ସ୍ମାର୍ଟ ହାଇସ୍କୁଲ୍‌ର ଅସଲ ଚିତ୍ର, ୪ରେ ମୁଖିଆ ନାହାନ୍ତି; ୮୨ପଦବି ଖାଲି

କେନ୍ଦ୍ରାପଡ଼ା: ଚାରି ହାଇସ୍କୁଲ୍‌ରେ ପ୍ରଧାନଶିକ୍ଷକ ନାହାନ୍ତି। ହିନ୍ଦୀ, ସ˚ସ୍କୃତ ଶିକ୍ଷକଙ୍କ କଥା ନ କହିବା ଭଲ। ଅଧିକା˚ଶ ସ୍କୁଲ୍‌ରେ ଏହି ଦୁଇ ଗୁରୁତ୍ବପୂର୍ଣ୍ଣ ଶିକ୍ଷକ ପଦବି ଖାଲି ପଡ଼ିଛି। ଖେଳ ଶିକ୍ଷକଙ୍କ ଅବସ୍ଥା ବି ସେୟା। ଅଧାରୁ ଅଧିକ ହାଇସ୍କୁଲ୍‌ରେ ଖେଳ ଶିକ୍ଷକ ନାହାନ୍ତି। ତଥାପି, ଏ ସବୁ ହାଇସ୍କୁଲ୍‌ ଏବେ ସ୍ମାର୍ଟ। ରାଜ୍ୟ ସରକାରଙ୍କ ଫୋକସ୍‌ ତାଲିକାରେ ସ୍ଥାନ ପାଇବା ପରେ ସ୍କୁଲ୍‌ଗୁଡ଼ିକର ଚେହେରା ପୂରା ବଦଳି ଯାଇଛି। ରୂପାନ୍ତରିତ ହୋଇଥିବା ଏହି ୩୦ ହାଇସ୍କୁଲ୍‌ରେ ପାଠ ପଢ଼ାଇବାକୁ ଆବଶ୍ୟକ ସ˚ଖ୍ୟକ ଶିକ୍ଷକ ନାହାନ୍ତି ସିନା, ଭିତ୍ତିଭୂମିରେ କିନ୍ତୁ ଏତେ ବିକଶିତ ଯେ ଘରୋଇ ସ୍କୁଲ୍‌ଠାରୁ ବି କୌଣସି ଗୁଣରେ ଆଉ କମ୍‌ ହୋଇ ରହି ନାହିଁ। ହେଲେ ଏତେ ସବୁ ଚାକଚକ୍ୟ, ଅତ୍ୟାଧୁନିକ ସୁବିଧା ସତ୍ତ୍ବେ ଯଦି ଏସବୁ ମଣିଷ ତିଆରି କାରଖାନାରେ ପିଲାଙ୍କୁ ଗଢ଼ିବା ପାଇଁ ଶିକ୍ଷକ ରହିବେ ନାହିଁ, ଶିକ୍ଷାଦାନ ପ୍ରଭାବୀ ଢଙ୍ଗରେ ହେବ ନାହିଁ; ତା’ହେଲେ କୋଟି କୋଟି ଟଙ୍କା ବ୍ୟୟରେ ସ୍କୁଲ୍‌ଗୁଡ଼ିକୁ ନୂଆ ରୂପ ଦିଆଯିବା ପଛର ମୂଳ ଉଦ୍ଦେଶ୍ୟ ତଥା ଆଭିମୁଖ୍ୟକୁ ନେଇ ପ୍ରଶ୍ନ ଉଠିବା ସ୍ବାଭାବିକ। ଏ କଥା ଏଇଥିପାଇଁ ଉଠୁଛି ଯେ ପାଖାପାଖି ୧୫କୋଟି ବ୍ୟୟରେ ୫-ଟି ରୂପାନ୍ତରିତ କାର୍ଯ୍ୟକ୍ରମ ଅଧୀନରେ ଜିଲ୍ଲାର ଯେଉଁ ୩୦ଟି ହାଇସ୍କୁଲ୍‌କୁ ସ୍ମାର୍ଟ କରାଯାଇଛି, ସେସବୁ ସ୍କୁଲ୍‌ରେ ଆବଶ୍ୟକ ସ˚ଖ୍ୟକ ଶିକ୍ଷକ ନାହାନ୍ତି। ପ୍ରଧାନଶିକ୍ଷକ ପଦବି ବି ଖାଲି ପଡ଼ିଛି। ଚାରିଟି ହାଇସ୍କୁଲ୍‌ରେ ପ୍ରଧାନଶିକ୍ଷକ ନ ଥିବା ବେଳେ ହିନ୍ଦୀ, ସ˚ସ୍କୃତ, ଖେଳ ଶିକ୍ଷକଙ୍କ ଅଭାବ ଅଧିକା˚ଶ ସ୍କୁଲ୍‌ରେ ରହିଛି। ଗଣିତ, ବିଜ୍ଞାନ ଶିକ୍ଷକ ବି ଅନେକ ସ୍କୁଲ୍‌ରେ ନାହାନ୍ତି। ଜିଲ୍ଲା ଶିକ୍ଷା ବିଭାଗର ତଥ୍ୟ କହୁଛି, ସ୍ମାର୍ଟ ରୂପ ନେଇଥିବା ୩୦ଟି ହାଇସ୍କୁଲ୍‌ରେ ସରକାରୀ ମ˚ଜୁରପ୍ରାପ୍ତ ଶିକ୍ଷକ ପଦବି ସ˚ଖ୍ୟା ହେଉଛି ୩୫୬। ବର୍ତ୍ତମାନ ଅଛନ୍ତି ୨୭୪, ଅର୍ଥାତ୍‌ ୮୨ ଶିକ୍ଷକ ପଦବି ଖାଲି ପଡ଼ିଛି।

ବଡ଼ କଥା ହେଉଛି, ମାତ୍ର ୩ଟି ହାଇସ୍କୁଲ୍‌କୁ ଛାଡ଼ି ଦେଲେ ବାକି ୨୭ରୁ ଏମିତି କୌଣସି ଗୋଟିଏ ସ୍କୁଲ୍‌ ନାହିଁ, ଯେଉଁଠି ଶତପ୍ରତିଶତ ଶିକ୍ଷକ ଅଛନ୍ତି। ମ˚ଜୁରପ୍ରାପ୍ତ ପଦବି ତୁଳନାରେ କେଉଁ ସ୍କୁଲ୍‌ରେ ୬ଟି ପଦବି ଖାଲି ପଡ଼ିଛି ତ ଆଉ କେଉଁଠି ୫ଟି ଅଥବା ୪ଟି। ଡେରାବିଶର ସୁଦର୍ଶନ ହାଇସ୍କୁଲ୍‌, କେନ୍ଦ୍ରାପଡ଼ା ହାଇସ୍କୁଲ୍‌, କେନ୍ଦ୍ରାପଡ଼ା ସରକାରୀ ବାଳିକା ବିଦ୍ୟାଳୟ ଏବ˚ ରାଜନଗର ଡାଙ୍ଗମାଳର ନାଗନାରାୟଣ ହାଇସ୍କୁଲ୍‌ରେ ପ୍ରଧାନଶିକ୍ଷକ ନାହାନ୍ତି। କାମଚଳାରେ ଏଠି ପ୍ରଧାନଶିକ୍ଷକ ଦାୟିତ୍ବ ତୁଲାଯାଉଛି। ଏ ସବୁ ଅଭାବ ଭିତରେ ଆଶ୍ବାସନାର ବିଷୟ ହେଉଛି ଯେ ମାତ୍ର ତିନିଟି ଶିକ୍ଷାନୁଷ୍ଠାନ ଡେରାବିଶ ହାଇସ୍କୁଲ୍‌, ପଟ୍ଟାମୁଣ୍ତାଇର ଜୟହିନ୍ଦ ହାଇସ୍କୁଲ୍‌, ମାର୍ଶାଘାଇର ଜନଶକ୍ତି ହାଇସ୍କୁଲ୍‌ରେ ମ˚ଜୁରପ୍ରାପ୍ତ ପଦବି ଅନୁଯାୟୀ ଶତପ୍ରତିଶତ ଶିକ୍ଷକ ଅଛନ୍ତି। ଅର୍ଥାତ୍‌ ଗୋଟେ ହେଲେ ପଦବି ଖାଲି ନାହିଁ। ଯଦିଓ ଶିକ୍ଷକ ଅଭାବ ସତ୍ତ୍ବେ ୩୦ଟି ହାଇସ୍କୁଲ୍‌କୁ ଏବେ ସ୍ମାର୍ଟ ରୂପ ଦିଆଯାଇଛି, କିନ୍ତୁ ଆସନ୍ତା ମାର୍ଚ୍ଚ ସୁଦ୍ଧା ରୂପାନ୍ତରିତ ତାଲିକାରେ ଆହୁରି ୧୦୯ଟି ସ୍କୁଲ୍‌ ଯୋଡ଼ି ହେବାର ଯୋଜନା ରହିଛି। ଏଥିନିମନ୍ତେ ୧୫ଲକ୍ଷ ଟଙ୍କା ଲେଖାଏ ଅନୁଦାନ ବି ଯୋଗାଇ ଦିଆଯାଇଥିବା ବେଳେ କାମ ଆରମ୍ଭ ହୋଇଗଲାଣି। ତେଣୁ ଭିତ୍ତିଭୂମି ସୁଦୃଢ଼ ସହିତ ଖାଲି ପଡ଼ିଥିବା ଶିକ୍ଷକ ପଦବିକୁ ଯଦି ପୂରଣ କରି ଦିଆଯାଏ, ତେବେ ବିପର୍ଯ୍ୟସ୍ତ ହୋଇପଡ଼ିଥିବା ଶିକ୍ଷା ବ୍ୟବସ୍ଥାରେ ଅନେକ ମାତ୍ରାରେ ସୁଧାର ଆସିପାରନ୍ତା ବୋଲି ସାଧାରଣରେ ମତ ପ୍ରକାଶ ପାଉଛି।

ଜିଲ୍ଳା ଶିକ୍ଷାଧିକାରୀ ସ˚ଜୀବ ସି˚ହ ବି ଶିକ୍ଷକ ପଦବି ଖୁବ୍‌ଶୀଘ୍ର ପୂରଣ ନେଇ ଆଶ୍ବାସନା ଦେଇଛନ୍ତି। ସେ କହିଛନ୍ତି ଯେ ନୂଆ ଶିକ୍ଷକ ନିଯୁକ୍ତି ପାଇଁ ସ˚ପ୍ରତି ଆବେଦନକାରୀଙ୍କ କାଗଜପତ୍ର ଯାଞ୍ଚ ଚାଲିଛି। ଏହା ଚୂଡ଼ାନ୍ତ ହେବା ପରେ ପ୍ରଥମେ ପ୍ରାଥମିକତା ଭିତ୍ତିରେ ପୋକସ୍‌ ତାଲିକାରେ ସ୍ମାର୍ଟ ହୋଇଥିବା ହାଇସ୍କୁଲ୍‌ଗୁଡ଼ିକରେ ଖାଲି ପଡ଼ିଥିବା ଶିକ୍ଷକ ପଦବି ପୂରଣ କରାଯିବ।
ଉଲ୍ଲେଖଥାଉ କି’ ଜିଲ୍ଲାରେ ସମୁଦାୟ ୩୩୭ଟି ହାଇସ୍କୁଲ୍‌ ଥିବା ବେଳେ ଟୋଲ/ମଦ୍ରାସାକୁ ମିଶାଇଲେ ଏହି ସ˚ଖ୍ୟା ୩୫୬ରେ ପହଞ୍ଚିଛି। ସେଥିରୁ ୩୦ଟି ସ୍କାର୍ଟ କରାଯାଇଥିବା ବେଳେ ଦ୍ବିତୀୟ ପର୍ଯ୍ୟାୟରେ ଆଉ ୧୦୯ ସ୍କୁଲ୍‌ ସ୍ମାର୍ଟ କରାଯିବାର ଯୋଜନା ରହିଛି।

ସମ୍ବନ୍ଧିତ ଖବର