ନାଲ୍କୋନଗର: ବେପାରି ହୁଅନ୍ତୁ ଅବା ଗୃହିଣୀ। ଦିନ ହେଉ ବା ଅନ୍ଧାର ରାତି। ଛୋଟିଆ ନାଲ୍କୋନଗର ଥାନା ଅଧୀନସ୍ଥ ପ୍ରାୟ ସବୁ ଅଞ୍ଚଳରେ ଏବେ ଲୁଟେରାଙ୍କ ପହଞ୍ଚ। ଯେଉଁଠି ପାରିଲେ, ସେଇଠି ଅତି ଅନାୟସରେ ଲୁଟିଲେ। କେବେ ମହିଳାଙ୍କ ବେକରୁ ଗହଣା ଝାମ୍ପିନେଲେ ତ, କେବେ ବାଳୁତ ଶିଶୁର ମୁଣ୍ଡ ଜାମିନ୍ ରଖି ଘରେ କଳାକନା ବୁଲାଇଲେ। ନାଲ୍କୋନଗର ଥାନା ଅଞ୍ଚଳରେ ଏଭଳି ରୀତିମତ କ୍ରାଇମ୍ ଭିଆଇବାରେ ଲୁଟେରା ଗୋଷ୍ଠୀ ବେଶ୍ ସିଦ୍ଧହସ୍ତ। ଗତ ୮ ମାସ ମଧ୍ୟରେ ଏମିତି ୨୦ରୁ ଅଧିକ ଲୁଟ୍ପାଟ୍କୁ ସଫଳ ରୂପ ଦିଆଯାଇଛି।
କିନ୍ତୁ ଅପରାଧୀଙ୍କୁ ଧରିବାରେ ପୁଲିସ ନିଜର ଅପରାଗତାକୁ ଦର୍ଶାଇଛି। ନାଲ୍କୋନଗର ଥାନା ପୁଲିସର ନିଷ୍କ୍ରିୟତା ସାଧାରଣ ଜନତାଙ୍କୁ ଯେତିକି ନିରୁତ୍ସାହିତ କରିଛି, ଲୁଟେରା ଗୋଷ୍ଠୀକୁ ସେତିକି ଲୁଟ୍ପାଟ୍ କରିବାକୁ ଉତ୍ସାହିତ କରୁଛି। ନାଲ୍କୋନଗର ଭଳି ଛୋଟ ଥାନା ଇଲାକାରେ ଅପରାଧ ତାଲିକାରୁ ଲୁଟେରା ଗୋଷ୍ଠୀ ଏଠାରେ କେତେ ସକ୍ରିୟ ତାହା ଜଳ ଜଳ ଦିଶୁଛି। ଲୁଟେରା ଗୋଷ୍ଠୀ ସତେ ଯେମିତି ନାଲ୍କୋନଗର ଥାନା ଇଲାକାକୁ ନିଜର ଅବାଧ ଗଡ଼ ଭାବେ ଗଢ଼ିବାରେ ସକ୍ଷମ ହୋଇଛନ୍ତି।
ଗତକାଲି ବୁଧବାର ରାତି ପ୍ରାୟ ୧୦ଟା ବେଳେ ବଳରାମପ୍ରସାଦର ଜଣେ ଦୋକାନି ଏମିତି ଦୁର୍ବୃତ୍ତଙ୍କ ହାବୁଡ଼ରୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି। ନାଲ୍କୋ ସିପିପି ଛକରୁ ବ୍ୟବସାୟୀ ଜଣକ ଦୋକାନ ବନ୍ଦ କରି ଘରକୁ ଫେରୁଥିଲେ। ଦୁର୍ବୃତ୍ତମାନେ ତାଙ୍କୁ ଲୁଟ୍ପାଟ୍ କରିବା ଉଦେଶ୍ୟରେ ଭେଲ୍ କଲୋନି ନିକଟସ୍ଥ ଯାତ୍ରୀ ବିଶ୍ରାମଗାରରେ ଛକି ରହିଥିଲେ। କିନ୍ତୁ ଭାଗ୍ୟକୁ ବ୍ୟବସାୟୀ ଜଣକ ସେହି ବାଟରେ ଯିବା ପୂର୍ବରୁ ଅନ୍ୟ ଜଣେ ବାଇକ୍ ଆରୋହୀ ଦୁର୍ବୃତ୍ତଙ୍କ ହାବୁଡ଼ରେ ପଡ଼ିଥିଲେ। ଦୁର୍ବୃତ୍ତମାନେ ବାଇକ୍ ଆରୋହୀଙ୍କୁ ମାରଣାସ୍ତ୍ର ଦେଖାଇ ଲୁଟ୍ ଉଦ୍ୟମ କଲା ବେଳକୁ ବ୍ୟବସାୟୀ ସେହି ବାଟରେ ସେଠାରୁ ଖସି ଆସିଥିଲେ। ଦୁର୍ବୃତ୍ତମାନେ ପରେ ବ୍ୟବସାୟୀଙ୍କ ପିଛା କରିଥିଲେ ହେଁ ତାଙ୍କୁ ଧରି ପାରି ନ ଥିଲେ।
