ଅନାଥ ଶିଶୁଙ୍କ ମୁହଁରେ ହସ ଫୁଟାଇଲା ସ୍ବେଚ୍ଛାସେବୀ ସଂସ୍ଥା, ପିଲାମାନେ ସିନେମା ଦେଖିବା ସହ ହୋଟେଲରେ ଖାଇଲେ

ମାଲକାନଗିରି: ବାପା ଓ ମାଆ ଥିଲେ ବଜାରର ସମସ୍ତ ଖେଳନା ପିଲା ମାନଙ୍କର। ପିଲାଙ୍କ ସମସ୍ତ ଅଳି ଅଝଟ ସହି ବାପା ମାଆ ପିଲାଙ୍କ ପାଇଁ ଦିନରାତି ଏକ କରି ସେମାନଙ୍କର ସମସ୍ତ ଦାବିକୁ ପୂରଣ କରିଥାନ୍ତି। ତେବେ ଯଦି ବାପା ମାଆ ପିଲାଙ୍କୁ ଅନାଥ କରି ଆରପାରିକୁ ଚାଲିଯାନ୍ତି, ତେବେ ସେହି ପିଲାଙ୍କ ଅବସ୍ଥା ନକହିବା ଭଲ। ସବୁବେଳେ ବାପା ମାଆଙ୍କୁ ଝୁରିବା ସହ ଅନ୍ୟ ପିଲାମାନେ ନିଜ ବାପା ଓ ମାଆଙ୍କ ସହ ଖେଳିବୁଲିବା ଦେଖି ଦୁଃଖ ପ୍ରକାଶ କରିଥାନ୍ତି। କିନ୍ତୁ ଏହି ଅନାଥ ପିଲାଙ୍କୁ ଏକତ୍ର କରି ସେମାନଙ୍କର ସମସ୍ତ ଅଳି ଅଝଟ ସହି ସେମାନଙ୍କ ଆଗକୁ ବଢିବାକୁ ସୁଯୋଗ ଦେଉଛି ପରିବର୍ତ୍ତନ ସ୍ବେଚ୍ଛାସେବୀ ଅନୁଷ୍ଠାନ। ରାଜ୍ୟ ପ୍ରୋଗ୍ରାମ ମ୍ୟାନଜର ପ୍ରତିକାନ୍ତ ପରିଡା ମାଲକାନଗିରି ଗସ୍ତରେ ଆସି ଏହି ଅନାଥ ପିଲାଙ୍କ ରହିବା, ଖାଇବା ଏବଂ ସେମାନଙ୍କର ସମସ୍ୟା ବୁଝିଥିଲେ। ଶ୍ରୀ ପରିଡାଙ୍କ ସହ ସିଡବ୍ଲୁସି ଚେୟାରମ୍ୟାନ ଅଶୋକ ପଟନାୟକ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ନାରାୟଣ ଦାସ, ପରିବର୍ତ୍ତନ ସ୍ବେଚ୍ଛାସେବୀ ଅନୁଷ୍ଠାନର ଅଧ୍ୟକ୍ଷ ନିତ୍ୟାନନ୍ଦ ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Sambad

ପ୍ରତିଦିନ ପିଲାମାନେ ଗୋଟିଏ ଜାଗାରେ ରହିବା ସହ ସମାନ ଖାଦ୍ୟ ଖାଉଛନ୍ତି। ସେମାନଙ୍କୁ ବାହାରକୁ ବୁଲିବାକୁ ଦିଆଯାଉ ନାହିଁ କିମ୍ବା ସେମାନଙ୍କର ମନପସନ୍ଦର ଖେଳନା କିଣିବା ପାଇଁ ଦିଆଯାଉନାହିଁ। ତେବେ ଏହି ପିଲାଙ୍କୁ ନିଜର ମନମୁତାବକ ଖେଳନା କିଣିବା, ବଡ ହୋଟେଲରେ ଖାଇବା ଏବଂ ସିନେମା ଦେଖାଇବା ଭଳି କାର୍ଯ୍ୟ କରିବା ପାଇଁ ପ୍ରୋଗ୍ରାମ ମ୍ୟାନେଜର ଶ୍ରୀ ପରିଡା ଏକ ପ୍ରସ୍ତାବ ଦେବା ସହ ରାଜ୍ୟ ସରକାରଙ୍କର ଏହି ଯୋଜନାକୁ ପ୍ରଣୟନ କରିବାକୁ କହିଥିଲେ। ତାଙ୍କ ନିର୍ଦେଶକ୍ରମେ ପରିବର୍ତ୍ତନ ସ୍ବେଚ୍ଛାସେବୀ ଅନୁଷ୍ଠାନରେ ରହୁଥିବା ପିଲାମାନେ ସ୍ଥାନୀୟ ସିନେମା ହଲରେ ସିନେମା ଦେଖିବା ସହ ଏକ ବଡ ହୋଟେଲରେ ନିଜର ମନ ମୁତାବକ ଖାଦ୍ୟ ଖାଇଥିଲେ। ପରେ ବଜାରରେ ନିଜର ମନପସନ୍ଦର ଖେଳନା ମଧ୍ୟ କିଣିଥିଲେ। ଯାହାକୁ ନେଇ ପିଲାମାନେ ବହୁତ ଖୁସି ଜାହିର କରିଥିଲେ। ଏଭଳି ଏକ ନିଆରା ଯୋଜନା କରି ପିଲାଙ୍କ ମୁହଁରେ ହସଫୁଟାଇଛି ଏହି ସ୍ବେଚ୍ଛାସେବୀ ଅନୁଷ୍ଠାନ।

ସମ୍ବନ୍ଧିତ ଖବର