କରୋନା କାଳରେ ଆପଣା କଲେ ପର, ୫୬ ଜଣଙ୍କ ଅସ୍ଥି ବିସର୍ଜନ କରିବେ ଶ୍ମଶାନବନ୍ଧୁ

ସୁନ୍ଦରଗଡ଼: କରୋନା ମଣିଷର କେବଳ ଜୀବନ ନେଇନି, ମାରିଛି ମାନବିକତା। ଛିଣ୍ଡାଇ ଦେଇଛି ରକ୍ତ ସମ୍ପର୍କର ଶକ୍ତ ଡୋରି। ଅଣଲେଉଟା ଯାତ୍ରାରେ ଯାଉଥିବା ଆତ୍ମୀୟକୁ ଶେଷ ବିଦାୟ ଦେବାକୁ ଭୁଲି ଯାଇଛନ୍ତି ପ୍ରିୟ ପରିଜନ। କରୋନାର ଦ୍ବିତୀୟ ଲହରରେ ସୁନ୍ଦରଗଡ଼ ରାଣୀବଗିଚାସ୍ଥିତ ସ୍ବର୍ଗଦ୍ବାରରେ ଦେଖିବାକୁ ମିଳିଥିଲା ସମ୍ପର୍କ ଓ ମାନବୀୟ ସଂକଟର ଏମିତି କିଛି ଛାତିଥରା ଘଟଣା। ସଂକ୍ରମଣ ଭୟରେ ପରିବାର ଲୋକେ ଯେ, ଶବକୁ ହସ୍ପିଟାଲ କି ଶ୍ମଶାନରେ ଛାଡ଼ି ପଳାଇ ଯାଇଛନ୍ତି ତାହା ନୁହେଁ, ହିନ୍ଦୁ ବିଶ୍ବାସର ପ୍ରଥା ଅସ୍ଥି ବିସର୍ଜନ କରିବାକୁ ବି ଭୁଲି ଯାଇଛନ୍ତି। ଏମିତିରେ ସୁନ୍ଦରଗଡ଼ ସ୍ବର୍ଗଦ୍ବାରରେ ୫୬ ଜଣଙ୍କ ଅସ୍ଥି କଳସ ଆତ୍ମୀୟ ପରିଜନଙ୍କ ଅପେକ୍ଷାରେ ରହିଛି।

କ୍ରମାନ୍ବୟରେ ମୋବାଇଲ୍ ଫୋନ ନମ୍ବର ଓ ନାଁ ସହିତ ମାଟି କଳସରେ ମୃତକଙ୍କ ଅସ୍ଥିକୁ ସମ୍ମାନର ସହ ରଖାଯାଇଛି।  ବାରମ୍ବାର ଫୋନ କରିବା ସତ୍ତ୍ବେ ପରିବାରର  କେହି ଅସ୍ଥି ନେବାକୁ ଆଗ୍ରହ ପ୍ରକାଶ କରୁ ନାହାନ୍ତି। ଆଉ ଏସ୍ଥିତିରେ କୋଭିଡ୍ ମୃତକଙ୍କ ଶବ ସତ୍କାର କରି ମାନବିକତା ଦେଖାଇଥିବା ଚାରି ଶ୍ମଶାନବନ୍ଧୁ  ସେ ୫୬ ଜଣଙ୍କ ସମୂହ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ  କରିବାକୁ ନିଷ୍ପତ୍ତି ନେଇଛନ୍ତି। ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ୯୦ ଦିନ ସଂରକ୍ଷିତ ରଖିବା ପରେ ବିସର୍ଜନ ପ୍ରକ୍ରିୟା ଆରମ୍ଭ କରିବେ ଶ୍ମଶାନବନ୍ଧୁ। ମାନବିକତା, ସମ୍ପର୍କ ଓ ବିଶ୍ବାସର ସଂକଟ ବେଳାରେ ଶ୍ମଶାନବନ୍ଧୁଙ୍କ ଏ ମହନୀୟ କାର୍ଯ୍ୟ ସମାଜ ପାଇଁ ବଡ଼  ଆଶ୍ବାସନା ପାଲଟିଛି।  ଏହା ମଧ୍ୟରେ କରୋନାର ଦୁଇଟି ଲହରରେ ଏଯାବତ ସୁନ୍ଦରଗଡ଼ ସ୍ବର୍ଗଦ୍ବାରରେ ୩୦୩ ଶବ ସତ୍କାର କରାଯାଇଛି। ପ୍ରଥମ ଲହରରେ ୭୮ କୋଭିଡ୍ ମୃତକଙ୍କ ଶବ ସତ୍କାର କରିଥିବା ଶ୍ମଶାନବନ୍ଧୁ ଦ୍ବିତୀୟ ଲହରର ୪୫ ଦିନ ମଧ୍ୟରେ  ୨୨୫ ଶବର ଦାହ ସଂସ୍କାର କରିଛନ୍ତି। ଖରା ହେଉ କି ବର୍ଷା ଏହି ୪୫ ଦିନରେ ସ୍ବର୍ଗଦ୍ବାରରେ ଜୁଇ ଆଉ ଲିଭି ନାହିଁ।

