ସୌରଶକ୍ତି ଚାଳିତ ପାନୀୟଜଳ ପ୍ରକଳ୍ପ ଅଚଳ

କେନ୍ଦୁଝର: କେନ୍ଦୁଝର ସଦର ବ୍ଲକ୍‌ ନେଲୁଙ୍ଗ ପଞ୍ଚାୟତ ମଥୁରାମଣ୍ଡଳି ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ଗ୍ରାମାବସୀଙ୍କ ଅଭିଯୋଗ ଅନୁଯାୟୀ ବର୍ଷତମାମ ଏହି ଗ୍ରାମରେ ପାନୀୟଜଳ ସମସ୍ୟା ରହିଥାଏ। ଏହାର ସ୍ଥାୟୀ ସମାଧାନ ପାଇଁ ବାରମ୍ବାର ପ୍ରଶାସନ ନିକଟରେ ଅଭିଯୋଗ କରାଯାଇଥିଲେ ମଧ୍ୟ କିଛି ଫାଇଦା ମିଳୁ ନାହିଁ। ଏହି ଗ୍ରାମରେ ୧୬୦ଟି ପରିବାରର ୮ଶହ ଲୋକ ବାସ କରୁଛନ୍ତି। ପାନୀୟଜଳ ଯୋଗାଇବା ପାଇଁ ୩ଟି ନଳକୂପ ଅଛି। ହେଲେ ଏଥିରୁ ଠିକ୍‌ରେ ପାଣି ବାହାରୁ ନାହିଁ।

ଗ୍ରାମରେ ପାନୀୟଜଳ ସମସ୍ୟାର ସମାଧାନ ପାଇଁ ସୌରଶକ୍ତ ଚାଳିତ ପାନୀୟଜଳ ପ୍ରକଳ୍ପ ପ୍ରତିଷ୍ଠା କରାଯାଇଥିଲା। ଏହି ପ୍ରକଳ୍ପଟି ମାସେରୁ ଅଧିକ ସମୟ ହେଲା ଖରାପ ହୋଇପଡ଼ିଛି। ଲୋକେ ପାନୀୟଜଳ ପାଇଁ ହଇରାଣ ହରକତ ହେଉଛନ୍ତି। ଏହାର ମରାମତି ପାଇଁ ପଞ୍ଚାୟତ କାର୍ଯ୍ୟାଳୟରୁ ଆରମ୍ଭ କରି ବ୍ଲକ୍‌ ପର୍ଯ୍ୟନ୍ତ ଅଭିଯୋଗ କରିସାରିଲେଣି। କେହି ତାଙ୍କ କଥ ଶୁଣୁ ନାହାନ୍ତି। ପ୍ରକଳ୍ପକୁ ଶୀଘ୍ର ମରାମତି କରାନଗଲେ ଲୋକେ ପଞ୍ଚାୟତ କାର୍ଯ୍ୟାଳୟରେ ତାଲା ପକାଇ ଆନ୍ଦୋଳନ କରିବେ ବୋଲି ଗ୍ରାମର ଅଜୟ ମହାନ୍ତ, ପ୍ରଦୀପ ମହାନ୍ତ, ଦଶରଥ ନାଏକ, ହରିଶ୍ଚନ୍ଦ୍ର ନାଏକ, ଭଗବାନ ନାଏକ, ସଦାଶିବ ସିଂ, ରଞ୍ଜିତ ମୁଣ୍ଡା, ଅଭିମନ୍ୟୁ ମୁଣ୍ଡା, ଘନଶ୍ୟାମ ନାଏକ, ପୀତାମ୍ବର ମହାନ୍ତ, କିଶୋର ନାୟକ, କାର୍ତ୍ତିକା ନାଏକ ‌ଚେତାବନୀ ଦେଇଛନ୍ତି। ଏନେଇ ନେଲୁଙ୍ଗ ପଞ୍ଚାୟତର ପିଇଓ ଭାଗବତ ସାହୁଙ୍କୁ ପଚାରିବାରୁ, ଏହା ଆର୍‌ଡବ୍ଲୁଏସ୍‌ଏସ୍‌ର କାମ। ସେମାନେ ପ୍ରକଳ୍ପ ମରାମତି କରିବେ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର