ମାଲକାନଗିରି ଜିଲ୍ଲାସାରା ଧୂଆଁ, ଆଖି ଜ୍ବାଳାରେ ଲୋକେ ହନ୍ତସନ୍ତ

ମାଲକାନଗିରି: ମାଲକାନଗିରି ଜିଲ୍ଲା ସାରା ଆଜି ଧୂଆଁ ଦେଖାଯାଇଛି। ସକାଳରୁ ହିଁ କୁହୁଡି ଭଳି ଧୂଆଁ ଦେଖିବାକୁ ମିଳିଥିଲା। ଦୂର ପାହାଡ କିମ୍ବା ଦୂର ଜିନିଷ ଦେଖାଯାଉନଥିଲା। ତେବେ ଏହା କୁହୁଡି ନଥିଲା। ଜଂଗଲରେ ଲୋକେ ପୋଡୁ ଚାଷ ପାଇଁ ନିଆଁ ଲଗାଇ ଦେଉଥିବାରୁ ଜିଲ୍ଲା ସାରା ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଚାରିଆଡେ ଧୂଆଁ ହୋଇଯାଇଥିବାରୁ ଲୋକଙ୍କ ଆଖି ପୋଡିବାରେ ଲାଗିଲା। ଲୋକେ ହନ୍ତସନ୍ତ ହୋଇଯାଇଥିଲେ। ଘରୁ ପଦାକୁ ବାହାରିବା ମୁସକିଲ ହୋଇଯାଇଥିଲା। ବାହାରେ ବୁଲୁଥିବା ଲୋକେ ଏହା କଣ ବୋଲି ଆଲୋଚନା କରୁଥିଲେ।

ତେବେ ଏନେଇ ଡିଏଫ୍ଓ‌ ପ୍ରଦୀପ ମିରାସେଙ୍କୁ ପଚାରିବାରୁ ସେ ଜିଲ୍ଲାର ବିଭିନ୍ନ ବ୍ଲକରେ ଲୋକେ ପୋଡୁ ଚାଷ ପାଇଁ ନିଆଁ ଲଗାଇ ଦେଇଥିବାରୁ ଏହାର ପ୍ରଭାବରେ ହୁଏତ ଏଭଳି ହୋଇଛି ବୋଲି କହିଥିଲେ। ତେବେ କେବଳ ମାଲକାନଗିରି ସହର ନୁହେଁ, ବରଂ କୋରକୋଣ୍ଡା, କାଲିମେଳା, ଚିତ୍ରକୋଣ୍ଡା, ମାଥିଲି ଭଳି ଅଂଚଳରେ ଏହାର ପ୍ରଭାବ ଦେଖିବାକୁ ମିଳିଥିଲା। ଲୋକେ ପିଲାମାନଙ୍କୁ ବାହାରକୁ ଛାଡିନଥିଲେ। ଗୋଟିଏ ପଟେ ଅସହ୍ୟ ଗରମ ଲାଗି ଜୀବନ ଅସ୍ତବ୍ୟସ୍ତ ହୋଇପଡୁଥିବା ବେଳେ ଧୂଆଁ ଯୋଗୁଁ ଲୋକଙ୍କୁ ଅତିଷ୍ଠ କରିପକାଇଥିଲା। ତେବେ ଦିନ ତମାମ ଏହା ପବନରେ ଏକ ଅସ୍ତରଣ ହୋଇ ରହିଯାଇଥିଲା।

ସମ୍ବନ୍ଧିତ ଖବର