ସ୍ନାନଯାତ୍ରା ନୀତି ଆରମ୍ଭ: ଶ୍ରୀଜିଉଙ୍କ ଗୁପ୍ତ ସେବା ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କଲେ ଦଇତାପତି ସେବାୟତ

ପୁରୀ: ଦିନକ ପରେ ଶ୍ରୀଜିଉଙ୍କ ସ୍ନାନଯାତ୍ରା ଅନୁଷ୍ଠିତ ହେବ। ଏହା ପୂର୍ବରୁ ଦଇତାପତିମାନେ ଆଜି ଶ୍ରୀମନ୍ଦିରରେ ପ୍ରବେଶ କରିଛନ୍ତି। ଦଇତାପତି ସେବାୟତମାନେ ଶ୍ରୀଜିଉଙ୍କ ଗୁପ୍ତ ନୀତି ସମ୍ପାଦନ କରିବେ। ଆଜି ରାତି ପହୁଡ ଆଳତି ପରେ ୧୧ଟାରେ ଶ୍ରୀମୁଖ ଖଣ୍ଡୁଆ ଓ ରାତି ସାଢ଼େ ୧୧ଟାରେ ବାହୁଟ କଣ୍ଟ ନୀତି ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି। ଏହି ଅବସରରେ ଶ୍ରୀମନ୍ଦିରରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଶ୍ରୀମୁଖକୁ ଶ୍ରୀମୁଖ ଖଣ୍ଡୁଆରେ ଆଛାଦିତ କରାଯିବ। ସେହିଭଳି ଦଇତାପତି ସେବାୟତମାନେ ବାହୁକ କଣ୍ଟ ଅର୍ଥାତ ମାପ କରିଛନ୍ତି।

ଜୁନ ୫ ତାରିଖ ଭୋର ୫ଟାରେ ଦଇତାପତିମାନେ ସେନାପଟା ଲାଗି ପାଇଁ ଶ୍ରୀମନ୍ଦିରରେ ପ୍ରବେଶ କରିବାକୁ ନୀତି ଚୂଡ଼ାନ୍ତ ହୋଇଛି। ପୂର୍ବାହ୍ଣ ୧୦ଟା ସୁଦ୍ଧା ସେନାପଟା ଲାଗି ଶେଷ ପରେ ଅନ୍ୟାନ୍ୟ ଦୈନନ୍ଦିନ ନୀତି ଆରମ୍ଭ ହେବ। ସଂଧ୍ୟା ଧୂପ ରାତି ୯ଟା ସୁଦ୍ଧା ଶେଷ ପରେ ସାଢ଼େ ୯ଟାରୁ ସାଢ଼େ ୧୦ଟା ଭିତରେ ମହାପ୍ରଭୁଙ୍କ ଚଉଠି କର୍ମ ଅନୁଷ୍ଠିତ ହେବ। ଦେବସ୍ନାନ ପୂର୍ଣିମା ନୀତି ପରେ ଶ୍ରୀମନ୍ଦିର ଅଣସର ପିଣ୍ଡିରେ ପୁରୁଣା ବିଗ୍ରହମାନେ ଅବସ୍ଥାନ କରିବେ। ତା’ ପୂର୍ବରୁ ଅଣସର ପିଣ୍ଡିରେ ଅନବସରରେ ବେଳେ ନୂତନ ବିଗ୍ରହଙ୍କ ଶ୍ରୀଅଙ୍ଗ ସେବାର ଅନେକ ଗୋପନୀୟ ସେବାକୁ ଦଇତାପତିମାନେ ସମ୍ପନ୍ନ କରିବାର ପରମ୍ପରା ରହିଛି। ଶ୍ରୀଜିଉଙ୍କ ଶ୍ରୀଅଙ୍ଗ ରକ୍ଷକ ରୂପେ ଦଇତାପତିମାନେ ଅଣସର ସେବାରେ ସାମିଲ ହେବେ।

ସମ୍ବନ୍ଧିତ ଖବର