ଆଉ କେତେ ବିଳମ୍ବ ଏସଏମସି ନିର୍ବାଚନ? ମହାନଗର ପରିଚାଳନା ସମିତି ଗଠନ ପାଇଁ ଦାବି

ସମ୍ବଲପୁର: ବର୍ଷ ୨୦୦୮ ମସିହା ସେପ୍ଟେଟର ୧୯ ତାରିଖରେ ସମ୍ବଲପୁର ପୌର ପରିଷଦ ପାଇଁ ଅନ୍ତିମ ନିର୍ବାଚନ ହୋଇଥିଲା। ୨୦୧୩ ମସିହା ପରଠାରୁ ଏହାର କାର୍ଯ୍ୟକାଳ ଶେଷ ହୋଇଥିଲା। ୨୦୧୪ ମସିହାରେ ସମ୍ବଲପୁର, ବୁର୍ଲା, ହୀରାକୁଦ ଓ ୧୪ଟି ପଞ୍ଚାୟତକୁ ନେଇ ମହାନଗର ଗଠନ ହୋଇଥିଲା। ଇତି ମଧ୍ୟରେ ମହାନଗର ଗଠନକୁ ୫ ବର୍ଷ ବିତି ଯାଇଥିବା ସତ୍ତ୍ୱେ ଅଦ୍ୟାବଧି ଏହାର ନିର୍ବାଚନ ହୋଇପାରିନାହିଁ।

ମହାନଗର ନିଗମରେ କୌଣସି ନିର୍ବାଚିତ ପ୍ରତିନିଧି ନଥିବାରୁ ଲୋକଙ୍କର ସମସ୍ୟାର ଠିକ୍‌ରେ ସମାଧାନ ହୋଇପାରୁନାହିଁ। କେବଳ ଏହା ନୁହେଁ ବରଂ ମହାନଗର ନିଗମର ଲୋକେ ସେମାନଙ୍କର ମତଦାନ କରିବାର ଅଧିକାରରୁ ମଧ୍ୟ ବଞ୍ଚିତ ହୋଇଛନ୍ତି। ବୁଧବାର ଗୃହ ନିର୍ମାଣ ଓ ନଗର ଉନ୍ନୟନ ସଚିବଙ୍କ ସମ୍ବଲପୁର ଗସ୍ତ ସମୟରେ ମହାନଗର ନିର୍ବାଚନ ନେଇ କୌଣସି ବଡ଼ ଘୋଷଣା ହେବା ନେଇ ଚର୍ଚ୍ଚା ହେଉଥିଲା କିନ୍ତୁ ସଚିବ ବି ଏନେଇ ପଦୁଟିଏ କହି ନାହାନ୍ତି। ତେଣୁ ଅବିଳମ୍ବେ ସମ୍ବଲପୁର ମହାନଗର ନିର୍ବାଚନ ଘୋଷଣା କରିବାକୁ ସମ୍ବଲପୁର ବିଚାର ମଞ୍ଚ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି।

ନିର୍ବାଚନ ଘୋଷଣା ନହେବା ଯାଏଁ ମହାନଗରବାସୀଙ୍କୁ ଉପଯୁକ୍ତ ସୁବିଧା ସୁଯୋଗ ଯୋଗାଇଦେବାକୁ ବୁଦ୍ଧିଜୀବୀ, ଶିକ୍ଷାବିତ୍‌, ସମାଜସେବୀ ଓ ସାମାଜିକ କର୍ମୀଙ୍କୁ ନେଇ ଏକ ପରିଚାଳନା ସମିତି ଗଠନ କରିବାକୁ ମଞ୍ଚ ପକ୍ଷରୁ ଦାବି କରାଯାଇଛି। ଦାବିପତ୍ର ପ୍ରଦାନ ସମୟରେ ମଞ୍ଚ ପକ୍ଷରୁ ବେଣୁଧର ଦାଶ, ଅମୂଲ୍ୟ ମିଶ୍ର, ବୀରେନ୍ଦ୍ର ରାୟ, ସଂଜୟ ବର୍ମା, ବିଭୂତି ମିଶ୍ର, ସୌରଭ ମହାପାତ୍ର, ବଳରାମ ଛାବରିଆ, ଅରୁଣ ଦାଶ, ଅନ୍ନପୂର୍ଣ୍ଣା ବାରିକ, ମମତା ପଣ୍ଡା, ଅରକ୍ଷିତ ମହାନନ୍ଦ, ଅରୁଣ ରାଉତ, ଏମଡି ସୟଦ, ଜଗନ୍ନାଥ ଆଚାର୍ଯ୍ୟ, ସୁବାସ ମିଶ୍ର, ଆଶିଷ କୁଅଁର, ଶାଶ୍ୱତ ପଣ୍ଡା, ମୁକେଶ ଜରିୱାଲ, ଶ୍ରୀକାନ୍ତ ମହାପାତ୍ର, ସଂଜିବ ଦାଶ, ଶିବ ମେହେର, ସନ୍ତୋଷ ଦେହେରି, ଦିଲ୍ଲୀପ ମିଶ୍ର, ନିହାର ହୋତା ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର