ଭଞ୍ଜନଗର: ବର୍ଷା ଦିନ ଆସିଲେ ବିଭିନ୍ନ ଗାତ ଓ ସନ୍ଧିରେ ରହୁଥିବା ସରୀସୃପମାନେ ଘର ମୁହାଁ ହୋଇଥାନ୍ତି। ବିଶେଷ କରି ଗ୍ରାମାଞ୍ଚଳରେ ପ୍ରାୟ ଚାଳ ଛପର ଓ ଟିଣ ଘର ରହିଥିବାରୁ ସାପମାନେ ଘର ଭିତରକୁ ପ୍ରବେଶ କରିଥାନ୍ତି। ଲୋକମାନେ ବିଷଧର ସାପମାନଙ୍କ ଠାରୁ ରକ୍ଷା ପାଇବା ପାଇଁ ଅନେକ ସମୟରେ ସାପକୁ ମାରି ଦେଉଥିବା ବେଳେ ସାପ କାମୁଡ଼ାରେ ବହୁ ନୀରିହ ଜୀବନ ମଧ୍ୟ ଅକାଳରେ ଝଡ଼ି ପଡୁଥିବା ଶୁଣିବାକୁ ମିଳୁଛି।
Sambad is now on WhatsApp
Join and get latest news updates delivered to you via WhatsApp
ସାପ କାମୁଡ଼ିବା ମାତ୍ରେ ଯଦି ସଠିକ୍ ସମୟରେ ଚିକିତ୍ସା ଯୋଗାଇ ଦିଆଯାଏ ତେବେ ଆବଶ୍ୟକ ଚିକିତ୍ସା ସହ ସାପ ବିଷକୁ ପ୍ରତିହତ କରିପାରୁଥିବା ଇନଞ୍ଜେକସନ ରୋଗୀ ପାଇଲେ ସୁସ୍ଥ ହୋଇ ଯାଆନ୍ତେ। କିନ୍ତୁ ଗ୍ରାମାଞ୍ଚଳରେ ଅଧିକାଂଶ ସାପ କାମୁଡା ଘଟଣା ଘଟୁଥିବା ବେଳେ ଗ୍ରାମାଞ୍ଚଳର ଲୋକମାନେ ଡାକ୍ତରଖାନା ଅପେକ୍ଷା ଦେହରୁ ବିଷ ବାହାର କରିବା ପାଇଁ ନିକଟସ୍ଥ ଗୁଣିଆ କିମ୍ବା କ୍ବାକ୍ମାନଙ୍କୁ ପ୍ରାଧାନ୍ୟ ଦେଇଥାନ୍ତି। ଯାହା ଫଳରେ ଅନେକ ସମୟରେ ସାପ କାମୁଡିଥିବା ବ୍ୟକ୍ତି ଅନ୍ଧ ବିଶ୍ବାସର ଜାଲରେ ଫସି ଡାକ୍ତରଖାନା ଅସିବା ବେଳକୁ ତାର ମୃତ୍ୟୁ ହୋଇଯାଇଥାଏ।
ବିଶେଷ କରି ଜୁନ୍ ମାସ ଦ୍ବିତୀୟ ସପ୍ତାହରୁ ମୌସୁମୀର ଆଗମନ ହୋଇଥାଏ। ବର୍ଷସାରା ସାପ କାମୁଡ଼ିବା ରୋଗୀ ଡାକ୍ତରଖାନା ଆସୁଥିବା ବେଳେ ଏହି ସମୟରେ ଆକ୍ରାନ୍ତଙ୍କ ସଂଖ୍ୟାରେ ବହୁତ ବଢିଯାଏ। ସେପ୍ଟେମ୍ବର ମାସ ପର୍ଯ୍ୟନ୍ତ ସାପ କାମୁଡା ମାମଲା ଆସୁଥିବାରୁ ଡାକ୍ତରଖାନା ପକ୍ଷରୁ ଏହି ସମୟରେ ଅଧିକ ସର୍ତ୍ତକତା ଅବଲମ୍ବନ କରାଯାଇଥାଏ। କିନ୍ତୁ ଗ୍ରାମାଞ୍ଚଳ ତଥା ଆଦିବାସୀ ଓ ଉପାନ୍ତ ଅଞ୍ଚଳର ଲୋକମାନେ ଡାକ୍ତରଖାନା ଅପେକ୍ଷା ସ୍ଥାନୀୟ ଗୁଣିଆମାନଙ୍କୁ ଗୁରତ୍ବ ଦେଉଥିବା ଦେଖିବାକୁ ମିଳୁଛି।