ଏକ ଘଟଣାକ୍ରମ ସେମାନଙ୍କୁ କୋଭିଡ୍ ମୃତକଙ୍କ ଶବ ସତ୍କାର ପାଇଁ ସ୍ବର୍ଗଦ୍ବାରକୁ ଟାଣି ଆଣିଥିଲା।  ଗତବର୍ଷ କୋଭିଡ ଆରମ୍ଭ ସମୟରେ ଏକ ଶବ ଦୀର୍ଘ ଆଠ ଘଣ୍ଟା ଧରି ରାଣୀବଗିଚାସ୍ଥିତ ସ୍ବର୍ଗଦ୍ବାରରେ ପଡ଼ି ରହିଥିଲା।  ଶବ ସତ୍କାର ପାଇଁ ମ୍ରିୟମାଣ ହୋଇ ଅପେକ୍ଷା କରିଥିଲେ ପୁଅ। ସଂକ୍ରମଣ ଭୟରେ ନା ପାଖ ପଡୋଶୀ ନା ବନ୍ଧୁ ପରିଜନ କେହି ସାଥ୍ ଦେଇ ନଥିଲେ। ଦାହ ସଂସ୍କାର କିପରି ହେବ, ତାକୁ ନେଇ ପ୍ରଶାସନିକ ଅଧିକାରୀ ମଧ୍ୟ  ନୟାନ୍ତ ହୋଇ ପଡ଼ିଥିଲେ। ଏହି ସମୟରେ ପ୍ରଶାସନକୁ ମନେ ପଡ଼ିଥିଲା ଶ୍ମଶାନବନ୍ଧୁ ସିଦ୍ଧାନ୍ତ କୁମାର ପଣ୍ଡା, ମନୋଜ କୁମାର ତ୍ରିପାଠୀ ଓ  ଶିଶିର କୁମାର ବେହେରାଙ୍କ  କଥା। ଯେଉଁମାନେ ସ୍ବେଚ୍ଛାକୃତ ଭାବେ ଅଜଣା, ଅଚିହ୍ନା ଓ ଆଲୋଡ଼ା ଶବର ଦାହ ସଂସ୍କାର କରି ଆସୁଥିଲେ।

ଉପଜିଲ୍ଲାପାଳ ଅଭିମନ୍ୟୁ ବେହେରା ଓ ପୌର ନିର୍ବାହୀ ଅଧିକାରୀଙ୍କ ଫୋନ୍ କଲ୍  ପାଇ ଶ୍ମଶାନବନ୍ଧୁ ପହଞ୍ଚି ଯାଇଥିଲେ ସ୍ବର୍ଗଦ୍ବାରକୁ।  ଆହ୍ବାନକୁ ଗ୍ରହଣ କରି କୋଭିଡ୍ ମୃତକଙ୍କ ଶବର ଶେଷକୃତ୍ୟ ସମ୍ପନ୍ନ କରିଥିଲେ। ସେ ଦିନ ଠାରୁ ସେମାନେ ଆଉ ପଛକୁ ଫେରି ନାହାନ୍ତି। ଦ୍ବିତୀୟ ଲହରରେ ତିନି ଶ୍ମଶାନବନ୍ଧୁଙ୍କ ସହ ଯୋଡ଼ି ହୋଇଛନ୍ତି ଆଉ ଜଣେ ସମାଜସେବୀ  କମଳେଶ ନଥାନୀ। କରୋନା ମୁଣ୍ଡ ପରେ ମୁଣ୍ଡ ନେଇ ଚାଲିଛି। ଆଉ ଦିନ ହେଉ ବା ରାତି ସତ୍କାର ପାଇଁ ବିନା ଦ୍ବିଧାରେ ଆଗେଇ ଆସିଛନ୍ତି ମାନବିକତାର ଏହି ଚାରି ଚରିତ୍ର।

ସମ୍ବନ୍ଧିତ ଖବର