ଏହି ଘଟଣାର ଠିକ୍ ୮ ଦିନ ତଳେ କନ୍ୟାବେଡ଼ାର ମୋବାଇଲ୍ ବ୍ୟବସାୟୀ ମୁରଲୀ ସାହୁ ବି ଏମିତି ଲୁଟେରାଙ୍କ ହାବୁଡ଼ରେ ପଡ଼ିଥିଲେ। ରାତିରେ ଶ୍ରୀ ସାହୁ ଘରକୁ ଫେରୁଥିବା ବେଳେ ଦୁର୍ବୃତ୍ତମାନେ ମାରଣାସ୍ତ୍ର ଦେଖାଇ ତାଙ୍କଠାରୁ ନଗଦ ୧ ଲକ୍ଷ ୭୦ ହଜାର ଟଙ୍କା ଓ ୬ଟି ମୋବାଇଲ୍ ଲୁଟି ନେଇଥିଲେ। ଘଟଣାର ଦୁଇ ଦିନ ପରେ ପୁଲିସ ଦୁର୍ବୃତ୍ତମାନେ ଫୋପାଡ଼ି ଦେଇଥିବା ବ୍ୟାଗ୍କୁ ପାଇଲା, କିନ୍ତୁ ଲୁଟେରାଙ୍କ ସୁରାକ୍ ମିଳିଲାନି। ଅନୁରୂପ ଭାବେ ଗତ ମାର୍ଚ୍ଚ ୨୪ ତାରିଖ ଦିନ କାଣ୍ଡସର ଗ୍ରାମ କହ୍ନେଇନଗର ବାସିନ୍ଦା ସୁଜିତ୍ କୁମାର ଝଙ୍କ୍ ଘରେ କଳାକନା ବୁଲିଥିଲା। ଦୁର୍ବୃତ୍ତମାନେ ରାତି ଅଧରେ ତାଙ୍କ ଘରେ ପଶି ତାଙ୍କର ୩ ବର୍ଷର ଶିଶୁ କନ୍ୟା ମୁଣ୍ଡ ଜାମିନ୍ ରଖିଥିଲେ। ଜୀବନରେ ମାରି ଦେବା ଭୟ ଦେଖାଇ ୩ ଲକ୍ଷ ଟଙ୍କା ଓ ୬ ଭରି ସୁନା ଗହଣା ଲୁଟି ନେଇଥିଲେ। ମେ ୨୪ ତାରିଖ ରାତିରେ କୁଲାଡ଼ ଗ୍ରାମର ଅରକ୍ଷିତ ମହାପାତ୍ରଙ୍କ ଘରେ ଲୁଟ୍ପାଟ୍ ହୋଇଥିଲା। ଦୁର୍ବୃତ୍ତମାନେ ତାଙ୍କ ବୋହୂ ସସ୍ମିତା ମହାପାତ୍ରଙ୍କ ସୁନା ଚେନ୍, କାନ ଫୁଲ ଲୁଟି ନେଇଥିଲେ। ମେ ୨୫ ତାରିଖ ଦିନ ନାଲ୍କୋ କୃଷକ ବଜାର ସ୍ଥିତ ଶିବ ମନ୍ଦିର ହୁଣ୍ଡିରୁ ଚୋରି ହୋଇଥିବା ବେଳେ କୃଷକ ବଜାରରୁ ମୋବାଇଲ୍ ଚୋରି କରୁଥିବା ଯୁବକ ଲୋକଙ୍କ ହାବୁଡ଼ରେ ଧରା ପଡ଼ିଥିଲା। ନାଲ୍କୋ ମସ୍ଜିଦ୍ ନିକଟସ୍ଥ କ୍ୱାର୍ଟର ସମ୍ମୁଖରୁ ଜଣେ ମହିଳାଙ୍କ ବେକରୁ ଗହଣା ଲୁଟ୍ ହୋଇଥିଲା। ଏହା ପୂର୍ବରୁ ପୁଲିସ ହୋମ୍ଗାର୍ଡ଼ଙ୍କ ସ୍ତ୍ରୀଙ୍କଠାରୁ ବି ଲୁଟ୍ପାଟ୍ ଉଦ୍ୟମ ହୋଇଛି। ମହିଳା ଜଣକ ନିଜ ପୁଅକୁ ଟିଉସନ୍ ଛାଡ଼ି ନେଉଥିବା ବେଳେ କନ୍ୟାବେଡ଼ା ଖଜୁରିବୁରି ନିକଟରେ ତାଙ୍କ ବେକରୁ ସୁନା ଚେନ୍ ଝାମ୍ପି ନେବାକୁ ଦୁର୍ବୃତ୍ତମାନେ ଚେଷ୍ଟା କରି ବିଫଳ ହୋଇଥିଲେ। କନ୍ୟାବେଡ଼ା ରେଲ୍େଓ୍ଵ ଓଭରବ୍ରିଜ୍ ନିକଟରେ ଶ୍ରମିକଙ୍କ ଠାରୁ ଅପରାହ୍ଣରେ ଦୁର୍ବୃତ୍ତମାନେ ଦୁଇଟି ବାଇକ୍ରେ ଆସି ମୋବାଇଲ୍ ଓ କିଛି ଟଙ୍କା ଛଡ଼ାଇ ନେଇଥିଲେ। ସେହିଥର ସ୍ଥାନୀୟ ଲୋକେ ଲୁଟେରାଙ୍କ ପିଛା କରି ସେମାନଙ୍କୁ କାବୁ କରି ପୁଲିସ ଜିମା ଦେଇଥିଲେ।
