ଭଞ୍ଜନଗର: (ବିଶ୍ବମ୍ବର ଜେନା): ବର୍ଷାଦିନେ ଚାଳଛପର ଓ ଟିଣଘର ଭିତରକୁ ସାପ ପଶି ଆସୁଥିବାର ନଜିର୍ ରହିଛି। ତେବ‌େ ଆଜି ବି ଗ୍ରାମାଞ୍ଚଳରେ ଅନ୍ଧବିଶ୍ବାସ ପରମ୍ପରା ହୋଇ ରହିଛି। ସାପ କାମୁଡ଼ିଲେ ବଡ଼ ଲୋକଙ୍କ କଥାରେ ତ୍ବରିତ ପ୍ରାଥମିକ ଚିକିତ୍ସା ପାଇଁ ଡାକ୍ତରଖାନାକୁ ନେବା ବଦଳରେ କ୍ବାକ୍ ଓ ବୈଦ୍ୟଙ୍କ ପାଖକୁ କିମ୍ବା ଗୁଣିଆ ପାଖକୁ ଝଡ଼ାଫୁଙ୍କା ପାଇଁ ଲୋକେ ପ୍ରଥମେ ନେଉଛନ୍ତି। ଫଳରେ ଅକାଳରେ ଅନେକ ଜୀବନଦୀପ ଝଡ଼ିପଡ଼ୁଛି।

Advertisment

ଗତ ରବିବାର ଦିନ ସକାଳେ ଦିଗପହଣ୍ଡି ଥାନା ଭୀଷ୍ମଗିରି ଗ୍ରାମରେ ପଞ୍ଚା ନାଇକ ନାମକ ଜଣେ ବ୍ୟକ୍ତିଙ୍କୁ ବିଲରେ ସାପ କାମୁଡ଼ିଦେଇଥିଲା। କିନ୍ତୁ ଆଶୁ ଚିକିତ୍ସା ବଦଳରେ ତାଙ୍କୁ ଗାଁ ବୈଦ୍ୟଙ୍କ ପାଖକୁ ନିଆଯାଇଥିଲା। ଅବସ୍ଥା ସଂକଟାପନ୍ନ ହେବାରୁ ଡାକ୍ତରଖାନାକୁ ନିଆଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏଭଳି ଅନେକ ଘଟଣା ବିଗତ ଦିନରେ ସାମ୍ନାକୁ ଆସିଛି। ଭଞ୍ଜନଗର ଉପକଣ୍ଠ ବିଭିନ୍ନ ଗ୍ରାମାଞ୍ଚଳରେ ବି ସମାନ ସ୍ଥିତି ଦେଖିବାକୁ ମିଳିଛି। ଠିକ୍ ସମୟରେ ଚିକିତ୍ସା ନମିଳିବା ଓ ବିଷ ବାହାର କରିବାକୁ ଗୁଣିଆ ଏବଂ କ୍ବାକ୍‌ଙ୍କ ଝଡ଼ାଫୁଙ୍କାର ସାହାରା ‌ନିଆଯାଉଥିବାରୁ ଗୁରୁତରଙ୍କ ମୃତ୍ୟୁ ଘଟୁଛି।

ଗତ ୫ ବର୍ଷର ଚିତ୍ରକୁ ଅନୁଧ୍ୟାନ କଲେ ଭଞ୍ଜନଗର ଡାକ୍ତରଖାନାକୁ ସାପ କାମୁଡ଼ାରେ ଆସୁଥିବା ଗୁରୁତରଙ୍କ ସଂଖା ବଢ଼ିଛି। ବିଶେଷକରି ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଧିକ ମାମଲା ଆସୁଥିବା ଡାକ୍ତରଖାନା ପକ୍ଷରୁ ସୂଚନା ମିଳିଛି। ଚଳିତବର୍ଷ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ଜାନୁଆରି ମାସରେ ୬ ଜଣ ଗୁରୁତର ଆସିଥିବା ବେଳେ ଫେବ୍ରୁଆରିରେ ୫ ଜଣ, ମାର୍ଚ୍ଚରେ ୧୨ ଜଣ,ଏପ୍ରିଲ୍‌ରେ ୧୬ ଜଣ, ମେ’ ମାସରେ ୨୫ ଜଣ ଏବଂ ଜୁଲାଇରେ ଆଜି ସୁଦ୍ଧା ୩୬ ଜଣ ଚିକିତ୍ସିତ ହୋଇଥିବା ଡାକ୍ତରଖାନା ସୂତ୍ରରୁ ସୂଚନା ମିଳିଛି।

