ଓଡ଼ିଶୀ ନୃତ୍ୟ ଶିଳ୍ପୀଙ୍କ ଦୁଃଖ: ଜଗା ଦୁଆରେ ପଡିଛି ବାଡ଼, କାନ୍ଦି ପକାଇଲେ ନୃତ୍ୟ ଶିଳ୍ପୀ ତଥା ଓଡ଼ିଆ ଅଧ୍ୟାପକ

ପୁରୀ : କୋଭିଡ ମହାମାରୀ ପାଇଁ ଆଜି ବିନା ଭକ୍ତରେ ହେଉଛି ମହାପ୍ରଭୁଙ୍କ ସ୍ନାନଯାତ୍ରା। ଯେଉଁ ବଡଦାଣ୍ଡ ଆଜି ଗହଲଚହଳରେ କମ୍ପିଥାନ୍ତା, ସେଠି ଆଜି ନୀରବତା। ବଡଦାଣ୍ଡ ଜନଶୂନ୍ୟ। ପୂର୍ବ ଭଳି ବଡ଼ଦାଣ୍ଡରେ ଆଉ ନାହିଁ କଳା, ସଂସ୍କୃତିର ଝଲକ। ନାହିଁ ବନାଟି ଖେଳ କି ନୃତ୍ୟାଙ୍ଗନାଙ୍କ ନୃତ୍ୟ, ଗୀତ। ଏ ନେଇ ଦୁଃଖ ପ୍ରକାଶ କରିଛନ୍ତି ଓଡିଶୀ ନୃତ୍ୟ ଶିଳ୍ପୀ ତଥା ଓଡ଼ିଆ ଅଧ୍ୟାପକ
ଡ. ଚିତ୍ତରଞ୍ଜନ ସାହାଣୀ।

ମହାପ୍ରଭୁ ଆଗରେ ନୃତ୍ୟ ପରିବେଷଣ ପରେ ନିଜର ଭାବ ବ୍ୟକ୍ତ କରିବା ବେଳେ ଡ. ସାହାଣୀଙ୍କ ଆଖିରୁ ଧାର ଧାର ଲୁହ ବି ଝରି ଆସିଛି। କୋହଭରା କଣ୍ଠରେ କହିଛନ୍ତି କି ମହାପ୍ରଭୁ ଏହି କଷ୍ଟରୁ ମୁକ୍ତି ଦିଅ। ଆଉ କେତେ ଦିନ ଆମକୁ ଅଲଗା ରଖିବ। ତୋର ଦୁଆରେ ଟିକେ ନାଚିବାର ସୌଭାଗ୍ୟ ଦେ।

ସେ କହିଛନ୍ତି ପହଣ୍ଡି ବେଳେ ଜଗା ଆଗରେ ନାଚିବାର ଅନୁଭୂତି ନିଆରା। ଠାକୁରଙ୍କ ଦେହରେ ଲାଗିଥିବା ସେ ଚନ୍ଦନ, ମଲ୍ଲି ଫୁଲର ବାସ୍ନା ଆଉ ମିଳୁନି। ଆଜି କରୋନା ମହାମାରୀ ଭକ୍ତ ଓ ଭଗବାନଙ୍କ ଭିତରେ ପାଚେରୀ ଠିଆ କରିଛି। ଏହି କଷ୍ଟରୁ ମୁକ୍ତି ଦିଅ ବୋଲି ମହାପ୍ରଭୁଙ୍କଠାରେ ନେହୁରା ହୋଇଛନ୍ତି।

ସମ୍ବନ୍ଧିତ ଖବର