୨ ବର୍ଷ ପରେ ଭକ୍ତ-ଭଗବାନଙ୍କ ଅପୂର୍ବ ମିଳନ: ଗଜବେଶରେ ଦର୍ଶନ ଦେଲେ ମହାବାହୁ

ସୁନା କୂଅର ୧୦୮ ଗରା ସୁବାସିତ ଜଳରେ ସ୍ନାନ କଲେ, ବାହୁଡ଼ା ପହଣ୍ଡି ପରେ ଅଣସର ପିଣ୍ଡିରେ କଲେ ବିଜେ

ପୁରୀ: କୋଭିଡ୍‌ଜନିତ ଦୁଇ ବର୍ଷର ପ୍ରତିବନ୍ଧକ ହଟିବାପରେ ଆଜି ପବିତ୍ର ଦେବସ୍ନାନ ପୂର୍ଣ୍ଣିମାରେ ଭକ୍ତ ଓ ଭଗବାନଙ୍କ ଅପୂର୍ବ ମିଳନ ଘଟିଛି। ଦୂର ହୋଇଛି ଦୁଇବର୍ଷର ଶୂନ୍ୟତା। ପୁଣିଥରେ କୋଳାହଳରେ ଭରି ଉଠିଛି ବଡ଼ଦାଣ୍ଡ। ଗତବର୍ଷ ସ୍ନାନଯାତ୍ରାରେ ଯେଉଁ ବଡ଼ଦାଣ୍ଡ ଜନଶୂନ୍ୟ ଥିଲା, ଆଜି ତାହା ଲୋକାରଣ୍ୟରେ ପରିଣତ ହୋଇଛି। । ହରିବୋଲ, ହୁଳହୁଳି, ଶ୍ରୀଜଗନ୍ନାଥ ଧ୍ବନିରେ ଖଣ୍ଡମଣ୍ଡଳ ପ୍ରକମ୍ପିତ ହୋଇଛି। କାଳିଆ ପ୍ରେମରେ ପଡ଼ିଥିବା ଭକ୍ତ ସ୍ନାନବେଦିରୁ ଶ୍ରୀଜିଉଙ୍କୁ ଗଜ‌ବେଶରେ ମନଭରି ଦେଖିଛନ୍ତି। ଭାବବିହ୍ବଳ ହୋଇ ଲୋତକାଶ୍ରୁ ଝରାଇଛନ୍ତି। ସକାଳୁ ବିଳମ୍ବିତ ରାତି ପର୍ଯ୍ୟନ୍ତ ଦର୍ଶନ ପାଇଁ ଭକ୍ତଙ୍କ ସୁଅ ଲାଗିରହିଛି। ୧୦୮ ଗରା ସୁବାସିତ ଜଳରେ ସ୍ନାନ କରି ଜ୍ବର ପଡ଼ିବାରୁ ଚତୁର୍ଦ୍ଧା ମୂର୍ତ୍ତିଙ୍କୁ ଶ୍ରୀମନ୍ଦିର ଗର୍ଭଗୃହ ସଂଲଗ୍ନ ଅଣସର ଘରେ ବିଜେ କରାଯାଇଛି।

