ବାଳକାଟି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ହି ବିଭାଗରେ ରହୁନି ସାମାଜିକ ଦୂରତା

ବାଲିଅନ୍ତା: ବାଳକାଟି ଗୋ‌ଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ର ବର୍ହି ବିଭାଗରେ ରୋଗୀଙ୍କୁ ଚିକିତ୍ସା କରିବା ବେଳେ ସାମାଜିକ ଦୂରତା ରକ୍ଷା କରାଯାଉନଥିବା ଅଭିଯୋଗ ହେଉଛି। ଥଣ୍ଡା ଜ୍ବର ଲାଗି ରହିଥିବା ସନ୍ଦିଗ୍ଧ ମାନେ ଖୁନ୍ଦାଖୁନ୍ଦି ହୋଇ ଡାକ୍ତରଙ୍କ ପାଖରେ ଔଷଧ ଚିଠା କରାଉଛନ୍ତି। ଡାକ୍ତରଙ୍କୁ ପରାମର୍ଶ ପରେ ସେମାନେ ପଜିଟିଭ ଚିହ୍ନଟ ହେଉଛନ୍ତି। ଯାହାଫଳର ତାଙ୍କ ପାଖରେ ଥିବା ଅନ୍ୟ ରୋଗୀମାନେ ସଂକ୍ରମିତ ହେଉଥିବା କୁହାଯାଉଛି। ଆଜି ବର୍ହି ବିଭାଗରେ ଧାଡ଼ିରେ ଠିଆ ହୋଇଥିବା ଜଣେ ଜ୍ବର ରୋଗୀ କରୋନା ପୀଡ଼ିତ ହୋଇଥିବା ଡାକ୍ତରଙ୍କ ସନ୍ଦେହ ହୋଇଥିଲା।

ପରେ କୋଭିଡ଼ କେନ୍ଦ୍ରରେ ପରୀକ୍ଷା କରାଇବାରୁ ସଂପୃକ୍ତ ସନ୍ଦିଗ୍ଧ ପଜିଟିଭ ଚିହ୍ନଟ ହୋଇଥିଲେ। ଏନେଇ ହସ୍ପିଟାଲରେ ଉତ୍ତେଜନା ପ୍ରକାଶ ପାଇଥିଲା। ଅନ୍ୟ ରୋଗୀମାନେ ପାଟିତୁଣ୍ଡ କରିଥିଲେ। ଏଭଳି ସ୍ଥିତିରେ ଅନ୍ୟ ସାଧାରଣ ରୋଗୀମାନେ ଅତି ସହଜରେ ସଂକ୍ରମିତ ହେବାର ଆଶଙ୍କ ଉପୁଜିଛି। ହସ୍ପିଟାଲରେ ୨୪ ଘଣ୍ଟିଆ ସୁରକ୍ଷା କର୍ମୀ ମୁତୟନ କରାଯାଇଛି। ହେଲେ ସାମାଜିକ ଦୂରତା ରକ୍ଷା କରିବା ନେଇ ସେମାନେ ଲୋକଙ୍କୁ ସତର୍କ କରାଉ ନାହାଁନ୍ତି। ଖାଲି ସେତିକି ନୁହେଁ ଅନେକ ଲୋକ ବିନା ମାସ୍କରେ ଧାଡ଼ିରେ ଠିଆ ହେଉଛନ୍ତି। ହସ୍ପିଟାଲ କର୍ତୃପକ୍ଷ ବର୍ହି ବିଭାଗରେ ସାମାଜିକ ଦୂରତା ରକ୍ଷା କରିବା ନେଇ ପଦକ୍ଷେପ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।

ସମ୍ବନ୍ଧିତ ଖବର