ଶବ ବ୍ୟବଚ୍ଛେଦ ରିପୋର୍ଟ ଲାଞ୍ଚ ଘଟଣା, ଡାକ୍ତରଙ୍କୁ କାରଣ ଦର୍ଶାଅ ନୋଟିସ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରର କାର୍ଯ୍ୟରତ ଡାକ୍ତର ଗଣପତି ପ୍ରଧାନ ଶବ ବ୍ୟବଚ୍ଛେଦ ରିପୋର୍ଟ ଦେବା ପାଇଁ ମୃତକଙ୍କ ପରିବାର ଲୋକଙ୍କ ଠାରୁ ଲାଞ୍ଚ ନେଉଥିବା ଅଭିଯୋଗ ହୋଇଥିଲା। ଏହି ଘଟଣା ବିଭିନ୍ନ ଗଣମାଧ୍ୟମରେ ପ୍ରକାଶ ପାଇବା ପରେ ଜିଲ୍ଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ଏହାକୁ ଗୁରୁତ୍ବ ଦେଇଛି। ପ୍ରାଥମିକସ୍ତରରେ ସ୍ବାସ୍ଥ୍ୟ ବିଭାଗ ଏହି ଘଟଣାକୁ ତଦନ୍ତ ପରିସର ଭୁକ୍ତ କରିବା ସହିତ ସଂପୃକ୍ତ ଡାକ୍ତରଙ୍କୁ ତିନି ଦିନ ମଧ୍ୟରେ କାରଣ ଦର୍ଶାଅ ନୋଟିସ୍‌ ଜାରି କରିଛି । ଫଳରେ ଲାଞ୍ଚ କାରବାରରେ ସଂପୃକ୍ତ ଡ଼ାକ୍ତର ଏବେ ହରଡ଼ଘଣାରେ ପଡ଼ିଛନ୍ତି। ଅନ୍ୟପଟେ ଏହି ଘଟଣାକୁ ରଫାଦଫା କରିବାକୁ ଦୁର୍ନୀତିଗ୍ରସ୍ତ ଡାକ୍ତର ଶ୍ରୀ ପ୍ରଧାନ ଆପ୍ରାଣ ଉଦ୍ୟମ ଚଳାଇ ସାଧାରଣରେ ଆଲୋଚନା ହେଉଛି। ଏଭଳି ଦୁର୍ନୀତି ଖୋର୍ ଡାକ୍ତରଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ପାଇଁ ଅଞ୍ଚଳବାସୀ ଦାବି କରିଛନ୍ତି।

ପ୍ରକାଶ ଥାଉକି ଜିଲ୍ଲା ଖଣିଜ ପାଣ୍ଠି ଯୋଜନାରେ ଅବସର ପ୍ରାପ୍ତ ଡାକ୍ତର ଗଣପତି ପ୍ରଧାନ ତେଲକୋଇ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ନିଯୁକ୍ତି ପାଇଥିବା ବେଳେ ମୋଟା ଅଙ୍କର ଦରମା ମଧ୍ୟ ନେଉଛନ୍ତି। ଆଦିବାସୀ ବହୁଳ ତେଲକୋଇ ଅଞ୍ଚଳର ଲୋକଙ୍କୁ ସେବା ଯୋଗାଇବା ବଦଳରେ ଡାକ୍ତର ଶ୍ରୀ ପ୍ରଧାନ ବିଭିନ୍ନ ସମୟରେ ଲୋକଙ୍କୁ ଶୋଷଣ କରି ନିଜ ପକେଟ୍ ଗରମ କରୁଛନ୍ତି। ପୂର୍ବରୁ ମଧ୍ୟ ସଂପୃକ୍ତ  ଡାକ୍ତର ରୋଗୀ ଓ ସମ୍ପର୍କୀୟଙ୍କୁ ଦୁର୍ବ୍ୟବହାର କରିଥିବା ନଜିର ରହିଛି। ଜଣେ କାର୍ଯ୍ୟରତ ଆଶାକର୍ମରଙ୍କୁ ମଧ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା। ଏପରି ସ୍ଥଳେ ସଂପୃକ୍ତ ଡାକ୍ତରଙ୍କ ପ୍ରତି ଜିଲ୍ଲା ପ୍ରଶାସନ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ତେଲକୋଇ ଅଞ୍ଚଳବାସୀଙ୍କ ସମେତ ବିଭିନ୍ନ ସଂଗଠନ ଦାବି କରିଛନ୍ତି।

ସମ୍ବନ୍ଧିତ ଖବର