ଆଜି ଭୋର ୪ଟାରୁ ମଙ୍ଗଳାର୍ପଣ, ପୁଷ୍ପାଞ୍ଜଳି ପରେ ଭୋର ୪ଟା ୧୫ରେ ଚତୁର୍ଦ୍ଧା ମୂର୍ତ୍ତିଙ୍କ ଧାଡ଼ି ପହଣ୍ଡି ଆରମ୍ଭ ହୋଇଥିଲା। କାଳିଆ ସାଆନ୍ତ ବଡ଼ଭାଇ ଶ୍ରୀବଳଭଦ୍ର, ଭଉଣୀ ମା’ ସୁଭଦ୍ରା, ପ୍ରଭୁ ସୁଦର୍ଶନଙ୍କୁ ସାଙ୍ଗରେ ଧରି ରତ୍ନବେଦିରୁ ସ୍ନାନମଣ୍ଡପକୁ ବିଜେ କରିଥିଲେ। ସୁଆର ସେବକ, ଦଇତାପତି ସେବକଙ୍କ ସହ ଅନ୍ୟ ସେବକମାନେ ରତ୍ନବେଦିରୁ ଧାଡ଼ି ପହଣ୍ଡିରେ ପ୍ରଥମେ ପ୍ରଭୁ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ସ୍ନାନବେଦିକୁ ପାଛୋଟି ନେଇଥିଲେ। ସାତପାହାଚରେ ମସ୍ତକରେ ଟାହିଆ ବନ୍ଧା ନୀତି ସମ୍ପନ୍ନ ପରେ ଚତୁର୍ଦ୍ଧା ମୂର୍ତ୍ତି ସ୍ନାନବେଦିକୁ ବିଜେ କରିଥିଲେ। ସକାଳ ୭ଟା ୫୦ରେ ରୁନ୍ଧ‌ା ଶେଷପରେ ମଦନମୋହନ ସ୍ନାନିବେଦିକୁ ବିଜେ କରିଥିଲେ। ୮ଟା ୧୦ରେ ମଙ୍ଗଳ ଆଳତି ପରେ ମଇଲମ, ତଡ଼ପଲାଗି ବେଶ, ଅଧରପୋଛା, ଅବକାଶ ନୀତି ଶେଷ ହୋଇଥିଲା। ୯ଟା ୩୫ରେ ରୋଷହୋମ, ୯ଟ‌େ ୫୫ରେ ସୂର୍ଯ୍ୟ ପୂଜା, ୧୦ଟା ୨୦ରେ ଦ୍ବାରପାଳ ପୂଜା, ୧୦ଟା ୨୫ରେ ବେଶ ଶେଷପରେ ଜଳଛେକ ବିଜେ ନୀତି ଆରମ୍ଭ ହୋଇଥିଲା। ପୂର୍ବାହ୍ନ ୧୧ଟା ୨୦ରୁ ୧୧ଟା ୪୫ ଭିତରେ ଜଳବିଜେ ପରେ ମଧ୍ୟାହ୍ନ ସାଢ଼େ ୧୨ଟାରେ ଜଳପୂଜା ଶେଷ ସହ ମହାପ୍ରଭୁଙ୍କ ସ୍ନାନ ନୀତି ଅନୁଷ୍ଠିତ ହୋଇଥିଲା। ମଧ୍ୟାହ୍ନ ୧୨ଟା ୪୫ ସୁଦ୍ଧା ଜଳଲାଗି ତଥା ଚତୁର୍ଦ୍ଧାମୂର୍ତ୍ତିଙ୍କ ସ୍ନାନ ଶେଷ ‌ହୋଇଥିଲା।

ଜଳବିଜେ ପୂର୍ବରୁ ପ୍ରତିହାରୀ ସେବକମାନେ ଟେରାବାନ୍ଧି ସ୍ନାନମଣ୍ଡପକୁ ଶୋଧ କରିଥିଲେ। ଶ୍ରୀମନ୍ଦିର ଉତ୍ତରଦ୍ୱାର ମା’ ଶୀତଳାଙ୍କ ମନ୍ଦିର ନିକଟ ସୁନା କୂଅରୁ ସୁନା ଗୋ‌ସାଇଁ, ଗରାବଡ଼ୁ ସେବକମାନେ ଆଣିଥିବା ୧୦୮ ଗରା ଜଳକୁ ଚନ୍ଦନ, ଚୁଆ ଆଦି ପକାଇ ଚାହାଣି ମଣ୍ଡପ ନିକଟ ଅଧିବାସ ଘରେ ରଖିଥିଲେ। ଅଧିବାସ ପରେ ଏହି ସୁବାସିତ ଜଳରେ ମହାପ୍ରଭୁଙ୍କ ସ୍ନାନ କରାଯାଇଥିଲା। ଗରାବଡ଼ୁ ସେବକମାନେ ଯୋଗାଇ ଦେଇଥିବା ଜଳକୁ ପୂଜାପଣ୍ଡା ସେବକମାନେ ସ୍ୱତନ୍ତ୍ର ରୁପା ପିଙ୍ଗଣରେ ଶ୍ରୀଜିଉଙ୍କ ସ୍ନାନ କରାଇଥିଲେ। ବଡ଼ଠାକୁର ୩୩ ଗରା, ଶ୍ରୀଜଗନ୍ନାଥ ୩୫ ଗରା, ମା’ ସୁଭଦ୍ରା ୨୨ ଗରା ଓ ସୁଦର୍ଶନ ୧୮ଗରା ଜଳରେ ସ୍ନାନ କରିଥିଲେ। ସ୍ନାନ ଶେଷପରେ ମହାପ୍ରଭୁଙ୍କ ମଇଲମ ଓ ମେକାପ ସର୍ବାଙ୍ଗ ନୀତି ସମ୍ପନ୍ନ ହୋଇଥିଲା। ନୂଆଲୁଗା ପିନ୍ଧି ବେଶ ବଢ଼ିଥିଲା। ଅପରାହ୍ନ ୨ଟା ୪୦ରେ ଗଜପତି ମହାରାଜ ଦିବ୍ୟସିଂହ ଦେବ ଛେରାପହଁରା କରିବା ପରେ ଅପରାହ୍ନ ୩ଟାରେ ଗଜବେଶ ଆରମ୍ଭ ହୋଇଥିଲା। ସୋଲ, କପଡ଼ା ଆଦିରେ ପ୍ରସ୍ତୁତ ଗଜମୁହଁ ଶ୍ରୀଜିଉଙ୍କୁ ଲାଗି କରାଯାଇଥିଲା। ଶୁଭ୍ର ରଙ୍ଗର ଗଜବେଶରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଓ ହଳଦିଆ ରଙ୍ଗର ଗଜବେଶରେ ବଡ଼ଠାକୁର ଶ୍ରୀବଳଭଦ୍ର ଦର୍ଶନ ଦେଇଥିଲେ। ପରେ ଜ୍ବରରେ ପଡ଼ି ଅଣସର ଘରକୁ ବିଜେ କରିଛନ୍ତି ଶ୍ରୀଜିଉ।
ଅପରାହ୍ନ ୩ଟା ୫୦ ସୁଦ୍ଧା ବେଶ‌ ଶେଷ ପରେ ଚତୁର୍ଦ୍ଧାମୂର୍ତ୍ତି ଗଜବେଶରେ ବିଶ୍ବର ଅଗଣିତ ଭକ୍ତଙ୍କୁ ଦର୍ଶନ ଦେଇଥିଲେ। ପରେ ମହନ୍ତ ଶାଢ଼ିବନ୍ଧା, ଘଣ୍ଟଛତା ସକାଳଧୂପ ନୀତି ସମ୍ପନ୍ନ ହୋଇଥିଲା। ରାତି ୯ଟା ୫୦ରେ ବେଶ ଓଲାଗି(ଖୋଲାଯିବା) ପରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଥିଲା। ପ୍ରଥମେ ସୁଦର୍ଶନ, ପରେ ବଡ଼ଠାକୁର ଶ୍ରୀବଳଭଦ୍ର, ମା’ ସୁଭଦ୍ରା ଓ ଶେଷରେ ଶ୍ରୀଜଗନ୍ନାଥ ଗୋଟି ପହଣ୍ଡିରେ ଅଣସର ଘରକୁ ବିଜେ କରିଥିଲେ।

ସମ୍ବନ୍ଧିତ ଖବର