ଗତ ବର୍ଷ ସେପ୍ଟମ୍ବର ମାସ ୧୭ ତାରିଖରେ ତାରସିଂ ଥାନା କୁମ୍ଭିପଲ୍ଲୀ ଗ୍ରାମରେ ଶୋଇଥିବା ଅବସ୍ଥାରେ ଜଣେ ୨୦ ବର୍ଷର ଯୁବତୀକୁ ସାପ କାମୁଡ଼ି ଥିଲା। ତାର ଚିକିତ୍ସା ପାଇଁ ଡାକ୍ତରଖାନା ଆଣିବା ବଦଳରେ ପରିବାର ଲୋକ ନିକଟସ୍ଥ ସାମରଡ଼ା ଗ୍ରାମର ଜଣେ ଗୁଣିଆ ପାଖକୁ ଝଡାଫୁଙ୍କା କରିବାକୁ ନେଇଥିଲେ। କିନ୍ତୁ ସେଠାରେ ଯୁବତୀ ଜଣଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ନିଜେ ଗୁଣିଆ ମେଡିକାଲ୍ ନେବା ପାଇଁ କହିଥିଲେ। ହେଲେ ସେତେ ବେଳକୁ ଯୁବତୀ ଜଣଙ୍କ ଆଖି ବୁଜି ଦେଇଥିଲେ।
ସେହିପରି ଜୁଲାଇ ୭ ତାରିଖ ଦିନ ଜିଲ୍ଲାର ଦୁର୍ଗମ ବ୍ଳକ୍ ଭାବେ ପରିଚିତ ସୋରଡ଼ା ପୁଷ୍ପନଗର ଗ୍ରାମର ଦୁଇ ନାବାଳିକା ଭଉଣୀ ଏକା ଦିନରେ ମୃତ୍ୟୁ ବରଣ କରିବା ଘଟଣା ଗତବର୍ଷ ସାରା ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଥିଲା। ଗ୍ରାମର ସୁଧାଂଶୁ ପାତ୍ରଙ୍କ ଗୋଟିଏ ୧୦ ବର୍ଷର ଏବଂ ଆଉ ଜଣେ ୬ ବର୍ଷର ଦୁଇ ନାବାଳିକା ଭଉଣୀ ପୂର୍ବ ଦିନ ରାତିରେ ଖାଇ ସାରି ଶୋଇଥିବା ବେଳେ ସକାଳୁ ଉଠି ପେଟ କାଟିବା କଥା କହିଥିଲେ।
ପାଟିରୁ ଫେଣ ବାହାରୁଥିବାରୁ ବିଷାକ୍ତ ସାପ କାମୁଡ଼ି ଥିବା ଭାବି ଡାକ୍ତରଖାନା ନେବା ବଦଳରେ ନିକଟରେ ରହୁଥିବା ଜଣେ ଜାନୀଙ୍କ ପାଖକୁ ନେଇ ଝଡାଫୁଙ୍କା ଓ ଘରୋଇ ଉପଚାର କରିଥିଲେ। ଅବସ୍ଥା ଗୁରୁତର ହେବାରୁ ମେଡିକାଲ ନେଇଥିବା ବେଳେ ଡାକ୍ତର ଉଭୟ ଭଉଣୀକୁ ମୃତ ଘୋଷଣା କରିଥିଲେ।
ଜୁନ ମାସରେ ଗାଙ୍ଗପୁର ଥାନା ଇନ୍ଧନପୁର ଗ୍ରାମର ବସନ୍ତ ସ୍ବାଇଁଙ୍କ ୨୦ ବର୍ଷର ଝିଅକୁ ମଧ୍ୟ ଘର ଭିତରେ ସାପ କାମୁଡିଥିବା ବେଳେ ବିଳମ୍ବରେ ଚିକିତ୍ସା ପାଇବାରୁ ତାର ମୃତ୍ୟୁ ଘଟିଥିଲା। ସେହିବର୍ଷ ଜୁନ ମାସରେ ଭଞ୍ଜନଗର ଥାନା ବଡ଼ କୋଦଣ୍ଡା ଗ୍ରାମରେ ମଧ୍ୟ ବିଜୟ ବାଡତ୍ୟାଙ୍କ ଝିଅର ବିଷଧର ସାପ କାମୁଡ଼ାରେ ମୃତ୍ୟୁ ଘଟିଥିଲା। ଏଭଳି ପ୍ରତିବର୍ଷ ବହୁ ଘଟଣା ଘଟୁଥିଲେ ମଧ୍ୟ ଲୋକମାନେ ସଚେତନ ହୋଇ ଡାକ୍ତରଖାନାକୁ ଆଣିବା ବଦଳରେ ଘରୋଇ ଉପଚାର କରୁଛନ୍ତି। ଯାହାକି ବର୍ତ୍ତମାନ ଚିନ୍ତାର କାରଣ ପାଲଟିଛି। ସାପ କାମୁଡିବା ପରେ ଦେହରେ ବିଷର ପରିମାଣ ଜଣାପଡୁ ନଥବାରୁ ତୁରନ୍ତ ଚିକିତ୍ସା ସେବା ନ ମିଳିଲେ ରୋଗୀର ମୃତ୍ୟୁ ଆଶଙ୍କା ରହିଥିବାରୁ ଗୁଣିଆ କିମ୍ବା ନକଲି କ୍ବାକଙ୍କ ପାଖକୁ ନଯାଇ ଯଥାଶ୍ରୀଘ୍ର ଡାକ୍ତରଖାନା ଆଣିବା ପାଇଁ ଡାକ୍ତରମାନେ ପରାମର୍ଶ ଦେଇଛନ୍ତି।
ବର୍ଷାଋତୁ ଆସିବା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ସାପର ବିଷ କାଟିବା ପାଇଁ ଡାକ୍ତରଖାନାରେ ଇଞ୍ଜେକ୍ସନ୍ ମହଜୁଦ ରଖାଯାଇଥାଏ। ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଗାଲେରୀ,ଗାଙ୍ଗପୁର,ଗୋବରା,ବେଲଗୁଣ୍ଠା ଭଳି ସ୍ବାସ୍ଥ କେନ୍ଦ୍ରରୁ ସାପ କାମୁଡା ବ୍ୟକ୍ତି ରେଫର ହୋଇ ଆସୁଛନ୍ତି। ଏଥିସହ ସିଧାସଳଖ ମଧ୍ୟ ସାପ କାମୁଡା ବ୍ୟକ୍ତି ଭର୍ତ୍ତି ହୁଅନ୍ତି।
ଆବଶ୍ୟକ ଅନୁଯାୟୀ ୨-୩ ଡୋଜ୍ ଇଞ୍ଜେକ୍ସନ୍ ଦିଆଯାଉଥିବା ବେଳେ ବର୍ତ୍ତମାନ ମେଡିକାଲରେ ୯୦ ଡୋଜ୍ ଇନଜେକ୍ସନ୍ ରହିଥିବା ମେଡିକାଲ୍ ସୁତ୍ରରୁ ଜଣାପଡିଛି। ଅନ୍ୟପକ୍ଷରରେ ଗତ ଏପ୍ରିଲ ମାସରୁ ଆଜି ପର୍ଯ୍ୟନ୍ତ ୨୯ ଜଣଙ୍କୁ ସାପ କାମୁଡ଼ି ମେଡିକାଲରେ ଭର୍ତ୍ତି ହୋଇଥିବା ଜଣାପଡିଛି। ଏପ୍ରିଲ ମାସରେ ୮ଜଣ,ମେ ମାସରେ ୧୩ ଜଣ ଏବଂ ଜୁନ ମାସର ଆଜି ପର୍ଯ୍ୟନ୍ତ ୮ ଜଣ ସାପ କାମୁଡ଼ା ରୋଗୀ ମେଡିକାଲରେ ଚିକିତ୍ସିତ ହୋଇଛନ୍ତି।
ଗତ ତିନି ବର୍ଷର ସଂଖ୍ୟାକୁ ଦେଖିବାକୁ ଗଲେ ସାପ କାମୁଡା ରୋଗୀଙ୍କ ସଂଖ୍ୟା ଜମାରୁ ହ୍ରାସ ହେଉ ନଥିବା ଜାଣିବାକୁ ମିଳୁଛି। ଗତ ୨୦୧୮-୧୯ ଆର୍ଥିକ ବର୍ଷରେ ୧୨୧ ଜଣ ସାପ କାମୁଡା ରୋଗୀ ଚିକିତ୍ସିତ ହେଉଥିବା ବେ୍ଳେ ୨୦୧୯-୨୦ରେ ୧୩୯ ଜଣ ଏବଂ ୨୦୨୦-୨୧ ଆର୍ଥିକ ବର୍ଷରେ ୧୨୦ ଜଣ ମେଡିକାଲ୍ରେ ଭର୍ତ୍ତି ହୋଇଥିବା ଜଣାପଡିଛି।