ଲଘୁ ଖଣିଜଦ୍ରବ୍ୟ ଚୋରାଚାଲାଣ: ବିଭିନ୍ନ ସ୍ଥାନରେ ଚଢ଼ଉ ୧୦ ଗିରଫ, ୧୦ ଗାଡ଼ି ଜବତ 

ଖୋର୍ଦ୍ଧା : ବେଆଇନ ଲଘୁ ଖଣିଜଦ୍ରବ୍ୟ ଖନନ ଓ ଚାଲାଣ ଘଟଣାରେ ଖୋର୍ଦ୍ଧା ପୁଲିସ ପକ୍ଷରୁ ଆଜି ବିଭିନ୍ନ ସ୍ଥାନରେ ଚଢ଼ଉ କରାଯାଇ ୧୦ଜଣଙ୍କୁ ଗିରଫ କରାଯିବା ସହ ୧୦ରୁ ଅଧିକ ଟ୍ରକ, ଜେସିବି ଆଦି ଜବତ କରାଯାଇଛି ।

ଆଜି ଖୋର୍ଦ୍ଧା ସଦର ଥାନା ପକ୍ଷରୁ ତାପଙ୍ଗ, ଧଉଳିମୁହଁ, ବଙ୍ଗିଦା, କାଇପଦର ଆଦି ସ୍ଥାନରେ ଚଢ଼ଉ କରାଯାଇ ୬ଟି ଟ୍ରକ୍, ଗୋଟିଏ ଜେସିବି ଜବତ କରାଯିବା ସହ ୭ଜଣଙ୍କୁ ଗିରଫ କରାଯାଇଛି । ଏନେଇ ଥାନା ଅଧିକାରୀ ଅନୀତା ସାହୁ କହିଛନ୍ତି ଯେ ଆଜି ଅପରାହ୍ଣ ଯାଏଁ ୫ଟି ସ୍ଥାନରେ ଚଢ଼ଉ ହୋଇଥିଲା । ଚଢ଼ଉରେ ୪ଟି ଭିନ୍ନ ଭିନ୍ନ ମାମଲା ରୁଜୁ କରାଯାଇଛି । ଏଥିରେ ସମ୍ପୃକ୍ତ ୭ଜଣଙ୍କୁ ଗିରଫ କରାଯିବା ସହ କୋର୍ଟ ଚାଲାଣ କରାଯାଇଛି ।

ସେହିଭଳି ଖୋର୍ଦ୍ଧା ଟାଉନ୍ ଥାନା ଆଦର୍ଶ ଥାନା ପୁଲିସ ପକ୍ଷରୁ ଚଢ଼ଉ କରାଯାଇ ୨ଟି ଟ୍ରାକ୍ଟର ସମେତ ୩ଜଣକୁ ଗିରଫ କରାଯାଇଛି । ନାଲିପଡ଼ା ଅର୍ଜୁନପୁର ପଂଚାୟତର ସରଧାପୁର ଠାରେ ଥିବା ଏକ ଲଙ୍କା ଆମ୍ବ ପଡ଼ିଆ ଭିତରେ ବେଆଇନ ଖଣିରୁ ମାଙ୍କଡ଼ା ପଥର ଚାଲଣ କରୁଥିବା ପୁଲିସ ଖବର ପାଇଥିଲା । ଘଟଣାସ୍ଥଳରେ ଏସଡିପିଓ ସୁଶୀଲ କୁମାର ମିଶ୍ରଙ୍କ ନେତୃତ୍ୱରେ ଏକ ପୁଲିସ ଟିମ ଚଢ଼ଉ କରିଥିଲା । ଦୁଇ ଗୋଟି ନମ୍ବର ବିହିନ ପଥର ବୋଝେଇ ଟ୍ରାକ୍ଟରକୁ ଜବତ କରିବା ସହ ୩ ଟ୍ରାକ୍ଟର ଡ଼ାଇଭରଙ୍କୁ ଗରିଫ କରିଥିଲେ । ଗିରଫ ବ୍ୟକ୍ତିମାନେ ହେଲେ ଜରିପୁଟ ଗ୍ରାମର ଲିଟୁ ନାୟକ (୨୫), ଭାଲିଆବାଡ଼ି ଗ୍ରାମର ପବିତ୍ର ବେହେରା (୩୯) ଓ ଶ୍ରୀରାମନଗରର ଚନ୍ଦ୍ରଶେଖର ସାମଲ (୪୦) । ଏନେଇ ୯୨/୨୧ରେ ଏକ ମାମଲା ରୁଜ୍ଜୁ କରାଯାଇ ଅଭିଯୁକ୍ତକୁ କୋର୍ଟ ଚାଲଣ କରାଯାଇଛି ।

ସମ୍ବନ୍ଧିତ ଖବର