ବ୍ରିଜ ଓ କ‌ଲଭର୍ଟ ନିର୍ମାଣ ପାଇଁ ମୃତ୍ତିକା ପରୀକ୍ଷା ଆରମ୍ଭ

ଡିଜାଇନ୍ ପ୍ରସ୍ତୁତି ଜାରି, ୧୮.୭୧ କୋଟିରେ ହେବ ନିର୍ମାଣ: ନିର୍ବାହୀ ଯନ୍ତ୍ରୀ

ଜୟପୁର: ଜୟପୁର-ମାଲାକାନଗିରି ବିଜୟୱାଡା ରାଞ୍ଚି କରିଡ଼ର ଜାତୀୟ ରାଜପଥ ୩୨୬ରେ ଜୟପୁର ବ୍ଲକର ପାତ୍ରପୁଟରେ ୧୮.୭୧ କୋଟି ଟଙ୍କାରେ ନିର୍ମାଣ ହେବ ନୂଆ ବ୍ରିଜ। ଏଠାରେ ୨ଟି ବ୍ରିଜ ସହ ଗୋଟିଏ କଲଭର୍ଟ ନିର୍ମାଣ ହେବ। ମୁଖ୍ୟ ବ୍ରିଜ ୧୪୦ମିଟର ଲମ୍ବର ହୋଇଥିବା ବେଳେ ଆଉ ଗୋଟିଏ ନାଳ ଉପରେ ସାନ୍‌ ବ୍ରିଜ ୩୫ମିଟର ଓ ଛୋଟିଏ କଲଭର୍ଟ ନିର୍ମାଣ କରାଯିବାର ଯୋଜନା ରହିଥିବା କହିଛନ୍ତି ଯନ୍ତ୍ରୀ ଗୌତମ ପ୍ରକାଶ ବିଶ୍ବାଳ ଓ ଏନଏଚ୍ ନିର୍ବାହୀ ଯନ୍ତ୍ରୀ କ୍ଷୀରେଶ୍ବର କନ୍ଧପାଣୀ। ଏଥିପାଇଁ ସଂପ୍ରତି ଠିକା ନେଇଥିବା ସଂସ୍ଥା ଗଭୀର ନଳକୁପ ଖୋଳି ବ୍ରିଜ ଗୁଡିକ ନିର୍ମାଣ କରିବା ଅଂଚଳରେ କଠିନ ପଥର (ହାର୍ଡ ରକ୍) ରହିଛି ନାଁ ନାହିଁ, ମୃତ୍ତିକାର ଦମ କେତେ ପରିମାଣର ରହିଛି ତାହା ଯାଞ୍ଚ କରିବା କାମ ଆରମ୍ଭ କରିଛି। ଠିକା କମ୍ପାନିର ଇଞ୍ଜିନିୟର ମାନେ ଉପସ୍ଥିତ ରହି ରିପୋର୍ଟ ପ୍ରସ୍ତୁତିରେ ଲାଗିଛନ୍ତି। ଏହା ସହ କମ୍ପାନି ପକ୍ଷରୁ ଏଠାରେ କେଉଁ ଆକାରର ବ୍ରିଜ ନିର୍ମାଣ କରିବ ସେ ନେଇ ଡିଜାଇନ ପ୍ରସ୍ତୁତ କରି ରାଜ୍ୟସ୍ତରରେ ଜାତୀୟ ରାଜପଥ ପ୍ରାଧିକରଣ ନିକଟରେ ଦାଖଲ କରିବ। ଏହାପରେ ଅନୁମୋଦନ ହେବା ପରେ କାମ ଆରମ୍ଭ କରିବ‌ ବୋଲି କହିଛନ୍ତି ନିର୍ବାହୀ ଯନ୍ତ୍ରୀ। ଆସନ୍ତା ୨ବର୍ଷ ମଧ୍ୟରେ କାମ ସମ୍ପୂର୍ଣ୍ଣ କରିବାକୁ ଠିକା କମ୍ପାନିକୁ ଦିନ ଧାର୍ଯ୍ୟ କରାଯାଇଛି।

