ହାୱଡା-ମୁମ୍ବାଇ ରେଳ ମାର୍ଗରେ ସୋଲାର ଫେନ୍‌ସିଂ; ଏଲିଫ୍ୟାଣ୍ଟ ଜୋନ୍‌ରେ ପେଟ୍ରୋଲିଂ କରିବ ଜିପିଏସ୍‌ ମୋଟରବାଇକ୍‌

ରାଉରକେଲା: ହାୱଡା-ମୁମ୍ବାଇ ମୁଖ୍ୟ ରେଳମାର୍ଗର ମହିପାଣି ରେଳ ଲାଇନ୍‌ରେ ହାତୀ-ଟ୍ରେନ୍‌ ଦୁର୍ଘଟଣା ରୋକିବାକୁ ପ୍ରୟାସ ଆରମ୍ଭ କରିଛି ବନ ବିଭାଗ। ମହିପାଣି ଷ୍ଟେସନ ଠାରୁ ପ୍ରାୟ ଦୁଇ କି.ମି. ପର୍ଯ୍ୟନ୍ତ ସୋଲାର ଫେନ୍‌ସିଂ (ସୌର ଚାଳିତ ବିଦ୍ୟୁତ୍‌ ତାରବାଡ) ନିର୍ମାଣ କରିବାକୁ କରାଯାଉଛି। ହାତୀଙ୍କ ଜୀବନ ସୁରକ୍ଷିତ ରହିବା ସହ ସ୍ଥାନୀୟ ଅଞ୍ଚଳବାସୀ ହାତୀଙ୍କ ଆତଙ୍କରୁ ମୁକ୍ତି ପାଇବେ। ମହିପାଣି ଅଞ୍ଚଳରେ ସୋଲାର ଫେନ୍‌ସିଂ ନିର୍ମାଣ ତଦାରଖ ପାଇଁ ପହଞ୍ଚିଥିଲେ ରାଜ୍ୟ ବନ୍ୟପ୍ରାଣୀ ମୁଖ୍ୟାଳୟର ପିସିସିଏମ୍‌ ଶଶି ପଲ୍‌, ରାଉରକେଲା ବନଖଣ୍ଡର ଆର୍‌ସିସିଏଫ୍‌ ଡା. ଅରୁଣ କୁମାର ମିଶ୍ରା, ରାଉକେଲା ବନ୍ୟ ସଂରକ୍ଷକ ଅଧିକାରୀ ବିକାଶ ଦାସ, ରାଉରକେଲା ବନଖଣ୍ଡ ଅଧିକାରୀ ଯଶବନ୍ତ ସେଠୀ, ଅତିରିକ୍ତ ବନ୍ୟ ସଂରକ୍ଷକ ଦିଲୀପ କୁମାର ସାହୁ, ବିଶ୍ରା ବନଖଣ୍ଡର ଅଧିକାରୀ। ମହିପାଣି ଷ୍ଟେସନରୁ କେତେ କିଲୋମିଟର ପର୍ଯ୍ୟନ୍ତ ସୋଲାର ଫେନ୍‌ସିଂ ନିର୍ମାଣ କରାଯିବ ପିସିସିଏଫ୍‌ ବିଭାଗୀୟ ଅଧିକାରୀଙ୍କ ସହ ଆଲୋଚନା କରିଥିଲେ। ପରେ ବନ ବିଭାଗର ଅଧିକାରୀମାନେ ବନ୍ଧମୁଣ୍ଡା ଏଆର୍‌ଏମ୍‌ କାର୍ଯ୍ୟାଳୟରେ ଏଆର୍ଏମ୍‌ ନିଶାନ୍ତ କୁମାରଙ୍କ ସହ ଆଲୋଚନା କରିଥିଲେ।

ବୈଠକରେ ହାତୀମାନଙ୍କ ସୁରକ୍ଷା ପାଇଁ ଉଭୟ ରେଳବିଭାଗ ଓ ବନ ବିଭାଗ ମିଳିତ ଭାବେ କାମ କରିବାକୁ ନିଷ୍ପତ୍ତି ନିଆଯାଇଥିଲା। ରେଳ ଲାଇନ ପାରି ହେଉଥିବାବେଳେ ହାତୀପଲଙ୍କୁ କିପରି ସୁରକ୍ଷା ଦିଆଯିବ ସେ ସମ୍ପର୍କରେ ମଧ୍ୟ ବିଭାଗୀୟ ଅଧିକାରୀମାନେ ନିଜ ମତ ରଖିଥିଲେ। ନିର୍ମାଣ ହେବାକୁ ଯାଉଥିବା ସୋଲାର ଫେନ୍‌ସିଂରେ ସତର୍କ ସୂଚନା ଶୁଣିଲା ଭଳି ବ୍ୟବସ୍ଥା କରାଯିବ। ଟ୍ରେନ୍‌ ରେଳଲାଇନ ଅତିକ୍ରମ କରିବାର କିଛି ପୂର୍ବରୁ ଏହି ସତର୍କ ଶଦ୍ଧ ଶୁଣାଯିବ। ଶଦ୍ଧ ଶୁଣିବା ମାତ୍ରେ ରେଳଫାଟକରେ କାର୍ଯ୍ୟରତ କର୍ମଚାରୀ ଓ ଏହାର ଆଖପାଖରେ ଲୋନେ ହାତୀ ଆସୁଥିବା ସଂକ୍ରାନ୍ତରେ ଜାଣି ପାରିବେ। ଏଥିସହ ଏଲିଫ୍ୟାଣ୍ଟ ଜୋନ୍‌ରେ ହାତୀଙ୍କ ଗତିବିଧି ଉପରେ କଡା ନଜର ରଖିବାକୁ ଜିପିଏସ୍‌ ମୋଟରବାଇକ୍‌ ପଟ୍ରୋଲିଂ କରିବ।

ଆଜି ପେଟ୍ରୋଲିଂ ବ୍ୟବସ୍ଥାକୁ ରାଜ୍ୟ ପିସିସିଏଫ୍‌ ଶ୍ରୀ ପଲ୍‌ ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ। ହାୱଡା- ମୁମ୍ବାଇ ମାର୍ଗ ଚକ୍ରଧରପୁର ରେଳ ମଣ୍ଡଳର ଅଧିକାଂଶ ଅଞ୍ଚଳ ସରଣ୍ଡା ଜଙ୍ଗଲ‌େ ରହୁଛି। ସରଣ୍ଡା ଜଙ୍ଗଲରୁ ବାହାରୁ ଥିବା ହାତୀପଲ ରେଳଲାଇନ ପାରି ହେଉଥିବା ଟ୍ରେନ୍‌ ଦୁର୍ଘଟଣାରେ ଶିକାର ହେଉଛନ୍ତି। ବନ୍ଧମୁଣ୍ଡା, ବିଶ୍ରା, ଭାଲୁଲତା, ଜରାଇକେଲା, ମନୋହରପୁର ସମେତ ୧୨ରୁ ଅଧିକ ରେଳ ଷ୍ଟେସନ ସରଣ୍ଡା ଜଙ୍ଗଲ ମଧ୍ୟରେ ଆସୁଛି। ଏହାକୁ ଦୃଷ୍ଟିରେ ରଖି ଖୁବ୍‌ ଶୀଘ୍ର ସୋଲାର ଫେନ୍‌ସିଂ ନିର୍ମାଣ କରାଯିବ ବୋଲି ଜଣାପଡିଛି। ଉଲ୍ଲେଖଯୋଗ୍ୟ, ଗତ ୨୦୧୨ ଫେବ୍ରୁଆରି ମାସରେ ମହିପାଣିରେ ଟ୍ରେନ୍‌ ଧକ୍କାରେ ଦୁଇ ହାତୀଙ୍କର ମୃତ୍ୟୁ ହୋଇଥିଲା। ସୋଲାର ଫେନ୍‌ସିଂ ହେବା ଦ୍ବାରା କେବଳ ହାତୀଙ୍କ ଜୀବନ ରକ୍ଷା ପାଇବ ତା’ ନୁହେଁ ଅନ୍ୟାନ୍ୟ ପଶୁଙ୍କ ଜୀବନ ମଧ୍ୟ ସୁରକ୍ଷିତ ରହିବ।

ସମ୍ବନ୍ଧିତ ଖବର