ହରିଚନ୍ଦନପୁର: କେନ୍ଦୁଝର ଜିଲ୍ଲା ହରିଚନ୍ଦନପୁର ବ୍ଲକ୍‌ ବଡ଼ପଳାଶପାଳ ପଞ୍ଚାୟତ ଦୁର୍ଗମ କହ୍ନେଇଗୋଳା ଗ୍ରାମବାସୀ ଦୁଇବର୍ଷ ହେଲା ଅନ୍ଧାରରେ ଅଛନ୍ତି। ଅଚଳ ସୌର ପ୍ରକଳ୍ପକୁ ମରାମତି କରାଯାଉ ନଥିବାରୁ ଗ୍ରାମବାସୀ ହନ୍ତସନ୍ତ ହେଉଛନ୍ତି।

Advertisment

ରେବଣା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ରହିଛି କହ୍ନେଇଗୋଳା, ରାଣୀପଦା, ନୋଲ ଓ ବାଉଁରୁ ଗ୍ରାମ। ଏସବୁ ଗ୍ରାମରେ ଜୁଆଙ୍ଗ ଜନଜାତିର ଲୋକେ ବାସ କରୁଛନ୍ତି। ଦୀନଦୟାଲ ଉପାଧ୍ୟାୟ ଗ୍ରାମ୍ୟଜ୍ୟୋତି ଯୋଜନାରେ ଏସବୁ ଗ୍ରାମକୁ ବିଦ୍ୟୁତ୍‌କରଣ କରାଯାଇଛି। ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଗ୍ରାମଗୁଡ଼ିକ ଥିବାରୁ ବିଦ୍ୟୁତ ଖୁଣ୍ଟ ପକାଇ ତାର ଟାଣିବା ସମ୍ଭବ ହୋଇନଥିଲା। ୨୦୧୯ରେ ରାଣୀପଦା, ନୋଲ ଓ କହ୍ନେଇଗୋଳା ଗ୍ରାମରେ ‌‌ସୌରଶକ୍ତି ଚାଳିତ ପ୍ରକଳ୍ପ ନିର୍ମାଣ କରାଯାଇ ପ୍ରତି ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯାଇଥିଲା। ଆଦିତ୍ୟ ସୋଲାର ପ୍ରାଇଭେଟ  ଲିମିଟେଡ୍‌ ନାମକ ସଂସ୍ଥା ଏହି କାର୍ଯ୍ୟ କରିଥିଲା। କହ୍ନେଇଗୋଳା ଗ୍ରାମର ସୌର ପ୍ରକଳ୍ପରୁ ଗ୍ରାମର ଜୁଆଙ୍ଗସାହି, ଗୋପାଳସାହି, ବରପଦାସାହି ଓ ଉପରଡିହସାହିର ୧୨୫ଟି ଘରକୁ ବିଦ୍ୟୁତ୍‌ ସଂଯୋଗ ଦିଆଯିବା ସହ ଛକଗୁଡ଼ିକରେ ଷ୍ଟ୍ରିଟ୍‌ଲାଇଟ୍‌ ଲଗାଯାଇଥିଲା।

ଦୁଇବର୍ଷ ପରେ ସୌର ପ୍ରକଳ୍ପ ଅଚଳ ହୋଇଯିବାରୁ ଠିକାସଂସ୍ଥା ପକ୍ଷରୁ ମରାମତି କରାଯାଇଥିଲା। ମରାମତିର ଗୋଟିଏ ସପ୍ତାହ ପରେ ପୁଣି ପ୍ରକଳ୍ପ ଅଚଳ ହୋଇଗଲା। ସେବେଠାରୁ ଦୁଇବର୍ଷ ହେଲା ଗ୍ରାମବାସୀ ଅନ୍ଧାରରେ ଅଛନ୍ତି। କିରାସିନି ଲିଟର ୮୦ ଟଙ୍କା ହୋଇଥିବାରୁ ଦୁର୍ଗମ ଅଞ୍ଚଳର ଲୋକେ କିଣିବାପାଇଁ ସକ୍ଷମ ହେଉନାହାନ୍ତି। ଲୋକେ ନିଆଁଖୁଣ୍ଟା ଆଲୁଅରେ ରାତି କାଟୁଛନ୍ତି। ସନ୍ଧ୍ୟା ହେଲେ ଖାଇପିଇ ଶୋଇ ପଡ଼ୁଛନ୍ତି। ପ୍ରକଳ୍ପ ମରାମତି କରିବାକୁ ଠିକାସଂସ୍ଥାଙ୍କୁ ଜଣାଯାଇଥିଲା। ଠିକାସଂସ୍ଥା କର୍ତ୍ତୃପକ୍ଷ ଆଜିକାଲି କହି ଦିନ ଗଡ଼ାଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ବିଜୁଳି ନଥିବାରୁ ପିଲାଙ୍କ ପାଠପଢ଼ା ବାଧାପ୍ରାପ୍ତ ହେଉଥିବା ବେଳେ ଅନ୍ଧାରରେ ବନ୍ୟଜନ୍ତୁଙ୍କୁ ଭୟ ରହୁଛି। ତୁରନ୍ତ ସୌର ପ୍ରକଳ୍ପ ମରାମତି କରିବାକୁ ଗ୍ରାମର ମାର୍କଣ୍ଡ ଜୁଆଙ୍ଗ, ପୂର୍ଣ୍ଣଚନ୍ଦ୍ର ଜୁଆଙ୍ଗ,  ରାଜୁ ଜୁଆଙ୍ଗ, କାଳନ୍ଦୀ ଜୁଆଙ୍ଗ, ଦୁଃଶାସନ ଜୁଆଙ୍ଗ, ମାନସ ଆରୁକ, ହଳଧର ଜୁଆଙ୍ଗ, ଟଙ୍କ ଜୁଆଙ୍ଗ, ବିଜୁ ମହାକୁଡ଼ ପ୍ରମୁଖ ଦାବି କରିଛନ୍ତି।