ସୂଚନାଯୋଗ୍ୟ, ଦିନକୁ ଦିନ ଶହଶହ ଭାରୀଯାନ ଏହି ରାସ୍ତାରେ ଯିବା ଆସିବା କରୁଛି। କୋଲାବ ନଦୀ ଉପରେ ବ୍ରିଟିଶ ଅମଳର ଲୁହା ବ୍ରିଜ, ଗୋଟିଏ ପାର୍ଶ୍ବରେ ପାହାଡ଼, ଏବଂ ଏଠାକାର ସବୁଜ ସୁନ୍ଦର ତଥା ଶାନ୍ତ ପରିବେଶ ଅବିଭକ୍ତ କୋରାପୁଟ ଜିଲ୍ଲାବାସୀଙ୍କୁ ଟାଣି ଆଣିଥାଏ। ବର୍ଷ ତମାମ ଏହି ସ୍ଥାନରେ ଲୋକେ ପିକନିକ୍ ମନାନ୍ତି। ସେଭଳି ଏହାକୁ ବି ନ ଭାଙ୍ଗି ସେଭଳି ମନୁମେଣ୍ଟ ବା ପର୍ଯ୍ୟଟନସ୍ଥଳୀ ଭାବେ ପୂର୍ବଭଳି ରଖିବା ଏବଂ ନୂଆ ବ୍ରିଜ ଆରମ୍ଭ କରିବାକୁ ବହୁ ବୁଦ୍ଧିଜୀବୀ ରାଜନୈତିକ ନେତୃବୃନ୍ଦ ବି ଦାବି କରିଥିଲେ। ଏନଏଚ ପକ୍ଷରୁ ମଧ୍ୟ ଏହି ପୁରୁଣା ବ୍ରିଜକୁ ନ ଭାଙ୍ଗି ନୂଆ ବ୍ରିଜ ନିର୍ମାଣ ପାଇଁ ସମ୍ପୂର୍ଣ୍ଣ ପ୍ରକଳ୍ପ ରିପୋର୍ଟ (ଡିପିଆର) ପ୍ରସ୍ତୁତ କରି କେନ୍ଦ୍ର ସରକାରଙ୍କ ସଡକ ପରିବହନ ଓ ଜାତୀୟରାଜପଥ ମନ୍ତ୍ରଳାୟରେ ଦାଖଲ କରାଯାଇଥିଲା। କେନ୍ଦ୍ର ସରକାର ଏହାକୁ ଅନୁମୋଦନ ନୂଆ ବ୍ରିଜ ନିର୍ମାଣ ଓ ପୁରୁଣା ବ୍ରିଜର ସମ୍ପୂର୍ଣ୍ଣ ରୁପେ ସାଜସଜ୍ଜା କରି ସୁରକ୍ଷିତ କରିବା ପାଇଁ ୨୧.୨୭ କୋଟି ଟଙ୍କାର ପ୍ରକଳ୍ପ କରିବା ପାଇଁ ଅନୁମୋଦନ ଦେଇଥିଲେ। ଏହାକୁ ଟେଣ୍ଡର କରିବା ପରେ ଛତିଶଗଡର ବ୍ରିଜେଶ ଅଗ୍ରୱାଲ ୧୮.୭୧କୋଟରେ ଏହି କାମ ନେଇଥିବା କହିଛନ୍ତି ଏନଏଚ ନିର୍ବାହୀ ଯନ୍ତ୍ରୀ। ଏହା ସହ ବ୍ରିଟିଶ ଅମଳର ବର୍ତ୍ତମାନ ଥିବା ଲୁହା ବ୍ରିଜକୁ ସମ୍ପୂର୍ଣ୍ଣ ସୁରକ୍ଷିତ କରି ରଖାଯିବ ବୋଲି କହିଛନ୍ତି ଏନଏଚ୍ ଜୟପୁର ଡିଭିଜନର ନିର୍ବାହୀ ଯନ୍ତ୍ରୀ।

ସମ୍ବନ୍ଧିତ ଖବର