ଝଡ଼ଫୁଙ୍କା ଓ ଅନ୍ଧବିଶ୍ବାସର ପରିଣତି: ସର୍ପ ଦଂଶନରେ ୫ ବର୍ଷରେ ୩୫୩ ଜଣଙ୍କର ଗଲାଣି ଜୀବନ

ରାଉରକେଲା (ତାପସ ଦାସ) : ଅକ୍ଟୋବର ମାସର ୨୪ ତାରିଖ। ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ଫାଣ୍ଡି ଅଧୀନ ଜୁନହାବଲଣ୍ଡା ଗ୍ରାମର ଛୋକି କିଶାନ ଓ ତାଙ୍କ ପତ୍ନୀ ଗୁରୁ କିଶାନ ଘରେ ଶୋଇଥିଲେ। ଏହି ସମୟରେ ଗୁରୁଙ୍କୁ ଏକ ବିଷଧର ସାପ ଦଂଶନ କରିଥିଲା। କିନ୍ତୁ ପରିବାର ଲୋକ ତାଙ୍କୁ ମେଡ଼ିକାଲ ନ ନେଇ ଝଡ଼ଫୁଙ୍କା କରାଇଥିଲେ।

ଦୁଇ ଦିନ ଧରି ବିଭିନ୍ନ ସ୍ଥାନରେ ଝଡ଼ଫୁଙ୍କା କରାଇବା ପରେ ମଧ୍ୟ ସ୍ବାସ୍ଥ୍ୟବସ୍ଥାରେ କୌଣସି ଉନ୍ନତି ପରିଲକ୍ଷିତ ହୋଇ ନ ଥିଲା। ଶେଷରେ ତାଙ୍କୁ ୨୬ ତାରିଖରେ ରାଉରକେଲା ସରକାରୀ ହସ୍ପିଟାଲରେ ଭର୍ତି କରାଯାଇଥିଲା। କିନ୍ତୁ ବିଳମ୍ବରେ ଚିକିତ୍ସା ଆରମ୍ଭ ହେବା କାରଣରୁ ତାଙ୍କର ମୃତ୍ୟୁ ହୋଇ ଯାଇଥିଲା।

ଏ ନେଇ ବ୍ରାହ୍ମଣୀ ତରଙ୍ଗ ଥାନା ପୁଲିସ ଏକ ଅପମୃତ୍ୟୁ ମାମଲା ରୁଜୁ କରିଥିଲା। ଏ ଥିଲା ଜିଲ୍ଲାର ଗୋଟିଏ ଉଦାହରଣ। ଏଭଳି ଅନେକ ଘଟଣା ଜିଲ୍ଲାର ବିଭିନ୍ନ ସ୍ଥାନରେ ଘଟି ଚାଲିଛି। ଆଉ ସାପ କାମୁଡ଼ାରେ ଜଣକ ପରେ ଜଣେ ପ୍ରାଣ ହରାଇ ଚାଲିଛନ୍ତି।

ସାପ ହୋଇଛି କାଳ। କେଉଁଠି କିଏ ନାଗସାପ କାମୁଡ଼ାରେ ପ୍ରାଣ ହରାଇଲାଣି ତ ଆଉ କେଉଁଠି କିଏ ଚିତ୍ତି, ରଣା, ବୋଡା ଭଳି ବିଷଧର ସାପଙ୍କ ଦଂଶନରେ ପ୍ରାଣ ହରାଉଛନ୍ତି। ସୁନ୍ଦରଗଡ଼ ଜିଲ୍ଲାର ଏହା ହେଉଛି ଗତ ୪ ମାସର ଚିତ୍ର।

କେବଳ ଗତ ୪ ମାସ କାହିଁକି, ଗତ ୫ ବର୍ଷରେ ଜିଲ୍ଲାରେ ସାପ କାମୁଡ଼ା ଜନିତ ମୃତ୍ୟୁ ସଂଖ୍ୟା ଏବେ ଜିଲ୍ଲାବାସୀଙ୍କୁ ବିଚଳିତ କରି ଦେଇଛି। ଜିଲ୍ଲାରେ ଏଭଳି ମୃତ୍ୟୁର ମଧ୍ୟ ଅନେକ କାରଣ ରହିଛି। ଜିଲ୍ଲାରେ ସଚେତନତା ଅଭାବ, ଝାଡ଼ଫୁଙ୍କା ଉପରେ ବିଶ୍ବାସ ଓ ଅପହଞ୍ଚ ସ୍ବାସ୍ଥ୍ୟସେବା ଏସବୁର ପ୍ରମୁଖ କାରଣ ବୋଲି ଅନେକଙ୍କ ମତ ରହିଛି।