ଏମିତି ଗୋଟିଏ ପରେ ଗୋଟିଏ ଲୁଟ୍ପାଟ୍, ଡକାୟତି ଘଟଣା ନାଲ୍କୋନଗର ଥାନା ଅଞ୍ଚଳରେ ରୀତିମତ ଘଟି ଚାଲିଛି। ନାଲ୍କୋନଗର ଏକ ଛୋଟ ଥାନା ଇଲାକା ହୋଇଥିଲେ ବି ଲୁଟ୍ପାଟ୍, ଚୋରି, ଡକାୟତିର ଲମ୍ବା ତାଲିକା ପୁଲିସ ହାତରେ ଅଛି। ପ୍ରତିଟି ଘଟଣାରେ ପୁଲିସ ଲୋକଙ୍କ ଏତଲା ରଖି ମାମଲା ରୁଜୁ କରୁଛି ସତ, କିନ୍ତୁ ଅପରାଧୀଙ୍କୁ ଠାବ କରି ପାରୁନି। ଏଥିରୁ ପୁଲିସର ଅନୁସନ୍ଧାନ ଶୈଳୀ ଓ କାର୍ଯ୍ୟଦକ୍ଷତା ଉପରେ ପ୍ରଶ୍ନ ଉଠୁଛି।
ଘର ଘର ବୁଲି ଲୋକଙ୍କ ସହିତ ପୁଲିସ ନିଜର ବନ୍ଧୁତା ବଢ଼ାଇବା ପାଇଁ ନାଲ୍କୋନଗର ଥାନାରେ ସରକାର ବିଟ୍ ପୁଲିସ ଯୋଜନା କାର୍ଯ୍ୟକାରୀ କରୁଛନ୍ତି। ସ୍ୱତନ୍ତ୍ର ଭାବେ ୮ଜଣ ପୁଲିସ ବାବୁ ଜନତାଙ୍କ ଟଙ୍କାରେ ପ୍ରତିଦିନ ବାଇକ୍ ଚଢ଼ି ଗାଁରୁ ଗାଁକୁ ଚକ୍କର କାଟୁଛନ୍ତି। ତଥାପି କିଭଳି ପୁଲିସ ଆଖିରେ ଆଙ୍ଗୁଠି ଗେଞ୍ଜି ଲୁଟେରା ଘନ ଘନ ଲୁଟ୍ପାଟ୍ କରୁଛନ୍ତି ବୋଲି ପ୍ରଶ୍ନ ଉଠୁଛି। ଏଥିରୁ ବିଟ୍ ପୁଲିସର ଅପାରଗତା ଧରାପଡ଼ିଯାଉଛି। ଗତ ୮ ଦିନ ତଳେ ବ୍ୟବସାୟୀ ଶ୍ରୀ ସାହୁଙ୍କଠାରୁ ହୋଇଥିବା ଲୁଟ୍ପାଟ୍ ଘଟଣାରେ ଆଜି ନାଲ୍କୋନଗର ଟାଉନ୍ସିପ୍ ବଜାରର ୧୫ରୁ ଅଧିକ ବ୍ୟବସାୟୀ ଥାନାର ଦ୍ୱାରସ୍ଥ ହୋଇଛନ୍ତି। ଅଭିଯୁକ୍ତମାନଙ୍କୁ ତୁରନ୍ତ ଧରପଗଡ଼ କରିବାକୁ ବ୍ୟବସାୟୀମାନେ ଦାବି କରିଛନ୍ତି। ଏ ସମ୍ପର୍କରେ ନାଲ୍କୋନଗର ଥାନା ଅଧିକାରୀ ଡାନିଏଲ୍ କେର୍କେଟା କହିଛନ୍ତି, ବିଗତ ମାସରେ କେତୋଟି ଲୁଟ୍ପାଟ୍ ହୋଇଛି ତାହାର ହିସାବ କରାଯାଇନି। କିନ୍ତୁ ଅଭିଯୋଗ କ୍ରମେ ଥାନାରେ ମାମଲା ରୁଜୁ ହୋଇଛି। ପ୍ରତି ଘଟଣାର ତଦନ୍ତ ଜାରି ରହିଛି ବୋଲି ଶ୍ରୀ କେର୍କେଟା ପ୍ରକାଶ କରିଛନ୍ତି।