କିଡନୀ ରୋଗୀଙ୍କୁ ରାସନ ଓ ଆର୍ଥିକ ସହାୟତା ଦେଲେ ବିନୋଦ

ମାଲକାନଗିରି: ଜିଲ୍ଲାରେ କିଡନୀ ରୋଗୀଙ୍କ ସଂଖ୍ୟା ହୁ ହୁ ହୋଇ ବଢିଚାଲିଛି। କାଲିମେଳା ବ୍ଲକ ଏବଂ ପଡିଆ ବ୍ଲକରେ ଗାଁ ଗାଁରେ କିଡନୀ ରୋଗୀ ରହିଛନ୍ତି। ଆର୍ଥିକ ଅନାଟନ ଦେଇ ଗତି କରୁଥିବା ଗରିବ ଲୋକେ ନିଜର ଚିକିତ୍ସା କରାଇ ନପାରି ଅକାଳରେ ଜୀବନ ହାରୁଛନ୍ତି। ଏନେଇ ଜିଲ୍ଲା ପ୍ରଶାସନ ନିକଟରେ ଖବର ରହିଥିଲେ ମଧ୍ୟ କୌଣସି ପଦକ୍ଷେପ ନିଆଯାଇପାରୁନାହିଁ।

କାଲିମେଳା ବ୍ଲକର ଏମପିଭି-୮୨ ଗ୍ରାମରେ ଭୋଳାନାଥ ଢାଲି ନିଜର ବୁଢି ମା’ ପତ୍ନୀ ଏବଂ ଦୁଇ ପିଲାଙ୍କୁ ନେଇ ଖୁସିରେ ଚଳୁଥିଲେ। ତେବେ ଗତ ତିନି ମାସ ତଳେ ଭୋଳାନାଥଙ୍କର ସ୍ବାସ୍ଥ୍ୟ ଖରାପ ହେବାରୁ ସେ ଭଦ୍ରାଞ୍ଚଲମ ଯାଇ ସ୍ବାସ୍ଥ୍ୟ ପରୀକ୍ଷା କରାଇଥିଲେ। ତେବେ ଡାକ୍ତର ତାଙ୍କର ଦୁଇଟି କିଡନୀ ଖରାପ ହୋଇଯାଇଥିବା କହିଥିଲେ।

ତୁରନ୍ତ ଚିକିତ୍ସା କରା ଚନଗଲେ ସ୍ଥିତି ବିଗିଡିପାରେ ବୋଲି ପରାମର୍ଶ ଦେଇଥିଲେ। ତେବେ ଗ୍ରାମବାସୀ କିଛି ଚାନ୍ଦା କରି ଭୋଳାନାଥର ଚିକିତ୍ସା କରାଇଥିଲେ। ଆର୍ଥିକ ଅନାଟନ ଦେଇ ଗତି କରୁଥିବା ଭୋଳାନାଥ ଯାହା ଥିଲା ସବୁ ଚିକିତ୍ସାରେ ସାରିଦେଲେ। ପରିବାରରେ ସେ ହିଁ ରୋଜଗାରିଆ। ଏବେ ସେ ଶଯ୍ୟାସାୟୀ ହୋଇଯାଇଥିବା ବେଳେ ପରିବାର ଚଳିବା କଷ୍ଟକର ହୋଇପଡୁଛି।

ମାଲକାନଗିରି ଆସି ଡାଇଲସିସ୍ କରିବା ପାଇଁ ମଧ୍ୟ ପାଖରେ ସମ୍ବଳ ନାହିଁ।ଏହି ଖବର ମାଲକାନଗିରିର ସମାଜସେବୀ ବିନୋଦ ଟାଵରୀ ଶୁଣିବା ପରେ ତୁରନ୍ତ ମାଲକାନଗିରି ଠାରୁ ୯୦ କିଲୋମିଟର ଏମପିଭି-୮୨ ଗ୍ରାମକୁ ଯାଇ ଭୋଳାନାଥଙ୍କୁ ସାକ୍ଷାତ କରିଥିଲେ। ତାଙ୍କର ଦୁଃଖ ଶୁଣିବା ପରେ ତାଙ୍କୁ ତୁରନ୍ତ ୫ ହଜାର ଟଙ୍କା ଏବଂ ରାସନ ସାମଗ୍ରୀ ପ୍ରଦାନ କରିଥିଲେ।

ଭୋଳାନାଥର ମା’ ପୁଅକୁ ବଞ୍ଚାଇ ଦେବାକୁ ବିନୋଦ ପାଖେ ନେହୁରା ହୋଇଥିଲେ। ବିନୋଦ ଯାହା ସାହାଯ୍ୟ ସେ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ପ୍ରଶାସନ ତରଫରୁ ମଧ୍ୟ ଭୋଳାନାଥକୁ ସହଯୋଗର ହାତ ବଢାଇବା ଉଚିତ ବୋଲି ସ୍ଥାନୀୟ ଗ୍ରାମବାସୀ ଦାବି କରିଥିଲେ।
ମୋର ଗୋଟିଏ କିଡନୀ ପୁଅକୁ ଦିଆଯାଉ ବୋଲି ମା’ ଦୁଃଖର ସହ ବିନୋଦଙ୍କୁ କହିଥିଲେ। ତେବେ ଭୋଳାନାଥଙ୍କୁ ପ୍ରଶାସନ ତରଫରୁ ସହଯୋଗ କଲେ ସେ ବଞ୍ଚିଯିବ ବୋଲି କୁହାଯାଇଛି।

ସମ୍ବନ୍ଧିତ ଖବର