରାପଡ଼ା ଜିଲ୍ଲାର ୩୦ଟି ହାଇସ୍କୁଲ୍ ଶନବାର ଲୋକାର୍ପିତ ହୋଇଛି। ଭିଡିଓ କନଫରେନ୍ସିଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରଥମ ପର୍ଯ୍ୟାୟରେ ଏହି ସ୍କୁଲ୍ ଗୁଡ଼ିକୁ ଲୋକାର୍ପିତ କରିଛନ୍ତି। କରୋନା ଜନିତ ଲକ୍ଡାଉନ/ସଟଡାଉନ କାରଣରୁ ସାରା ରାଜ୍ୟରେ ଶିକ୍ଷାନୁଷ୍ଠାନ ଗୁଡ଼ିକୁ ଯେତେବେଳେ ବନ୍ଦ କରାଯାଇଥିଲା, ସେତେବେଳେ ସରକାର ରୂପାନ୍ତରିତ ହୋଇଥିବା ଏହି ୩୦ଟି ହାଇସ୍କୁଲ୍କୁ ଫୋକସ୍ ତାଲିକାରେ ସ୍ଥାନ ଦେଇଥିଲେ। ପାଖାପାଖି ୧୫କୋଟିରୁ ଅଧିକ ବ୍ୟୟରେ ଏହି ସ୍କୁଲଗୁଡ଼ିକର ରୂପରେଖ ଏପରି ବଦଳାଇ ଦିଆଯାଇଛି ଯେ ଚାକଚକ୍ୟ, ସୁବିଧାରେ ଘରୋଇ ସ୍କୁଲ୍ଗୁଡ଼ିକୁ ବି ବଳି ଯାଇଥିବା ଚର୍ଚ୍ଚା ହେଉଛି।
ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦୯ଟି ସ୍କୁଲ୍କୁ ନିଆଯାଇଥିବା ବେଳେ ୧୫ଲକ୍ଷ ଲେଖାଏ ଅନୁଦାନ ବି ଯୋଗାଇ ଦିଆଯାଇଥିବା ସୂଚନା ମିଳିଛି। ମୁଖ୍ୟମନ୍ତ୍ରୀ ଏହାର ଲୋକାର୍ପଣ କରିଥିବା ବେଳେ କେନ୍ଦ୍ରାପଡ଼ା ସରକାରୀ ବାଳିକା ହାଇସ୍କୁଲ ପରିସରରେ ଏଥି ସକାଶେ ଶନିବାର ଅପରାହ୍ନରେ ଏକ ସ୍ବତନ୍ତ୍ର ସଭା ଅନୁଷ୍ଠିତ ହୋଇଥିଲା। ଜିଲ୍ଲାପାଳ ଅମ୍ରିତ ଋତୁରାଜଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ମନ୍ତ୍ରୀ ପ୍ରତାପ ଜେନା, କେନ୍ଦ୍ରାପଡ଼ା ବିଧାୟକ ଶଶୀଭୂଷଣ ବେହେରା, ମହାକାଳପଡ଼ା ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ, ରାଜନଗର ବିଧାୟକ ଧ୍ରୁବଚରଣ ସାହୁ, ପାଟକୁରା ବିଧାୟିକା ସାବିତ୍ରୀ ଅଗ୍ରୱାଲ୍, ଜିଲ୍ଲା ପରିଷଦ ସଭାପତି ମାନସ କୁମାର ପରିଡ଼ା ପ୍ରମୁଖ ଯୋଗ ଦେଇଥିଲେ। ଏହି ଅବସରରେ ମନ୍ତ୍ରୀ ଉଦ୍ବୋଧନ ଦେଇ କହିଥିଲେ ଯେ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମରେ ସ୍କୁଲ୍ଗୁଡ଼ିକର ଭିତ୍ତିଭୂମି ସୁଦୃଢ଼ ହେବା ସହିତ ଶୈଷିକ ବାତାବରଣ ଉନ୍ନତ ହୋଇପାରିଛି।
