ଆଳି: ହାଇସ୍କୁଲରେ ପାଠ ପଢାଇବାକୁ ଅଛନ୍ତି ମାତ୍ର ଜଣେ ଶିକ୍ଷକ। ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଉଛନ୍ତି କ୍ରୀଡ଼ା ଶିକ୍ଷକ। ସ୍କୁଲରେ କାଗଜାତ ଓ ଅନ୍ୟାନ୍ୟ କାମ କରିବାକୁ ନାହାନ୍ତି କିରାଣି କି ପିଅନ। ଏମିତି ଦୟନୀୟ ସ୍ଥିତିରେ ଚାଲିଥିବା ଆଳି ବ୍ଲକ ଏରଡଙ୍ଗ ପଞ୍ଚାୟତ କୁସୁମୀସ୍ଥିତ ଜନକଲ୍ୟାଣ ନୋଡାଲ ହାଇସ୍କୁଲକୁ ସରକାର ସାମିଲ କରିଛନ୍ତି ‘ସ୍ମାର୍ଟ’ ସ୍କୁଲ ଯୋଜନାରେ। ଏବେ ୪୫ ଲକ୍ଷ ଟଙ୍କା ବ୍ୟୟରେ ଏଥିପାଇଁ ପରିସରରେ ଜୋରସୋରରେ କାମ ଚାଲିଛ। ଏପଟେ ଶିକ୍ଷକ ଅଭାବରୁ ପାଠପଢା ହୋଇପାରୁନାହିଁ। ଜଣେ ପରେ ଜଣେ ଶିକ୍ଷକ, କିରାଣୀ ପିଅନଙ୍କ ଅବସର ଓ ବଦଳି ପରେ ସୃଷ୍ଟି ହୋଇଛି ଏମିତି ଅବସ୍ଥା। କ୍ରୀଡ଼ା ଶିକ୍ଷୟିତ୍ରୀ ସୋନାଲିକା ବିଶ୍ବାଳ ପ୍ରଧାନଶିକ୍ଷକ ଦାୟିତ୍ୱ ତୁଲାଉଥିବା ବେଳେ ଦୁଇମାସ ପରେ ଅବସର ନେବାକୁ ଥିବା ଜଣେ ମାତ୍ର ଶିକ୍ଷୟିତ୍ରୀ ବିଷ୍ଣୁପ୍ରିୟା ପୃଷ୍ଟି ପିଲାଙ୍କୁ ପଢାଉଛନ୍ତି। ଦୁଇମାସ ପରେ ବିଷ୍ଣୁପ୍ରିୟାଙ୍କ ଅବସର ପରେ ସ୍କୁଲ ଶିକ୍ଷକ ଶୂନ୍ୟ ହୋଇ ଯିବା ଆଶଙ୍କା ସୃଷ୍ଟି ହୋଇଛି।
କୋଭିଡ କଟକଣା ଯୋଗୁଁ ଦୁଇବର୍ଷ ହେଲା ପାଠପଢା ବନ୍ଦ ପରେ ଏବେ ସ୍କୁଲ ଆସି ଛାତ୍ରଛାତ୍ରୀ ପାଠ ପଢି ପାରୁନଥିବାରୁ ଅଭିଭାବକଙ୍କ ମଧ୍ୟରେ ତୀବ୍ର ଅସନ୍ତୋଷ ପ୍ରକାଶ ପାଉଛି। ‘ସ୍ମାର୍ଟ’ ସ୍କୁଲ ଯୋଜନାରେ ୪୫ ଲକ୍ଷ ଟଙ୍କା ବ୍ୟୟରେ ଡିଜିଟାଲ ଶ୍ରେଣୀଗୃହ, ଲାଇବ୍ରେରି, ଶୌଚାଳୟଠୁ ଆରମ୍ଭ କରି ସବୁ କିଛି ନିର୍ମିତ ହେଉଥିବା ବେଳେ ସରକାର ଶିକ୍ଷକ ଅଭାବ ସମସ୍ୟା ଦୂରୀକରଣ ପାଇଁ ପଦକ୍ଷେପ ନ ନେବା ବିଡମ୍ବନାର ବିଷୟ ବୋଲି ଅଭିଭାବକମାନେ କହିଛନ୍ତି। ତୁରନ୍ତ ଶିକ୍ଷକ ଓ ଅନ୍ୟାନ୍ୟ ପଦବି ପୂରଣ କରା ନ ଗଲେ ଏଥିପାଇଁ ଆମେ ରାଜରାସ୍ତାକୁ ଓହ୍ଲାଇ ଆନ୍ଦୋଳନ କରିବୁ ବୋଲି ଚେତାବନୀ ଦେଇଛନ୍ତି ସରପଞ୍ଚ ପୁରୁଷୋତ୍ତମ ପଲାଇଙ୍କ ସମେତ ଅନିରୁଦ୍ଧ ଦାସ, ମନ୍ମଥ ପଲାଇ, ବୀରେନ ଦାସ, ଦିଲ୍ଲିପ ମଲିକ ଓ ପ୍ରଫୁଲ୍ଲ ସେଠୀ ପ୍ରମୁଖ ଅଭିଭାବକ।