ସବୁ ଜାଣି ମୋତେ ଭଲ ପାଇ ବାହା ହେଲ, ଗ୍ରହଣ କରିବନି, ଏଇଟା କେଉଁ ଆଇନ୍‌ରେ ଲେଖା ହୋଇଛି?

ଏସଡିପିଓଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଲେ ସ୍ମୃତି

ଭଦ୍ରକ:  ଏସଡିପିଓଙ୍କ ପ୍ରତିଶ୍ରୁତି ପରେ ଧାରଣାରୁ ଓହରିଛନ୍ତି ସ୍ମୃତି। ସ୍ତ୍ରୀର ମାନ୍ୟତା ଦାବିରେ ସ୍ମୃତିଙ୍କ ଅନଶନର ୩ୟ ଦିନ ପରେ ପୁଲିସର ପ୍ରତିଶ୍ରୁତି ମିଳିଥିଲା। ଶୀତ କାକରରେ ସ୍ୱମୀଙ୍କ ଦୂଆରେ ବସି ରହି ନ୍ୟାୟ ମାଗିଥିଲେ। ଦଳିତ ପରିବାରରେ ଜନ୍ମ ହେବା କ’ଣ ଭୁଲ। ସବୁ ଜାଣିବା ପରେ ମୋତେ ଭଲ ପାଇଲ ଆଉ ବାହା ବି ହେଲ, ହେଲେ ଏବେ ତମ ପରିବାର ଲୋକେ ଜାତିଆଣ ମନୋଭାବ ପୋଷଣ କଲେ ବୋଲି ମୋତେ ଗ୍ରହଣ କରିବନି ଏଇଟା କେଉଁ ଆଇନ୍‌ରେ ଲେଖା ହୋଇଛି ବୋଲି ସ୍ମତି ନିଜ ସ୍ୱାମୀଙ୍କ ଉଦ୍ଦେଶ୍ୟରେ ପ୍ରଶ୍ନ କରିଛନ୍ତି ।
ତିନିଦିନ ଧରି ଶଙ୍ଖିଡା ଗାଁରେ ସ୍ମୃତିଙ୍କ ଏପରି ଧାରଣା ସମସ୍ତଙ୍କୁ ଚକିତ କରିଛି। ଦିର୍ଘ ୪ ବର୍ଷର ଅନାବିଳ ପ୍ରେମ ପରେ ବିବାହ ଏବଂ ସେବେଠାରୁ ଏକାଠି ହୋଇ ରହିବା ପରେ ଯଦି ସ୍ଵାମୀ ପ୍ରଭାସ ରଥ ଧୋକ୍କା ଦେଇ ପାରୁଛି, ତେବେ କ’ଣ ପାଇଁ ସେ ଏପରି ଲଢେଇ କରିବେ ନାହିଁ ବୋଲି ପ୍ରଶ୍ନ କରିଛନ୍ତି ସ୍ମୃତି । ଅଦାଲତଙ୍କ ନିର୍ଦ୍ଦେଶକ୍ରମେ ତିହିଡି ପୋଲିସ କେବଳ ମାମଲା ରୁଜୁ କରି ହାତବାନ୍ଧି ବସିଥିବା ବେଳେ ନ୍ୟାୟ ପାଇଁ ସ୍ମୃତି  ଧାରଣା ଦେଇଥିଲେ। ଧାରଣାରେ ଯଦି ତାଙ୍କର ଅଥବା ତାଙ୍କ ପରିବାର ଲୋକଙ୍କର କିଛି କ୍ଷତି ହୁଏ ଏନେଇ ପୋଲିସ ପ୍ରଶାସନ ଦାୟୀ ରହିବ ବୋଲି ସ୍ମୃତି  ଚେତାବନି ଦେଇଥିଲା । ସ୍ୱାମୀ ପ୍ରଭାସ ଘରକୁ ଆସନ୍ତୁ ଅଥବା ଲୁଚିକି ରୁହନ୍ତୁ ତାଙ୍କର କୌଣସି ଯାଆସ ନାହିଁ । ସ୍ତ୍ରୀ ମାନ୍ୟତା ଲାଗି ସେ ପ୍ରଭାସଙ୍କ ଘର ଭିତରେ ଯେମିତି ରହିବେ ସେନେଇ ଉଦ୍ୟମ ଜାରି ରଖିଛନ୍ତି ସ୍ମୃତି।
ଭଦ୍ରକ ଜିଲ୍ଲା ତିହିଡି ଥାନା ଭାଟପଡା ପଞ୍ଚାୟତ ଅଧିନ ଶଙ୍ଖିଡା ଗାଁର ପଞ୍ଚାନନ ରଥଙ୍କ ପୁଅ ପ୍ରଭାସ ରଥ ଧୁଷୁରୀ ଥାନା ଖଡିମାହାରା ଗାଁର ଧନେଶ୍ୱର ଦାସଙ୍କ ଝିଅ ସ୍ମୃତି ଦାସଙ୍କ ସହିତ ୨୦୧୬ ମସିହାରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ୨୦୧୯ ମସିହାରେ ଉଭୟ ଘରଛାଡି  ଭୁବନେଶ୍ୱର ଚାଲିଯାଇଥିଲେ । ୨୦୨୦ ମସିହା ନଭେମ୍ବର ମାସରେ ବିବାହ ପରେ  ହାଇଦ୍ରାବାଦରେ ରହୁଥିଲେ । ୨୦୨୧ ମସିହା ଡିସେମ୍ବର ମାସରେ ଉଭୟ ଖଡିମାହାରା ଆସିଥିଲେ । ସେଠାରେ କିଛିଦିନ ରହିବା ପରେ ପ୍ରଭାସ ନିଜ ଘରକୁ ଆସି ଆଉ ସ୍ମୃତିଙ୍କ ସହ ଯୋଗାଯୋଗରେ ନଥିଲା ।
ଗତ ତା ୨୫.୦୪.୨୨ ରିଖରେ ଶଙ୍ଖିଡା ଯାଇଥିଲେ । ମାତ୍ର ସ୍ମୃତିକୁ ପ୍ରଭାସଙ୍କ ପରିବାର ଲୋକେ ଅଜାତି କହି ତଡି ଦେଇଥିଲେ । ଯାହାକୁ ନେଇ ସେ ତିହିଡି ଥାନାରେ ଦ୍ୱାରସ୍ଥ ହୋଇଥିଲା । ମାତ୍ର ପୋଲିସ ନବୁଝିବାରୁ ସେ ଅଦାଲତରେ ଆଶ୍ରୟ ନେଇଥିଲା । ଅଦାଲତଙ୍କ ନିର୍ଦ୍ଦେଶ କ୍ରମେ ତିହିଡି ପୋଲିସ ଗତ ତା ୧୪.୦୭.୨୨ ରିଖରେ ପ୍ରଭାସ ଓ ତାଙ୍କ ପରିବାର ଲୋକଙ୍କ ବିରୋଧରେ ସଂଗୀନ ଦଫାରେ ଏକ ମାମଲା ରୁଜୁ କରିଛି । ହେଲେ ଏଯାବତ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ ।  ନ୍ୟାୟ ପାଇଁ  ପରିବାର ଲୋକଙ୍କ ସହିତ ସ୍ମୃତି ନିଜ ସ୍ୱାମୀଙ୍କ ଦୂଆରେ ଧାରଣାରେ ବସିଥିଲେ। ପୁଲିସ ର ପ୍ରତିଶୃତି ପରେ ସ୍ମୃତି ଧାରଣା ରୁ ଉଠିଛନ୍ତି। ତେବେ ସ୍ମୃତି କୁ ପୁଲିସ କେବେ ନ୍ୟାୟ ଦେବେ ତାକୁ ଦେଖିବାକୁ କେବଳ ଅପେକ୍ଷା।
ସମ୍ବନ୍ଧିତ ଖବର