ସ୍ମାର୍ଟ‌ ସିଟିର ସ୍ମାର୍ଟ‌ ଚୋର ; ମରାମତି ଆଳରେ ଆସି ଚୋରି

ରାଉରକେଲା: ସ୍ମାର୍ଟସିଟିର ଚୋର ଦିନକୁ ଦିନ ସ୍ମାର୍ଟ ହେବାରେ ଲାଗିଛନ୍ତି। ନୂଆ ନୂଆ ତରିକାରେ ଲୋକଙ୍କ ସମ୍ମୁଖରୁ ଚୋରି କରିନେବାରେ ଏମାନେ ବେଶ୍‌ ମାହିର୍‌। ‌ଘର ମରାମତି, ଚାନ୍ଦା ଆଦାୟ, ଆର୍ଥିକ ସହାୟତା ଆଦି ଭିନ୍ନ ଭିନ୍ନ ଆଳରେ ଠକ ଦଳ ଚୋରି କରୁଥିବା ଦେଖିବାକୁ ମିଳିଛି। ଏମାନଙ୍କ ଟାର୍ଗେଟ୍‌ରେ ରହିଛି ଖାଲି ପଡ଼ିଥିବା ଆର୍‌ଏସ୍‌ପି କ୍ବାର୍ଟର। ଦିନ ଦ୍ବିପ୍ରହରରେ ଆର୍‌ଏସ୍‌ପି ସହରସେବା ବିଭାଗ ପକ୍ଷରୁ ମରାମତି କାମରେ ଆସିଥିବା କହି ଚୋରି କରିନେଉଛନ୍ତି। ଏଭଳି ଏକ ଘଟଣା ଆଜି ସେକ୍ଟର-୨ ଏଚ୍‌, ବ୍ଲକରେ ଦେଖିବାକୁ ମିଳିଛି ।