ଗତ ୫ ବର୍ଷରେ ୩୫୩ ଜଣଙ୍କ ସର୍ପାଘାତରେ ମୃତ୍ୟୁ ହୋଇଛି

ରାଉରକେଲା ସରକାରୀ ହସ୍ପିଟାଲ ସୂତ୍ରରୁ ମିଳିଥିବା ସୂଚନା ମୁତାବକ, ଗତ ୫ ବର୍ଷ ମଧ୍ୟରେ ଜିଲ୍ଲାରେ ୩୫୩ ଜଣଙ୍କ ମୃତ୍ୟୁ ଘଟିଛି। ସେଥିମଧ୍ୟରୁ ଚଳିତ ବର୍ଷ ଏବେ ସୁଦ୍ଧା ୫୨ ଜଣଙ୍କ ମୃତ୍ୟୁ ଘଟିଥିବାବେଳେ ୨୦୧୯ ମସିହାରେ ୯୦ ଜଣ, ୨୦୧୮ ମସିହାରେ ୯୧ ଜଣ, ୨୦୧୭ ମସିହାରେ ୬୭ ଜଣ, ୨୦୧୬ ମସିହାରେ ୫୩ ଜଣଙ୍କ ମୃତ୍ୟୁ ଘଟିଥିଲା। ଯାହାକି ଜିଲ୍ଲା ପ୍ରଶାସନ ପାଇଁ ମୁଣ୍ଡବିନ୍ଧାର କାରଣ ପାଲଟିଛି।

ପ୍ରାକୃତିକ ବିପର୍ଯ୍ୟୟଠାରୁ ମଧ୍ୟ ବଳେଇ ଗଲାଣି ସର୍ପାଘାତ ଜନିତ ମୃତ୍ୟୁ:

ପରିସ୍ଥିତି ଏଭଳି ହେଲାଣି କି ଏବେ ଜିଲ୍ଲାରେ ପ୍ରାକୃତିକ ବିପର୍ଯ୍ୟୟଠାରୁ ମଧ୍ୟ ବଳେଇ ଗଲାଣି ସର୍ପାଘାତ ଜନିତ ମୃତ୍ୟୁ ଘଟଣା। ଜିଲ୍ଲାରେ ବ୍ରଜାଘାତ, ପାଣିରେ ବୁଡି, ଅଗ୍ନିକାଣ୍ଡରେ ଯେତିକି ବ୍ୟକ୍ତି ବିଶେଷଙ୍କର ମୃତ୍ୟୁ ନ ଘଟୁଛି ତାଠାରୁ ଅଧିକ ସଂଖ୍ୟାରେ ଲୋକେ ସାପ କାମୁଡ଼ାରେ ମୃତ୍ୟୁ ବରଣ କରୁଛନ୍ତି।

 

