ଢମଣାକୁ ଗିଳିଦେବା ପରେ ଉଦ୍ଧାର ହେଲା ୧୩ ଫୁଟ୍‌ର ବିରାଟ ଅହିରାଜ

ବନ୍ତଳା: ଅନୁଗୁଳ ବ୍ଲକ ସାତକୋଶିଆ ଅଭୟାରଣ୍ୟର ଟିକରପଡା ଗ୍ରାମରୁ ଗତକାଲି ବିଳମ୍ବିତ ରାତିରେ ଏକ ଅହିରାଜ ସାପ ଉଦ୍ଧାର ହୋଇଛି। ଚଳିତବର୍ଷ ଦ୍ବିତୀୟ ଥର ଏପରି ଘଟଣା ଦେଖିବାକୁ ମିଳିଛି। ପ୍ରାପ୍ତ ସୂଚନା ଅନୁଯାୟୀ ଟିକରପଡା ଗ୍ରାମରେ ଏକ ୧୩ ଫୁଟର ଅହିରାଜ ସାପଟି ଅନ୍ୟ ଏକ ୭ଫୁଟ ଲମ୍ବର ଢମଣା ସାପକୁ ଗିଳି ଦେଇ ଟିକରପଡା ଗ୍ରାମର ଏକ ଘର ଭିତର ଥିବା (ଭାଡି) ଉପରେ ରହିଥିଲା। ଉକ୍ତ ଘରର ପରିବାର ଲୋକେ ରାତି ୧୨ଟା ସମୟରେ ଘର ଭିତରେ ଏତେ ବଡ ସାପ ଦେଖି ଭୟବୀତ ହୋଇ ସ୍ଥାନୀୟ ବନ ବିଭାଗକୁ ଖବର ଦେଇଥିଲେ। ଖବର ପାଇ ବନ କର୍ମଚାରୀ ଲକ୍ଷ୍ମଣ ମିର୍ଦ୍ଧାଙ୍କ ସହ ଅନୁଗୁଳର ସର୍ପମିତ୍ର ଆଦିତ୍ୟ ବେହେରା, ସର୍ପଉଦ୍ଧାରକାରୀ ଶିବାନୀ ଦେହୁରୀ, ପିଣ୍ଟୁ ବେହେରା, ମୁନୁ ବାରିକ ଓ ଅଜୟ ଭୋଈ ପ୍ରମୁଖ ଘଟଣାସ୍ଥଳରେ ପହଞ୍ଚି ସଫଳତାର ସହ ଅହିରାଜ ସାପକୁ ଉଦ୍ଧାର କରିଥିଲେ। ଉଦ୍ଧାର ପରେ ପୂର୍ବରୁ ଗିଳିଥିବା ଢମଣା ସାପଟିକୁ ଅହିରାଜ ପାଟି ଭିତରୁ ବାହାର କରି ଦେଇଥିଲା। ସେତେବେଳକୁ ଢମଣା ସାପଟି ମରି ସାରିଥିଲା ଏବଂ ଢମଣା ସାପର ପାଟିରୁ ପୂର୍ବରୁ ଖାଇଥିବା ଏକ ମଲା କୁକୁଡା ବାହାରିଥିଲା।

ପରବର୍ତ୍ତୀ ସମୟରେ ସାପଟିକୁ ଟିକରପଡା ବନାଞ୍ଚଳ କାର୍ଯ୍ୟାଳୟକୁ ଅଣାଯାଇଥିଲା। ଉଦ୍ଧାର ପୂର୍ବରୁ ଏବଂ ପରେ ଘଟଣା ସମ୍ପର୍କରେ ସାତକୋଶିଆ ବନଖଣ୍ଡ ଅଧିକାରୀ ଏବଂ ଟିକରପଡା ବନାଞ୍ଚଳ ଅଧିକାରୀଙ୍କୁ ଅବଗତ କରାଯାଇଥିଲା। ସାପଟି ସମ୍ପୂର୍ଣ୍ଣ ସୁସ୍ଥ ଥିବା ଜାଣି ବନ କର୍ମଚାରୀଙ୍କ ଉପସ୍ଥିତିରେ ନିକଟସ୍ଥ ସୁରକ୍ଷିତ ପ୍ରାକୃତିକ ଆବାସସ୍ଥଳୀରେ ଛାଡି ଦିଆଯାଇଥିଲା। ଚଳିତବର୍ଷ ଦୁଇଟି ଏବଂ ଗତ ତିନିବର୍ଷ ମଧ୍ୟରେ ଟିକରପଡ଼ା ଅଞ୍ଚଳରୁ ପାଞ୍ଚଟି ଅହିରାଜ ସାପ ଉଦ୍ଧାର ହୋଇଥିବା ସାତକୋଶିଆ ଜୈବବିବିଧତା ପ୍ରତି ଏକ ଶୁଭ ସଙ୍କେତ ବୋଲି ସର୍ପମିତ୍ର ଆଦିତ୍ୟ ବେହେରା ପ୍ରକାଶ କରିଅଛନ୍ତି। ଜଙ୍ଗଲ ତଳି ଅଞ୍ଚଳ ଗାଁ ଗୁଡିକରେ ଏହି ବିରାଟ ବିଷଧର ସାପ ଦେଖା ଦେଲେ ୯୯୩୮୫୫୨୪୦୯ ନମ୍ବରକୁ ଯୋଗାଯୋଗ କରିବାକୁ ଶ୍ରୀ ବେହେରା ଅନୁରୋଧ କରିଛନ୍ତି।

ସମ୍ବନ୍ଧିତ ଖବର