ଫୁଲବାଣୀ: କନ୍ଧମାଳ ଜିଲ୍ଲାର ମୋଟ ୮୩ ସ୍ମାର୍ଟସ୍କୁଲ୍ ମଧ୍ୟରୁ ଅଧିକାଂଶ ସ୍କୁଲ୍‌ର ଅବସ୍ଥା ଅତି ଦୟନୀୟ। ସ୍ମାର୍ଟସ୍କୁଲ୍‌ ଉଦ୍‌ଘାଟନ ସରିଯାଇଛି, କିନ୍ତୁ ଅଧିକାଂଶ କାମ ଅସମ୍ପୂର୍ଣ୍ଣ। ସରକାର କେବଳ ସ୍ମାର୍ଟସ୍କୁଲ୍ ଘୋଷଣା କରିଦେଲେ ହେବ ନାହିଁ, ବରଂ ଭିତ୍ତିଭୂମି ସଜାଡ଼ିବା ମଧ୍ୟ ଉଚିତ ବୋଲି ମତପ୍ରକାଶ ପାଇଛି। ବିଶେଷକରି ଜିଲ୍ଲାର ଅଧିକାଂଶ ସ୍କୁଲ୍‌କୁ ବିଜୁଳି ସରବରାହ ନାହିଁ। ନେଟ୍‌ୱର୍କ ନଥିବା ଯୋଗୁଁ ସ୍ମାର୍ଟସ୍କୁଲ୍‌ ଗୁଡ଼ିକରେ ମୂଳ ଉଦ୍ଦେଶ୍ୟ ପୂରଣ ହୋଇପାରୁନି। କେବଳ ପୁରୁଣା କୋଠା ମରାମତି କରି ରଙ୍ଗ ବୋଳିଦେଲେ ଶିକ୍ଷାର ମାନରେ କୌଣସି ଉନ୍ନତି ଆସି ପାରିବନି। ଏଠାରେ ଶିକ୍ଷକ ପଦ ପୂରଣ କରିବା ସାଙ୍ଗକୁ ଆବଶ୍ୟକ ଭିତ୍ତିଭୂମି ଏବଂ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଶିକ୍ଷାଦାନ ପାଇଁ ଶିକ୍ଷକଙ୍କ ଆନ୍ତରିକତା ଆବଶ୍ୟକ।

Advertisment

ଗୁଣାତ୍ମକ ଶିକ୍ଷାର ବିକାଶ ଲକ୍ଷ୍ୟରେ ରାଜ୍ୟ ସରକାର ବିଦ୍ୟାଳୟ ରୂପାନ୍ତରଣ ଭଳି କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ। ବିଦ୍ୟାଳୟ ଭିତ୍ତିଭୂମି ସହ ଆନୁଷଙ୍ଗିକ ବ୍ୟବସ୍ଥାକୁ ପରିବର୍ତ୍ତନ କରିଥିଲେ। ହେଲେ ବାସ୍ତବ ଚିତ୍ର ଅଲଗା। ଯାହାର ଜ୍ବଳନ୍ତ ଉଦାହରଣ ଦେଖିବାକୁ ମିଳିଛି ଆଦିବାସୀବହୁଳ କନ୍ଧମାଳ ଜିଲ୍ଲାରେ। ବର୍ତ୍ତମାନ ଜିଲ୍ଲାରେ ସ୍ମାର୍ଟସ୍କୁଲ୍‌ ଗୁଡ଼ିକର ଅବସ୍ଥା ସେତେ ଭଲ ନାହିଁ। କେଉଁ ସ୍ମାର୍ଟସ୍କୁଲ୍‌ରେ ଉପଯୁକ୍ତ ସଂଖ୍ୟାରେ ଶିକ୍ଷକ ନଥିବା ବେଳେ ଆଉ କେଉଁ ସ୍ମାର୍ଟସ୍କୁଲ୍‌ରେ ଆବଶ୍ୟକ ଭିତ୍ତିଭୂମି ନାହିଁ। ପୁଣି କେଉଁଠି ତଥାକଥିତ ଆଇସିଡି ଲ୍ୟାବ୍, ଇ-ଲାଇବ୍ରେରି କେବଳ କାଗଜକଲମରେ ଚାଲିଛି। ତ ଆଉ କେଉଁଠି କମ୍ପ୍ୟୁଟର୍ ଅଚଳ ହୋଇପଡ଼ିଛି। ଜିଲ୍ଲାରେ ମୋଟ ୮୩ଟି ସ୍ମାର୍ଟସ୍କୁଲ୍ ରହିଛି। ଫୁଲବାଣୀ ବ୍ଲକ୍ ତୁଡ଼ିପାଜୁ ସ୍ମାର୍ଟସ୍କୁଲ୍‌କୁ ଉଦାହରଣ ଭାବେ ନିଆଯାଇପାରେ। ଜିଲ୍ଲା ସଦରମହକୁମା ଫୁଲବାଣୀରୁ ମାତ୍ର ୫ କିଲୋମିଟର ଦୂରରେ ଅବସ୍ଥିତ ତୁଡ଼ିପାଜୁ ସ୍ମାର୍ଟସ୍କୁଲ୍‌ର ଅବସ୍ଥା ନ କହିବା ଭଲ। ଏହି ସ୍ମାର୍ଟସ୍କୁଲ୍‌ର ସମ୍ମୁଖ ଭାଗରେ ଏକ ସୁନ୍ଦର ତୋରଣ କରାଯିବା ସହିତ ଗୋଟିଏ ମାତ୍ର ଶ୍ରେଣୀଗୃହକୁ ସ୍ମାର୍ଟକ୍ଲାସ୍ କରାଯାଇଛି। ମାତ୍ର ଅନ୍ୟ ଛାତ୍ରଛାତ୍ରୀଙ୍କ ପାଇଁ ଶ୍ରେଣୀଗୃହ ନାହିଁ।

ପ୍ରଥମରୁ ଦଶମ ଯାଏ ମୋଟ ୧୦ଟି ଶ୍ରେଣୀ ରହିଥିବାବେଳେ ଏଠାରେ ମୋଟ ୧୪୧ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଛନ୍ତି। କେବଳ ଗୋଟିଏ ସ୍ମାର୍ଟ କ୍ଲାସରୁମ୍‌କୁ ଛାଡ଼ିଲେ ଆଉ ଶ୍ରେଣୀଗୃହ ନାହିଁ। ସ୍କୁଲ ହତା ମଧ୍ୟରେ ଗୋଟିଏ ଅର୍ଦ୍ଧନିର୍ମିତ କୋଠା ରହିଛି। ଏହି କୋଠାରେ ଛାତ ପଡ଼ିଯାଇଛି। କିନ୍ତୁ ଝରକା ଓ କବାଟ ଲାଗିନି କି, କାନ୍ଥରେ ସିମେଣ୍ଟ୍ ପ୍ଲାଷ୍ଟରିଂ କରାଯାଇନାହିଁ। ଠିକାଦାର ଏହି କୋଠା ନିର୍ମାଣ କାମକୁ ଅଧାପନ୍ତରିଆ ଅବସ୍ଥାରେ ଛାଡ଼ିଦେଇଛନ୍ତି। ଏହି ଅର୍ଦ୍ଧନିର୍ମିତ ଘରକୁ ବର୍ଷେ ହେଲା ଛାତ୍ରଛାତ୍ରୀ‌ ଶ୍ରେଣୀଗୃହ ଭାବେ ବ୍ୟବହାର କରିଆସୁଛନ୍ତି। ଏଠାରେ ମୋଟ ୧୨ ଜଣ ଶିକ୍ଷକଙ୍କ ସ୍ଥାନରେ ଯଦିଓ ୧୧ ଜଣ ଅଛନ୍ତି, ତଥାପି ଜଣେ ଶିକ୍ଷକ ପଦ ଖାଲି ପଡ଼ିଛି। ସବୁଠୁ ବଡ଼ କଥା ହେଉଛି, ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ନିମନ୍ତେ ଖେଳପଡ଼ିଆଟିଏ ନାହିଁ। ବିଦ୍ୟାଳୟର ପଛପଟେ କିଛି ସରକାରୀ ଜାଗା ଜବରଦଖଲକାରୀଙ୍କ କବ୍‌ଜାରେ ରହିଛି। ଫଳରେ ଛାତ୍ରଛାତ୍ରୀ ଖେଳକୁଦରୁ ବଞ୍ଚିତ ରହୁଛନ୍ତି। ଅଧିକାଂଶ ସମୟ ବିଜୁଳି ସରବରାହ ବିଚ୍ଛିନ୍ନ ରହୁଥିବାରୁ ସ୍ମାର୍ଟ କ୍ଲାସ୍, ଆଇଟିସି ଲ୍ୟାବ୍ ଏବଂ ଇ-ଲାଇବ୍ରେରିର ଉପଯୁକ୍ତ ବ୍ୟବହାର ହୋଇପାରୁନାହିଁ। ଅନ୍ୟପଟେ, ବିଦ୍ୟାଳୟର ଶ୍ରେଣୀଗୃହ ନଥିବାରୁ ଛାତ୍ରଛାତ୍ରୀଙ୍କ ପାଠପଢ଼ା‌ରେ ବିଭ୍ରାଟ ଦେଖାଦେଉଛି ବୋଲି ବିଦ୍ୟାଳୟର ପ୍ରଧାନଶିକ୍ଷୟିତ୍ରୀ ସରୋଜିନୀ ନାୟକ କହିଛନ୍ତି। ଛାତ୍ରଛାତ୍ରୀମାନେ ବିପଦପୂର୍ଣ୍ଣ ଅର୍ଦ୍ଧନିର୍ମିତ ମୁକୁଳା ଘରେ ବସୁଛନ୍ତି। ସେହିଭଳି କୋଟଗଡ଼ ବ୍ଲକ୍‌ ସୁବର୍ଣ୍ଣଗିରି ସରକାରୀ ଉନ୍ନୀତ ଉଚ୍ଚ ବିଦ୍ୟାଳୟ (ସ୍ମାର୍ଟସ୍କୁଲ)ରେ ସ୍ମାର୍ଟ କ୍ଲାସରୁମ୍‌ ନିର୍ମାଣ ହୋଇପାରୁନି। ଏଠାରେ ଅଧିକାଂଶ ସମୟ କମ୍ପ୍ୟୁଟର୍ ଅଚଳ ହୋଇ ପଡ଼ୁଥିବାରୁ ପାଠପଢ଼ାରେ ବାଧା ଉପୁଜୁଛି। ଏଦିଗରେ ସରକାର ପଦକ୍ଷେପ ନେବା ଆବଶ୍ୟକ ବୋଲି ମତପ୍ରକାଶ ପାଇଛି