ସଚେତନ ସହ ଲୋକଙ୍କୁ ମାସ୍କ ଓ ସାବୁନ ବଣ୍ଟନ: ଗାଁରେ ବିଶ୍ବ ଶ୍ରମିକ ଦିବସ ପାଳିଲା ଆଇଏନଟିୟୁସି

ଫୁଲବାଣୀ: କରୋନା ପାଇଁ ଚଳିତବର୍ଷ ବଡ ଆଡମ୍ବରରେ ବିଶ୍ବ ଶ୍ରମିକ ଦିବସ ପାଳନ କଲା ନାହିଁ ଶ୍ରମିକ ସଂଗଠନ ରାଷ୍ଟ୍ରୀୟ ମଜଦୁର କଂଗ୍ରେସ। ନିରାଡମ୍ବର ସହ ସାମାଜିକ ଦୂରତା ରଖି ଏକ ଗାଁକୁ ଯାଇ ଏଥର ବିଶ୍ବ ଶ୍ରମିକ ଦିବସ ପାଳନ କରାଯାଇଛି । ଫୁଲବାଣୀ ବ୍ଳକ ମିଣିଆ ଗାଁରେ ସାମାଜିକ ଦୁରତା ରକ୍ଷା କରି ଏହି ଦିବସ ପାଳନ କରାଯାଇଥିବା ବେଳେ ଆଖପାଖର ବହୁ ଶ୍ରମିକଙ୍କୁ କରୋନା ସଚେତନ କରିବା ସହ ମାସ୍କ ଓ ସାବୁନ ବଣ୍ଟନ କରାଯାଇଛି।

ସଂଗଠନର ଜିଲ୍ଲା ସଭାପତି ଘନକୁମାର ଶବର ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଶ୍ରମିକମାନଙ୍କୁ କରେନାରୁ ମୁକ୍ତି ପାଇଁ କାମ କରିବା ସମୟରେ ସାମାଜିକ ଦୂରତା ରକ୍ଷା କରିବା,ମୁହଁରେ ମାସ୍କ ବାନ୍ଧିବା ଏବଂ ଘରକୁ ଆସିଲେ ସାବୁନରେ ହାତ ଧୋଇବା ପାଇଁ କହିଥିଲେ। ଏହି ସମୟରେ ସରକାରଙ୍କ ପକ୍ଷରୁ କାମ ଓ ସହାୟତା ବି ଯୋଗାଇ ଦିଆଯାଉଛି।

ଯଦି କେହି ଏଥିରୁ ବଞ୍ଚିତ ହେଉଛନ୍ତି ତାହା ହେଲେ ପ୍ରତିବାଦ ସ୍ବର ଉଠାଇବା ସହ ସଂଗଠନ ସହ ଯୋଗାଯୋଗ କରିବାକୁ ଅନୁରୋଧ କରିଥିଲେ। ସଂଗଠନର ସାଧାରଣ ସମ୍ପାଦକ ପ୍ରଫୁଲ୍ଲ କୁମାର ବେହେରା,ଯୁବ ସମାଜସେବୀ ସଂଜୟ କୁମାର ଭଂଜ ବିଶ୍ବ ଶ୍ରମିକ ଦିବସ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ କହିଥିଲେ। ଗଜେନ୍ଦ୍ର କହଁର,ବୁଲୁ କହଁର ଓ ସୂର୍ଯ୍ୟ କହଁର ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିବା ବେଳେ ଏଥିରେ ଶତାଧିକ ପୁରୁଷ ଓ ମହିଳା ଶ୍ରମିକ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର