ପଦ୍ମପୁର: କେନ୍ଦୁଝର ସଦର ଥାନା ଅଞ୍ଚଳରେ ଆଜି ବିଷାକ୍ତ ସାପ କାମୁଡାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଛି। ମୃତକ ଦ୍ବୟ ହେଲେ ରାଇକଳା ପଞ୍ଚାୟତ କନ୍ଦରକଳା ଗ୍ରାମର ସ୍ବର୍ଗତଃ ଚନ୍ଦ୍ରଭାନୁ ନାଏକଙ୍କ ପୁଅ ସୁଦର୍ଶନ ନାଏକ(୪୦) ଏବଂ ପର୍ଜନପୁର ପଞ୍ଚାୟତ ପାଟୁଙ୍ଗ ଗ୍ରାମର ନିଧି ମୁଣ୍ତା।

Advertisment

ଗତକାଲି ଖାଇସାରି ଘରେ ଶୋଇଥିବା ଅବସ୍ଥାରେ ଏକ ବିଶାକ୍ତ ଚିତିସାପ ସୁଦର୍ଶନ ଙ୍କୁ କାମୁଡିଦେଇଥିଲା।ତେବେ ସେ ଜାଣିବା ପରେ ସାହସର ସହିତ ସାପକୁ ଧରି ଏକ ହାଣ୍ତିରେ ରଖିଥିଲେ। ତୁରନ୍ତ ଚିକିତ୍ସା ପାଇଁ ଏକା ବାଇକ୍ ଯୋଗେ ପ୍ରଥମେ ଝୁମ୍ପୁରା ମେଡିକାଲ ପହଞ୍ଚିଥିଲେ। ସେଠାରେ ଅତି ଗୁରୁତର ହେବାରୁ ଡାକ୍ତର ସୁଦର୍ଶନଙ୍କୁ ୧୦୮ ଅମ୍ବୁଲାନ୍ସ ଯୋଗେ କେନ୍ଦୁଝର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ପଠାଇଥିଲେ। ଚିକିତ୍ସାଧୀନ ଅବସ୍ଥାରେ ବିଳମ୍ବିତ ରାତ୍ର ଅଢେଇଟାବେଳେ ସୁଦର୍ଶନଙ୍କ ମୃତ୍ୟୁ ଘଟିଛି।

ଖବର ପାଇ ସଦର ପୁଲିସ କେସନଂ ୩୫/୨୩ରେ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଛି। ଗାଁ ଶ୍ମଶାନରେ ତାଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।
ପର୍ଜନପୁର ପଞ୍ଚାୟତ ପାଟୁଙ୍ଗ ଗ୍ରାମର ମସ ମୁଣ୍ତାଙ୍କ ଏକମାତ୍ର ପୁ‍ଅ ନିଧି ମୁଣ୍ତା(୧୯) ଚିତି ସାପ କୁମୁଡାରେ ପ୍ରାଣ ହରାଇଛନ୍ତି। ଗତକାଲି ରାତି ୧୧ଟାବେଳେ ସେ ଘରେ ଶୋଇଥିବାବେଳେ ତାଙ୍କୁ ଏକ ଚିତିସାପ କାମୁଡି ଦେଇଥିଲା। ପରିବାର ଲୋକେ ଝୁମ୍ପୁରା ମେଡିକାଲରେ ଭର୍ତ୍ତି କରିଥିଲେ। ଖବର ପାଇ ପଳାସପଙ୍ଗା ପୁଲିସ ଡାକ୍ତରଖାନାରେ ପହଞ୍ଚି ୩୬/୨୩ ଏକ ଅପମୃତ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି। ପାଟୁଙ୍ଗ ଗ୍ରାମ ଶ୍ମଶାନରେ ନିଧିଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି।