ବାମରା: ଦୁଇଟି ପୃଥକ ସାପ କାମୁଡ଼ା ଘଟଣାରେ ଶନିବାର ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ଜଣେ ଗୁରୁତର ଭାବେ ଆହତ ହୋଇଛନ୍ତି। ସୂଚନାନୁସାରେ ବାମରା ବ୍ଲକ ରବଗା ଶେମେଲବାହାଲ ନିକଟ ଛତାମ ସିମନା ପଡ଼ାର ବାଲାଶିଉସ କୁଲୁ (୬୦) ଆଜି ଘରେ କୌଣସି ମରାମତି କାମ ପାଇଁ ଯନ୍ତ୍ରପାତି ଓ ପେଚକସ୍‌ ଖୋଜୁଥିଲେ। ଏହି ସମୟରେ ଏକ ବିଷାକ୍ତ ସାପ ତାଙ୍କ ବାମ ହାତକୁ କାମୁଡ଼ି ଦେବାରୁ ସେ ଅଚେତ ହୋଇଯାଇଥଲେ। ତୁରନ୍ତ ତାଙ୍କୁ ଗଡ଼ପୋଷ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା।

Advertisment

ମାତ୍ର ସେଠାରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା। ଖବର ପାଇ ଗୋବିନ୍ଦପୁର ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଚ୍ଛେଦ ପରେ ଶବ ପରିବାର ଲୋକଙ୍କୁ ହସ୍ତାନ୍ତର କରିବା ସହ ତଦନ୍ତ ଜାରି ରଖିଛି। ସେହିପରି ନିକଟସ୍ଥ ଝାରସୁଗୁଡା ଜିଲ୍ଲା ମଧୁପୁର ଢୁଡୁରିଆମ୍ବ ଗ୍ରାମର ଅମୃତ ବୁଡ଼ଙ୍କ ପୁଅ ରଞ୍ଜିତ (୨୨) ବାମରା ବ୍ଲକ ଘୁନଘୁଟି ଗ୍ରାମକୁ ୱେଲ୍‌ଡିଂ କାମ ପାଇଁ ଯାଇଥିଲେ। ସେଠାରେ କାମ କରୁଥିବା ବେଳେ ଏକ ଚିତି ସାପ ତାଙ୍କୁ କାମୁଡ଼ି ଦେଇଥିଲା। ତୁରନ୍ତ ତାଙ୍କୁ ଗୋବିନ୍ଦପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇ ପ୍ରାଥମିକ ଚିକିତ୍ସା କରାଯାଇଥିଲା। ତେବେ ଅବସ୍ଥା ସଙ୍କଟାପନ୍ନ ଥିବାରୁ ତାଙ୍କୁ ସୁନ୍ଦରଗଡ଼ ଜିଲ୍ଲା ମେଡିକାଲ କଲେଜ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି।