ସାପ କାମୁଡ଼ାରେ ୮ ବର୍ଷର ଶିଶୁକନ୍ୟା ସହ ୨ ମୃତ

ଖୋର୍ଦ୍ଧା: ଗତକାଲି ବିଳମ୍ବିତ ରାତିରେ ଦୁଇଟି ଭିନ୍ନ ସର୍ପଦଂଶନ ଘଟଣାରେ ଜଣେ ୮ ବର୍ଷର ଶିଶୁ କନ୍ୟା ସହ ଦୁଇଜଣଙ୍କ ମୃତ୍ୟୁ ଘଟିଛି । ନୟାଗଡ଼ ଜିଲ୍ଲା ଫତେଗଡ଼ ନୀଳକଣ୍ଠପ୍ରସାଦର ଲକ୍ଷ୍ମିପ୍ରିୟା ବଳବନ୍ତରାୟ(୮) ଗତକାଲି ରାତିରେ ନିଜ ଘରେ ଶୋଇଥିବା ସମୟରେ ଏକ ବିଷାକ୍ତ ସାପ କାମୁଡ଼ି ଦେଇଥିଲା । ପରିବାର ଲୋକ ପରେ ଦେଖି ଲକ୍ଷ୍ମିପ୍ରିୟାଙ୍କୁ ଆମ୍ବୁଲାନ୍ସ ଯୋଗେ ଖୋର୍ଦ୍ଧା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏନେଇ ଖୋର୍ଦ୍ଧା ଟାଉନ ଥାନା ପୁଲିସ ପକ୍ଷରୁ ୩୬/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଛି ବୋଲି ତଦନ୍ତ ଅଧିକାରୀ ପ୍ରଦୀପ କୁମାର ପ୍ରଧାନ ସୂଚନା ଦେଇଛନ୍ତି ।

ସେହିଭଳି ବେଗୁନିଆ ବ୍ଲକ ବାଘମାରୀ ଥାନା ଅଧୀନ କଂଟାମଳିମ ଗାଁରେ ଗତକାଲି ଅପରାହ୍ଣ ପ୍ରାୟ ସାଢ଼େ ୫ଟା ବେଳେ ବିଲରେ କାମ କରୁଥିବା ବେଳେ ଦଣ୍ଡପାଣି ମାର୍ଥା (୬୬)ଙ୍କୁ ସାପ କାମୁଡ଼ି ଦେଇଥିଲା । କିଛି ସମୟ ପରେ ତାଙ୍କର ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବା ପରେ ପରିବାର ଓ ଆଖପାଖର ଲୋକେ ତାଙ୍କୁ ଆମ୍ବୁଲାନ୍ସରେ ଖୋର୍ଦ୍ଧା ଜିଲ୍ଲା ଚିକିତ୍ସାଳୟ ଆଣିଥିଲେ । ଚିକିତ୍ସାଧୀନ ଅବସ୍ଥାରେ ଗତକାଲି ରାତିରେ ଦଣ୍ଡପାଣିଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି । ଏନେଇ ବାଘମାରୀ ଥାନାରେ ୮/୨୦୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରାଯାଇଥିବା ନେଇ ଥାନା ଅଧିକାରୀ ପ୍ରଜ୍ଞା ଋତମ୍ଭରାକର ସୂଚନା ଦେଇଛନ୍ତି ।

ସମ୍ବନ୍ଧିତ ଖବର