ଦୁଇ ମାସରେ କେଉଁଠି କିଏ ସାପ କାମୁଡ଼ାରେ ମରିଛନ୍ତି

୧- ବ୍ରାହ୍ମଣୀତରଙ୍ଗ ଥାନା କଲୁଙ୍ଗା ଫାଣ୍ଡି ଅଧୀନ ଜୁନହାବଲଣ୍ଡା ଗ୍ରାମର ଗୁରୁ କିଶାନ ନାମକ ଜଣେ ମହିଳାଙ୍କ ସାପ କାମୁଡ଼ାରେ ମୃତ୍ୟୁ
୨- ସୁନ୍ଦରଗଡ଼ ସଦର ଥାନା ଅଧୀନ ସୁନାଜୋର ଗ୍ରାମର ନାବାଳକ ସୁନା କୁକରଙ୍କ ସାପ କାମୁଡ଼ାରେ ମୃତ୍ୟୁ
୩- ହେମଗିରି ଥାନା ଅଧୀନ ରାମୁ କୋସାକ୍ରି ନାମକ ଜଣେ ଯୁବକଙ୍କ ସାପ କାମୁଡ଼ାରେ ମୃତ୍ୟୁ
୪- କେ.ବଲାଙ୍ଗ ଥାନା ଅଧୀନ ଚୋରଧରା ଗ୍ରାମର ଶାନ୍ତିଏଲ ମୁଣ୍ଡା ନାମକ ଜଣେ ଯୁବକଙ୍କ ସାପ କାମୁଡ଼ାରେ ମୃତ୍ୟୁ
୫- ବ୍ରାହ୍ମଣୀତରଙ୍ଗ ଥାନା ଅଧୀନ ବୋଇଲେ ଗ୍ରାମ କୁଝର ଗ୍ରାମର ସମରା ପାଣ୍ଡୁଙ୍କ ସାପ କାମୁଡ଼ାରେ ମୃତ୍ୟୁ
୬- ଲହୁଣୀପଡ଼ା ଥାନା ଅଧୀନ ତନ୍ତରା ଗ୍ରାମର ପପୁନା ନାଏକଙ୍କ ସାପ କାମୁଡ଼ାରେ ମୃତ୍ୟୁ
୭- କେ.ବଲାଙ୍ଗ ଥାନା ସ୍ବୟଂବା ଗ୍ରାମର ରାଜଗିରି ସିଂହ ନାମକ ଜଣେ ଯୁବକଙ୍କ ମୃତ୍ୟୁ
୮- ଲହୁଣୀପଡ଼ା ଥାନା ଅଧୀନ ସରକାରୀ ସ୍କୁଲ ନିକଟରେ ରହୁଥିବା ଟିକିନା ପ୍ରଧାନ ନାମକ ଜଣେ ଛାତ୍ରୀଙ୍କ ମୃତ୍ୟୁ

କେଉଁ ସାପ ବିଷଧର:

ସୁନ୍ଦରଗଡ଼ ଜିଲ୍ଲାରେ ୮୦ ପ୍ରକାରର ସାପ ଚଳପ୍ରଚଳ କରିଥାନ୍ତି। ସେମାନଙ୍କ ମଧ୍ୟରୁ ୧୭ ପ୍ରକାରର ସାପ ଅତ୍ୟନ୍ତ ବିଷଧର। ଏହି ସାପମାନଙ୍କ ମଧ୍ୟରେ ରହିଛନ୍ତି ନାଗ, ତମ୍ପ, ଚିତ୍ତି, ରଣା, ଚନ୍ଦନବୋଡ଼ା, ଧଉଳି ବୋଡ଼ା, ନାଉଡଙ୍ଗ ପ୍ରମୁଖ। ତେବେ ସୁନ୍ଦରଗଡ଼ର ପାହାଡିଆ ଅଞ୍ଚଳରେ ବିଶେଷକରି ନାଗ, ତମ୍ପ, ଚିତ୍ତି ଓ ରଣା ସାପ ଦେଖିବାକୁ ମିଳିଥାନ୍ତି।

ସାପ କାମୁଡ଼ାରେ ମଲେ ୪ ଲକ୍ଷ ଟଙ୍କା କ୍ଷତି ପୂରଣ:

ପରିସ୍ଥିତି ଏଭଳି ହେଲାଣି କି ଏବେ ରାଜ୍ୟରେ ପ୍ରାକୃତିକ ବିପର୍ଯ୍ୟୟଠାରୁ ମଧ୍ୟ ବଳେଇ ଗଲାଣି ସର୍ପାଘାତ ଜନିତ ମୃତ୍ୟୁ ଘଟଣା। ଏହି କାରଣରୁ ରାଜ୍ୟ ସରକାର ୨୦୧୫ ମସିହାରେ ସାପ କାମୁଡ଼ାରେ ମୃତ୍ୟୁ ବରଣ କରୁଥିବା ଘଟଣାକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରଶାସନ ଅଧୀନକୁ ଆଣିଛନ୍ତି। ଯାହା ଫଳରେ ଯେଉଁ ବ୍ୟକ୍ତିଙ୍କ ସାପ କାମୁଡ଼ାରେ ମୃତ୍ୟୁ ଘଟୁଛି, ସ୍ଥାନୀୟ ଜିଲ୍ଲା ପ୍ରଶାସନ ସେମାନଙ୍କ ପରିବାକୁ ପ୍ରାକୃତିକ ବିପର୍ଯ୍ୟୟ ପ୍ରାଣ୍ଠିରୁ ୪ ଲକ୍ଷ ଟଙ୍କା ଯୋଗାଇ ଦେଉଛନ୍ତି।

