ସୁନ୍ଦରଗଡ଼: ଦୁର୍ନୀତିର ଚରମ ନିଦର୍ଶନ ସ୍ବରୂପ ସୁନ୍ଦରଗଡ଼ ରାଣୀବଗିଚା ଶ୍ମଶାନରେ ନିର୍ମିତ ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ କାମ ନସରୁଣୁ ଭୁଶୁଡ଼ି ପଡ଼ିଥିଲା। ଏହା ସହ ଆନେକ କାମ ବାକି ଥିବାବେଳେ ଯନ୍ତ୍ରୀଙ୍କୁ ହାତ କରି ଠିକାଦାର ସବୁତକ ବିଲ୍ ଉଠାଇ ନେଇଥିଲେ। ସମ୍ବାଦରେ ଏ ଖବର ପ୍ରକାଶ ପାଇବା ପରେ ଗ୍ରାମ୍ଯ ଜଳଯୋଗାଣ ବିଭାଗରେ ହଇଚଇ ଖେଳି ଯାଇଥିଲା। ଠିକାଦାର ତୁରନ୍ତ ବାକି କାମ ଆରମ୍ଭ କରି ଦେଇଥିଲେ। ଏହା ଭିତରେ ଗାଧୁଆ ଘରେ କବାଟ, ପାଣି କଳ ଲଗାଯାଇଛି। କିନ୍ତୁ ଏବେ ବି ଭଙ୍ଗା ପାଣି ଟାଙ୍କି ବଦଳା ଯାଇନି।

Advertisment

ସେହିପରି ବୈଷୟିକ ଅଟକଳ ନିର୍ଦ୍ଦେଶ ଅନୁସାରେ ଦ୍ବିଶକ୍ତି (ଡବଲ୍ ପାୱାର) ବ୍ଯବସ୍ଥା ହେବା କଥା, କିନ୍ତୁ ଏଯାଏଁ ପ୍ରକଳ୍ପରେ ସୌର ଶକ୍ତି ବ୍ୟତୀତ ବିଦ୍ଯୁତ ସଂଯୋଗ ହୋଇନାହିଁ। ଯନ୍ତ୍ରୀ, ଠିକାଦାର ଯେନତେନ ପ୍ରକାରେ ଦୁର୍ନୀତିକୁ ଲୁଚାଇବାକୁ ଚେଷ୍ଟା କରୁଥିବା ଅଭିଯୋଗ ହୋଇଛି। ସୁନ୍ଦରଗଡ଼ ଗ୍ରାମ୍ୟ ଜଳ ଯୋଗାଣ ବିଭାଜନ ପକ୍ଷରୁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପାଣ୍ଠି ୭.୬୩ ଲକ୍ଷ ବ୍ୟୟରେ ଶ୍ମଶାନରେ ୫ ହଜାର ଲିଟର ବିଶିଷ୍ଟ ସୌରଚାଳିତ ଜଳ ଯୋଗାଣ ପ୍ରକଳ୍ପ ତିଆରି ଚାଲିଛି। କାର୍ଯ୍ୟସ୍ଥ‌ଳରେ ଲାଗିଥିବା ପ୍ରକଳ୍ପ ସୂଚନା ଫଳକରେ ୨୦୨୨ ଡିସେମ୍ବର ୩୧ରେ ନିର୍ମାଣ ଆରମ୍ଭ ହୋଇଥିବା ଏହି ପ୍ରକଳ୍ପ ଗୋଟିଏ ମାସ ମଧ୍ୟରେ ଅର୍ଥାତ ୨୦୨୩ ଜାନୁଆରି ୩୦ରେ ଶେଷ ହୋଇଥିବା ଦର୍ଶାଯାଇଛି। କିନ୍ତୁ ଘାଟରେ ତିଆରି ଗାଧୁଆଘରର କବାଟ, ପାଣିକଳ ଲାଗି ନଥିଲା।

ଏପଟେ କାମ ନସରୁଣୁ ଗତ ଜୁନ ୧୫ରେ ପ୍ରକଳ୍ପର ପାଣି ଟାଙ୍କି ଦୁଇ ଫାଳ ହୋଇ ଭୁଶୁଡ଼ି ପଡ଼ିଥିବାବେଳେ ପ୍ରକଳ୍ପ କାର୍ଯ୍ୟକ୍ଷମ ହେବା ପୂର୍ବରୁ ଅକାମୀ ବା ଅଚଳ ହୋଇଯାଇଥିବା ଅଭିଯୋଗ ହୋଇଥିଲା। ଏ ସମ୍ପର୍କରେ ଟିମ୍‌ ଶ୍ମଶାନବନ୍ଧୁ ଅନେକବାର ଠିକାଦାର ସହ ବିଭାଗୀୟ ଯନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ ମଧ୍ୟ କେହି କର୍ଣ୍ଣପାତ କରୁ ନଥିବା ଅଭିଯୋଗ ହୋଇଥିଲା। ଠିକାଦାର ସବୁ ବିଲ୍‌ ପାଇ ଯାଇଥିବାରୁ ପ୍ରକଳ୍ପ ପ୍ରତି ଆଉ ଧ୍ୟାନ ଦେଉ ନଥିବା ପ୍ରକାଶ ପାଇଥିଲା। ଠିକାଦାର ନୂଆ ପାଣି ଟାଙ୍କି ଲଗାଇବା ପାଇଁ ପ୍ରସ୍ତୁତି ଚଲାଇଥିବା ସୂଚନା ମିଳିଛି। କିନ୍ତୁ କାମର ମାନ ପ୍ରତି ଆରମ୍ଭରୁ ବିଭାଗୀୟ ଯନ୍ତ୍ରୀ ଦୃଷ୍ଟି ଦେଇ ନଥିବା ଏବଂ କାମ ସରି ନଥିବାବେଳେ ଚୂଡାନ୍ତ ବିଲ୍ ଠିକାଦାରଙ୍କ ହାତରେ ଦେବା, ସର୍ବୋପରି ପାଣି ଟାଙ୍କି ଭୁଶୁଡିବାର ୨୩ ଦିନ ପରେ ବି କିଛି ନଜାଣିଲା ଭଳି ନିରବ ରହିବା ତାଙ୍କ କାର୍ଯ୍ଯଶୈଳୀ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରିଛି। ଏହି ପ୍ରକଳ୍ପ କାମରେ ଦୁର୍ନୀତି ଜଳଜଳ ଦିଶୁଥିବାରୁ ବିଭାଗୀୟ ଯନ୍ତ୍ରୀ ଓ ଠିକାଦାରଙ୍କ ବିରୋଧରେ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରିବାକୁ ସାଧାରଣରେ ଦାବି ହେଉଛି।