ସେହିପରି ୨୦୧୮-୧୯ ଆର୍ଥିକବର୍ଷରେ ୧୨୧ ଜଣ ଗୁରୁତର ଡାକ୍ତରଖାନାକୁ ଆସିଥିବା ବେଳେ ୨୦୧୯-୨୦ରେ ୧୩୯ ଜଣ ଏବଂ ୨୦୨୦-୨୧ରେ ୧୨୦ ଜଣ, ୨୦୨୧-୨୨ରେ ୧୦୩ ଜଣ ଏବଂ ୨୦୨୨-୨୩ରେ ୨୦୨ ଜଣ ଆସିଥିଲେ। ଫଳରେ ୫ ବର୍ଷ ମଧ୍ୟରେ ଏହି ସଂଖ୍ୟା ବଢ଼ିଥିବା ଜଣାପଡ଼ିଛି। ଏମାନଙ୍କ ମଧ୍ୟରେ ଅଧିକାଂଶ ମୃତକ ଅଛନ୍ତି।

ବର୍ଷାଋତୁ ଆସିବା ପୂର୍ବରୁ ଆବଶ୍ୟକତା ଅନୁଯାୟୀ ଡାକ୍ତରଖାନାରେ ଇଞ୍ଜେକ୍ସନ୍‌ ମହଜୁଦ୍ ରଖାଯାଇଥାଏ। ଭଞ୍ଜନଗର ଉପଖଣ୍ଡ ଡାକ୍ତରଖାନାକୁ ଗାଲେରୀ, ଗାଙ୍ଗପୁର,ଗୋବରା ଓ ବେଲଗୁଣ୍ଠା ସ୍ବାସ୍ଥ୍ୟକେନ୍ଦ୍ରରୁ ସାପକାମୁଡ଼ାରେ ଗୁରୁତରମାନେ ରେଫର୍ ହୋଇଆସୁଛନ୍ତି। ଏଥିସହ ସିଧାସଳଖ ଗୁରୁତରମାନେ ମଧ୍ୟ ଆସୁଛନ୍ତି। ଆବଶ୍ୟକ ଅନୁଯାୟୀ ୭ରୁ ୮ ଡୋଜ୍‌ ଇଞ୍ଜେକ୍ସନ୍‌ ଦିଆଯାଉଛି। କିନ୍ତୁ ଅଧିକାଂଶ ଗୁରୁତର କ୍ବାକ୍ ଓ ଗୁଣିଆମାନଙ୍କ ପାଖକୁ ଯାଇ ବିଳମ୍ବରେ ଡାକ୍ତରଖାନାକୁ ଆସୁଥିବାରୁ ସେମାନେ ମୃତ୍ୟୁମୁଖ୍ୟରେ ପଡ଼ୁଛନ୍ତି। ଏଣୁ ଗୁରୁତରମାନଙ୍କୁ ଯଥାଶୀଘ୍ର ଡାକ୍ତରଖାନାକୁ ଅଣାଗଲେ ସେମାନଙ୍କ ଜୀବନ ବଞ୍ଚିପାରିବ ବୋଲି ଡାକ୍ତରମାନେ ମତ ରଖିଛନ୍ତି।