ମେ’ ମାସରୁ ଅକ୍ଟୋବର ମାସ ମଧ୍ୟରେ ଅଧିକ ସାପ କାମୁଡ଼ାର ଶିକାର ହୋଇଥାନ୍ତି:

ବର୍ଷର ମେ’ ମାସରୁ ଅକ୍ଟୋବର ମାସ ପର୍ଯ୍ୟନ୍ତ ସାପମାନେ ବାହାରେ ଚଳପ୍ରଚଳ କରିଥାନ୍ତି। ଖରାଦିନେ ଓ ବର୍ଷା ସମୟରେ ସେମାନେ ଗରମ ସହ୍ୟ ନ କରି ପାରି, ଗାତରେ ପାଣି ପଶି ଯିବାରୁ ବାହାରକୁ ବାହାରି ଘରେ ପଶିଥାନ୍ତି। ଜିଲ୍ଲାରେ ଗ୍ରୀଷ୍ମ ଋତୁରେ ଅସହ୍ୟ ଗରମ ଅନୁଭୁତ ହେଉଥିବା କାରଣରୁ ଅନେକ ରାତିରେ ବାହାରେ ଶୋଇଥାନ୍ତି, ଯେଉଁ କାରଣରୁ ଅନେକ ସାପ କାମୁଡ଼ାରେ ଶିକାର ହୋଇ ମୃତ୍ୟୁ ବରଣ କରୁଛନ୍ତି।

ଅନ୍ଧବିଶ୍ବାସ, ଝଡ଼ଫୁଙ୍କା ଓ ଅପହଞ୍ଚ ସ୍ବାସ୍ଥ୍ୟ ସେବା ମଧ୍ୟ ମୃତ୍ୟୁର ଅନ୍ୟତମ କାରଣ:

ଯେହେତୁ ସୁନ୍ଦରଗଡ଼ ଆଦିବାସୀ ଅଧ୍ୟୁଷିତ ଜିଲ୍ଲା ଏଠାରେ ଅନ୍ଧବିଶ୍ବାସ ଓ ଝଡ଼ଫୁଙ୍କା ଉପରେ ଅଧିକ ବିଶ୍ବାସ ଥାଏ। କେହି ସାପ କାମୁଡ଼ାର ଶିକାର ହେଲେ ସେମାନେ ମେଡ଼ିକାଲ ଯିବା ବଦଳରେ ପ୍ରଥମେ ଗୁଣିଆ ପାଖକୁ ଯାଇଥାନ୍ତି, ନଚେତ ମନ୍ଦିରକୁ ଯାଇ ଅଧିଆ ପଡ଼ିଥାନ୍ତି। ଯେଉଁ ସମୟରେ ସାପ କାମୁଡ଼ା ରୋଗୀଙ୍କ ଚିକିତ୍ସା ଜରୁରୀ ହୋଇଥାଏ, ସେହି ସମୟରେ ସେମାନେ ସମୟ ନଷ୍ଟ କରି ଏଭଳି ଅନ୍ଧବିଶ୍ବାସରେ ମାତିଥାନ୍ତି। ସେହିପରି ଜିଲ୍ଲାର ଆଭ୍ୟନ୍ତରୀଣ ଅଞ୍ଚଳରେ ମେଡ଼ିକାଲ ସୁବିଧା ସେତେଟା ନାହିଁ। ଯଦି ଅଛି, ସେଠାରେ ସାପ କାମୁଡ଼ିବା ପରେ ଚିକିତ୍ସା ହେବାର କୌଣସି ସୁବିଧା ମଧ୍ୟ ନାହିଁ। ଅନେକ ସ୍ଥାନରେ ଆମ୍ବୁଲାନ୍ସ ସେବା ମଧ୍ୟ ଅପହଞ୍ଚ।

 

ସମ୍ବନ୍ଧିତ ଖବର