ଚଣ୍ଡିଖୋଲ: ଚିରା ଫଟା ପାଲ ଘେରା ଭଙ୍ଗା ଦଦରା ଘରେ ରହି ଆସୁଥିବା ବଡ଼ଚଣା ବ୍ଲକ୍ ଚଣ୍ଡିତଳ ଗ୍ରାମର ଗନ୍ଧର୍ବ ପରିବାରକୁ ସାମାନ୍ୟ ଆଶ୍ୱସ୍ତି ମିଳିଛି। ଭଙ୍ଗା ଘରେ ଦୟନୀୟ ଜୀବନ ବିତାଉଥିବା ଗନ୍ଧର୍ବଙ୍କ ୫ ପ୍ରାଣୀ କୁଟୁମ୍ବଙ୍କ ସମ୍ପର୍କିତ ଏକ ଖବର ଗତ ୮ ତାରିଖ ଦିନ ‘ସମ୍ବାଦ’ରେ ପ୍ରକାଶ ପାଇବା ପରେ ଯାଜପୁର ଜିଲ୍ଲାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ‘ହେଲପିଙ୍ଗ ହ୍ୟାଣ୍ଡ’ ପକ୍ଷରୁ ଆଜି ଏହି ପରିବାରକୁ ସହାୟତା ଯୋଗାଇ ଦିଆଯାଇଛି। ଦୁଇଟି ବଡ଼ ପଲିଥିନ ଘୋଡ଼ାଇ ଅନୁଷ୍ଠାନର କର୍ମକର୍ତ୍ତାମାନେ ଗନ୍ଧର୍ବଙ୍କ ଭଙ୍ଗାଘରକୁ ସଜାଡ଼ି ଦେଇଛନ୍ତି।
ଏଥିସହ ପରିବାରକୁ ରାସନ ସାମଗ୍ରୀ ଓ ରନ୍ଧା ଖାଦ୍ୟ ଦେବା ସହିତ ପିଲାଙ୍କୁ ନୂତନ ପୋଷାକ ଦେବା ସହ କିଛି ଆର୍ଥିକ ସହାୟତା ମଧ୍ୟ ଯୋଗାଇ ଦେଇଛନ୍ତି। ଅନୁଷ୍ଠାନ ପ୍ରତିଷ୍ଠାତା ପ୍ରଶାନ୍ତ କୁମାର ଷଡ଼ଙ୍ଗୀ, ଅନନ୍ତ ନାୟକ, ସୂର୍ଯ୍ୟମଣି ରାଉତ, ଦାମୋଦର ମହାରଣା ଓ ପ୍ରକାଶ ଜେନା ଆଜି ଗନ୍ଧର୍ବଙ୍କ ପରିବାର ନିକଟରେ ପହଞ୍ଚି ଏହି ସେବା ଯୋଗାଇ ଦେଇଥିଲେ।
ସ୍ବେଚ୍ଛାସେବୀ ସଂସ୍ଥାର ଏହି କାର୍ଯ୍ୟକୁ ସ୍ଥାନୀୟ ଲୋକେ ପ୍ରଶଂସା କରିଛନ୍ତି। ଅନ୍ୟପଟେ ଗନ୍ଧର୍ବଙ୍କ ପାଇଁ ପ୍ରଶାସନ ପକ୍ଷରୁ କୌଣସି ସହାୟତା ଯୋଗାଇ ଦିଆଯାଇନାହିଁ। ତୁରନ୍ତ ଗନ୍ଧର୍ବଙ୍କ ପରିବାରକୁ ଆବାସ ଯୋଜନାରେ ସାମିଲ କରିବାକୁ ଦାବି କରାଯାଇଛି।