ଭଞ୍ଜନଗର: ‘ଗୋଲାପ ଗଛରେ ବହୁତ କଣ୍ଟା ମନେ ପକାଉଥିବ ଘଣ୍ଟାକୁ ଘଣ୍ଟା’। ଏହିପରି କିଛି ବାର୍ତ୍ତା ଲେଖି ଶୁଭେଚ୍ଛା ଜଣାଉଥିଲେ ନିଜର ପ୍ରିୟଜନଙ୍କୁ କିଏ ବନ୍ଧୁତ୍ବ ପାଇଁ ତ କିଏ ପ୍ରେମଭରା ନୂତନ ବର୍ଷକୁ ସ୍ବାଗତ କରିବା ପାଇଁ। ଶୁଭେଚ୍ଛା ଜଣାଇବା ସମସ୍ତଙ୍କ ପାଇଁ ନିଆରା ରହିଥିଲା ଗୋଟିଏ କାର୍ଡ। ଯାହାକି ଗ୍ରୀଟିନ୍‌ସ ନାମରେ ଜଣା ରହିଥିଲା। ସେହି ଗ୍ରୀଣ୍ଟିସ୍ କାର୍ଡର ବର୍ତ୍ତମାନ ସ୍ଥାନ ନେଇଛି ସାମଜିକ ଗଣମାଧ୍ୟମ। ହାତ ପାହାନ୍ତରେ ସମସ୍ତଙ୍କ ନିକଟରେ ମୋବାଇଲ ରହିଥିବା ବେଳେ ହ୍ବାଟ୍ସଆପ, ଫ‌େସବୁକ ଓ ଟ୍ବିଟର ପରି ସୋସିଆଲ ମିଡିଆ ବର୍ତ୍ତମାନ ଗ୍ରୀଣ୍ଟିସ୍‌ର ସ୍ଥାନ ନେଇ ସାରିଛି। ଯୁବପିଢିଙ୍କ କ୍ଷେତ୍ରରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟାର ଚାହିଦା ଢେର ଗୁଣା ବଢିଛି। ହାତରେ ସ୍ମାର୍ଟଫୋନ ଥିବାରୁ ଏହାର ଭରପୁର ସୁବିଧା ମଧ୍ୟ ଉଠାଉଛନ୍ତି। ଯୁବ ବର୍ଗ ନିଜକୁ ଏଥିରେ ସାମିଲ କରି ମୋବାଇଲ, ଇଣ୍ଟରନେଟ୍‌ ଜରିଆରେ ସହଜରେ ହଜାର ହଜାର କିଲୋମିଟର ଦୂରରେ ରହୁଥିବା ବନ୍ଧୁ ଓ ସମ୍ପର୍କୀୟଙ୍କୁ ଶୁଭେଚ୍ଛା ଜଣାଇପାରୁଛନ୍ତି। ବର୍ତ୍ତମାନ ଫେସ୍‌ବୁକ୍‌, ହ୍ବାଟ୍‌ସଆପ୍‌, ଟ୍ବିଟର ପରି ସୋସିଆଲ ମିଡିଆରେ ଏହାକୁ ନୂଆ ରୂପ ଦେଇଛି। ଭିଡ଼ିଓ କଲି˚ ଜରିଆରେ ଜଣେ ଅନ୍ୟ ଜଣର ଛବି ଦେଖି ସାମ୍ନାରେ ଉପସ୍ଥିତି ମଧ୍ୟ ଅନୁଭବ କରିପାରୁଛନ୍ତି।

Advertisment

publive-image Sambad

କରୋନା ମହାମାରୀ କାଳରେ ଏହି ମାଧ୍ୟମ ବେଶ୍‌ ଉପାଦେୟ ମଧ୍ୟ ସାବ୍ୟସ୍ତ ହୋଇଛି। ଆଜିର ଯୁବପିଢି ଏହି ନୂଆ ଢାଞ୍ଚାରେ ନିଜକୁ ଖାପ ଖୁଆଇ ଆଗକୁ ବଢି ଚାଲିଛନ୍ତି। ହାତ ଲେଖା ଗ୍ରୀଣ୍ଟିସ୍‌ ପ୍ରେରଣ ପରମ୍ପରା ଧୀରେ ଧୀରେ ହଜିଗଲାଣି। ନବ ବର୍ଷର ଏକ ମାସ ଆଗରୁ ଭଞ୍ଜନଗର ସହରରେ ଗ୍ରୀଣ୍ଟିସ୍‌ ‌ପସରା ବହୁ ସ୍ଥାନରେ ଦେଖିବାକୁ ମିଳୁଥିଲା କିନ୍ତୁ ଚଳିତବର୍ଷ ଗୋଟିଏ ବି ଦୋକନରେ ଗ୍ରୀଟିନ୍‌ସ ନଥିବା ଦେଖିବାକୁ ମିଳିଛି। ବିକ୍ରି ହେଉନଥିବାରୁ ଆଉ ଗ୍ରୀଟିନ୍‌ସ ଆଣିନଥିବା ବ୍ୟବସାୟୀ ମାନେ ପ୍ରକାଶ କରିଛନ୍ତି। ପୂର୍ବରୂ ପଚାଶ ପଇସାରୁ ଆରମ୍ଭ କରି ତିନି ଶହ ଟଙ୍କା ପର୍ଯ୍ୟନ୍ତ ଗ୍ରୀଣ୍ଟିସ୍‌ ରହୁଥିଲା। ଚାହିଦା କମିଯାଇଥିବାରୁ ଏହା ସଂପୂର୍ଣ୍ଣ ରୂପେ ପ୍ରଭାବିତ ହୋଇଛି।

ଆଗରୁ ଗାଁ ହେଉ ବା ସହରରେ ପିଲାଙ୍କ ମଧ୍ୟରେ ଗ୍ରୀଟିନ୍‌ସକୁ ନେଇ ବହୁତ ଉତ୍ସାହ ଦେଖିବାକୁ ମିଳୁଥିଲା। ଶୀତଛୁଟି ହେବା ପୂର୍ବରୁ ନିଜ ବନ୍ଧୁମାନଙ୍କ ମଧ୍ୟରେ ଗ୍ରୀଟିନ୍‌ସ ଦିଆନିଆ ହେଉଥିଲା। ଦେବାଦେବୀ, ସିନେତାରକା, ଖେଳାଳି, କାର୍ଟୁନ ଆଦିର ଫଟୋଥିବା ଗ୍ରୀଟିନ୍‌ସ ପ୍ରେରଣ କରାଯାଉଥିଲା। ଗ୍ରୀଟିନ୍‌ସ ଆଦାନ ପ୍ରଦାନରେ ନିଜ ଅତ୍ମୀୟ ବନ୍ଧୁ ପୀୟଜନ ମଧ୍ୟରେ ରହିଥିବା ଆବେଗକୁ ପ୍ରକାଶ କରୁଥିଲା। ଏହି ସମୟରେ ଗ୍ରୀଣ୍ଟିସ୍‌ ଦେବା ପାଇଁ ସମସ୍ତଙ୍କ ମନରେ ଉତ୍ସୁକତା ଦେଖାଦେଉଥିଲା କିନ୍ତୁ ବର୍ତ୍ତମାନ ଆଜି ତାହା ଆଉ ଦେଖିବାକୁ ମିଳୁନାହିଁ। ବର୍ତ୍ତମାନ କପି ପେଷ୍ଟର ଜମାନାରେ ହାତ ଲେଖା ଓ ପୁରୁଣା ଢଗଢମାଳିକୁ କାଗଜରେ ଉତ୍ତାରିବା ପର ପିଢି ପାଇଁ କଷ୍ଟକର ବ୍ୟପାର ପାଲଟିଛି। କିଛି ନିର୍ଦ୍ଧିଷ୍ଟ ‌ବର୍ଗ ମଧ୍ୟରେ ଏହି ପରମ୍ପରା ବଞ୍ଚି ରହିଥିବା ଜଣାପଡୁଛି।