ସେକ୍ଟର-୨, ଏଚ୍‌ ବ୍ଲକ ରାସ୍ତାକୁ ଲାଗି ରହିଛି ଉକ୍ତ କ୍ବାର୍ଟର। ଉକ୍ତ କ୍ବାର୍ଟର ତଳ ମହଲାରେ ଦୁଇଟି ପରିବାର ଓ ପଛପଟ ଲାଇନ୍‌ରେ ଗୋଟିଏ ପରିବାର ରହୁଥିବାବେଳେ ବାକି ସବୁ କ୍ବାର୍ଟର ଖାଲି ପଡ଼ିଛି। ଆଜି ପୂର୍ବାହ୍ନ ପ୍ରାୟ ୧୦ଟା। ପ୍ରଥମେ ଏକ ସ୍କୁଟିରେ ତିନି ଜଣ ଚୋର ରାସ୍ତାରେ ୨/୩ ଥର ଯିବା ଆସିବା କରି ରେକି କରିଥିଲେ। ପ୍ରାୟ ଅଧ ଘଣ୍ଟାପରେ, ଅର୍ଥାତ୍‌ ସାଢ଼େ ୧୦ଟାରେ ‌ଚୋର ଦଳ ରାସ୍ତା ଉପରେ ଗାଡ଼ି ରଖି ଉକ୍ତ କ୍ବାର୍ଟର ପଛପଟକୁ ଆସିଥିଲେ। ଏତିକିବେଳେ ପଛ କ୍ବାର୍ଟରରେ ରହୁଥିବା ପରିବାରର ଜଣେ ସଦସ୍ୟ ଚୋର ଦଳଙ୍କୁ ଦେଖି କୁଆଡ଼େ ଆସିଥିବା ପଚାରିଥିଲେ। ଚୋର ଦଳ ଆର୍‌ଏସ୍‌ପି ପକ୍ଷରୁ କାଠ କାମ ଓ ରକ୍ଷଣାବେକ୍ଷଣ ତଦାରଖ କରିବାକୁ ଆସିଥିବା ଉତ୍ତର ରଖିଥିଲେ। ସରକାରୀ କାମରେ ଆସିଥିବା ଭାବି ସେ ନିଜ ଘରୋଇ କାମରେ ବ୍ୟସ୍ତ ରହିଥିଲେ। ପ୍ରାୟ ଅଧଘଣ୍ଟାଧରି ଦୁର୍ବୃତ୍ତମାନେ ସେଠାରେ ତଦାରଖ କରିବାର ଆଳ କରିଥିଲେ। ପରେ ପ୍ରାୟ ୧୦/୧୫ ଫୁଟ ଲମ୍ବର ଲୁହା ପାଇପ୍‌ ଟାଣି ଖୋଲି ଦେଇଥିଲେ। ପାଖାପାଖି ୪୦ କେଜି ଓଜନର ଲୁହା ପାଇପ୍‌ ତଳେ ପଡ଼ି ଶବ୍ଦ ସୃଷ୍ଟି କରିଥିଲା। ଏହି ଶବ୍ଦ ଶୁଣି ପଡ଼ୋଶୀ ଜଣକ ଘରୁ ବାହାରି ଆସିବାରୁ ଦୁର୍ବୃର୍ତ୍ତମାନେ ପୁନର୍ବାର ତଦାରଖ କରିବା ବାହାନା କରିଥିଲେ। ତେବେ ପାଣି ପାଇପ୍‌ ପଡ଼ିଥିବା ଦେଖି ପଡ଼ୋଶୀ ଜଣକ ପଚାରିବାରୁ ସେମାନେ, ପାଣି ପାଇପ୍‌ ଅଚଳ ହୋଇଯାଇଥିବାରୁ ପରିବର୍ତ୍ତନ ପାଇଁ ଖୋଲାଯାଇଥିବା କହିଥିଲେ। ଏହାର କିଛି ସମୟରେ ଦୁର୍ବୃର୍ତ୍ତମାନେ ଘଟଣାସ୍ଥଳରୁ ବାହାରି ଯାଇଥିଲେ। ପ୍ରାୟ ଅଧଘଣ୍ଟାପରେ ପୁଣି ତିନି ଦୁର୍ବୃର୍ତ୍ତ ଉକ୍ତ ଲୁହା ପାଇପ୍‌କୁ ନେବାକୁ ପହଞ୍ଚିଥିଲେ। ତେବେ ସେତେବେଳେକୁ ସେମାନଙ୍କର ଗତିବିଧି ସନ୍ଦେହ ସୃଷ୍ଟି କରିସାରିଥିବାରୁ ପଡ଼ୋଶୀ ଘର ସମ୍ମୁଖରେ ଜଗି ରହିଥିଲେ। ପ୍ରାୟ ୪/୫ ଥର ଦୁର୍ବୃର୍ତ୍ତମାନେ ଉକ୍ତ କ୍ବାର୍ଟରର ଚକ୍କର କାଟିଥିଲେ; କିନ୍ତୁ ସ୍ଥାନୀୟ ଲୋକଙ୍କ ଉପସ୍ଥିତି ଯୋଗୁଁ ଚୋରି କରିବାରେ ସଫଳ ହୋଇପାରିନଥିଲେ। କିଛି ସମୟରେ ଆର୍‌ଏସ୍‌ପି ସହରସେବା ବିଭାଗ କର୍ତୃପକ୍ଷଙ୍କୁ ଖୋଲାଯାଇଥିବା ଲୁହା ପାଇପ୍‌କୁ ହସ୍ତାନ୍ତର କରାଯାଇଥିଲା।
ଏହି ଘଟଣା କେବଳ ଦିନକର ନୁହେଁ; ବରଂ ନିତିଦିନିଆ ହୋଇସାରିଲାଣି। ଆର୍‌ଏସ୍‌ପି ପକ୍ଷରୁ ମରାମତି/ପାଣି ପାଇପ୍‌ ଯାଞ୍ଚ୍‌, ସେଫ୍ଟି ଟ୍ୟାଙ୍କି ତଦାରଖ, ରଙ୍ଗ କାମ ଆଦି ଭିନ୍ନ ଭିନ୍ନ ଆଳ କରି ପ୍ରଥମେ କ୍ବାର୍ଟର ପାଖରେ ପହଞ୍ଚି ରେକି କରୁଛନ୍ତି। ଏମିତିକି ସମ୍ପର୍କୀୟ ହସପିଟାଲରେ ଚିକିତ୍ସାଧୀନ ଥିବାରୁ ଆର୍ଥିକ ସହାୟତା, କପଡ଼ା ବିକ୍ରି ଆଦି ଆଳ କରି କ୍ବାର୍ଟର ପରିସର ଭିତରକୁ ଆସୁଛନ୍ତି। ଦୈବାତ୍‌ କ୍ବାର୍ଟରରେ ରହୁଥିବା ଲୋକ ଅବଗତ ହୋଇଯାଉଛନ୍ତି, ତା’ହେଲେ ବାହାନା କରି ପଛଘୁଞ୍ଚା ଦେଉଛନ୍ତି। କେବଳ ଇସ୍ପାତ ସହରାଞ୍ଚଳ ନୁହେଁ, ରାଉରକେଲା ମହାନଗର ନିଗମ ଅଞ୍ଚଳରେ ମଧ୍ୟ ଏଭଳି ଆଳ କରି ଚୋରି, ଛିନ୍‌ତାଇ ବଢ଼ିବାରେ ଲାଗିଛି। ଗତ ୪ ତାରିଖ ଦିନ ପ୍ରାୟ ୧୨ଟାରେ ଏଭଳି ଏକ ଘଟଣା ଘଟିଥିଲା। ପାୱାର ହାଉସ୍‌ରୋଡ୍‌ ସ୍ଥିତ ବଙ୍ଗାଳି ପଡ଼ାରେ ପିତ୍ତଳ ସାମଗ୍ରୀ ସଫେଇ ଆଳରେ ଜଣେ ବୟୋଜ୍ୟେଷ୍ଠା ମହିଳାଙ୍କ ବହୁମୂଲ୍ୟ ସୁନାଗହଣା ଲୁଟି ନେଇଥିଲେ।

ସମ୍ବନ୍ଧିତ ଖବର