ଏହା ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ସହିତ ଅତ୍ୟାଧୁନିକ ବ୍ୟବସ୍ଥାରେ ପାଠ ପଢ଼ିବାରେ ସହାୟକ ହେଇପାରିବ ମନ୍ତ୍ରୀ ଆଶାପୋଷଣ କରିଥିଲେ। ୩୧୪ବ୍ଲକ୍ରେ ଆଦର୍ଶ ସ୍କୁଲ୍ ପ୍ରତିଷ୍ଠା ସଂପର୍କରେ ସୂଚନା ଦେଇ ମନ୍ତ୍ରୀ କହିଲେ ଯେ ସରକାର ଛାତ୍ରଛାତ୍ରୀଙ୍କ ଉଜ୍ଜ୍ବଳ ଭବିଷ୍ୟତ ନିର୍ମାଣ ପାଇଁ ପ୍ରତିଶ୍ରୁତିବଦ୍ଧ। ସେଥିପାଇଁ ପ୍ରତି ବ୍ଲକ୍ରେ ଆଦର୍ଶ ସ୍କୁଲ୍ ସହିତ ଫୋକସ୍ ତାଲିକାରେ ବିଭିନ୍ନ ହାଇସ୍କୁଲ୍କୁ ନିଆଯାଇ ଏହାର ସର୍ବାଙ୍ଗୀନ ବିକାଶ କରାଯାଉଥିବା ମନ୍ତ୍ରୀ ସୂଚନା ଦେଇଥିଲେ। ତେବେ ରୂପାନ୍ତରିତ ହୋଇଥିବା ୩୦ହାଇସ୍କୁଲ୍ ମଧ୍ୟରୁ କେନ୍ଦ୍ରପଡ଼ା ବିଧାନସଭା ନିର୍ବାଚନ ମଣ୍ଡଳୀର ୭ଟି ଥିବା ବେଳେ ଆଳିର ୫ଟି, ପାଟକୁରାରର ୧୦ଟି, ମହାକାଳପଡ଼ାର ୩ଟି ଏବଂ ରାଜନଗରର ୫ଟି ହାଇସ୍କୁଲ୍ ରହିଛି।
ଉଲ୍ଲେଖନୀୟ କଥା ହେଉଛି, ଏ ସବୁ ହାଇସ୍କୁଲ୍ର ଭିତ୍ତିଭୂମି ଓ ସୁବିଧା ଏଭଳି ଚାକଚକ୍ୟ କରି ଦିଆଯାଇଛି ଯେ ଚକାଚକ୍ ମାର୍ବଲ୍ ଚଟାଣ ସାଙ୍ଗକୁ ସ୍ମାର୍ଟ କ୍ଲାସ୍ ରୁମ୍, ଇ-ଲାଇବ୍ରେରି, କମ୍ପ୍ୟୁ ଟର୍, ଅତ୍ୟାଧୁନିକ ପରୀକ୍ଷାଗାର ଆଦି ଅନେକ ବିବିଧ ସୁବିଧା ଛାତ୍ରଛାତ୍ରୀ ପାଇପାରିବେ। ସେହିପରି ଦ୍ବିତୀୟ ପର୍ଯ୍ୟାୟରେ ୧୦୯ଟି ସ୍କୁଲ୍କୁ ରୂପାନ୍ତରିତ କରାଯିବ। ଏଥିପାଇଁ ପ୍ରତି ସ୍କୁଲ୍କୁ ୧୫ଲକ୍ଷ ଟଙ୍କା ଲେଖାଏ ଯୋଗାଇ ଦିଆଯାଇଛି। କାମ ସଂପ୍ରତି ଆରମ୍ଭ ହୋଇଥିବା ବେଳେ ମାର୍ଚ୍ଚ ୫ତାରିଖ ସୁଦ୍ଧା କାମ ସାରିବାକୁ ଲକ୍ଷ୍ୟ ରଖାଯାଇଛି। ସରକାରୀ ହାଇସ୍କୁଲର ଛାତ୍ରୀ ସୋନମ ପରୱିନ୍ ଏହି ପରପ୍ରେକ୍ଷୀରେ ସ୍ମାର୍ଟ ସ୍କୁଲ୍ର ଉପକାରିତା ସଂପର୍କରେ ନିଜ ଅଭିଜ୍ଞତା ବର୍ଣ୍ଣନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ଏହି ପୂର୍ବତନ ବିଧାୟିକା ସିପ୍ରା ମଲ୍ଲିକଙ୍କ ସମେତ ଜିଲ୍ଲା ପ୍ରଶାସନର ବିଭିନ୍ନ ବିଭାଗର ବିଭାଗୀୟ ଅଧିକାରୀ, ବିଡିଓ, ଶିକ୍ଷକଶିକ୍ଷୟିତ୍ରୀ, ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ।