କୋରାପୁଟ: ଆଗକୁ ଆସୁଛି ଗ୍ରୀଷ୍ମ ଋତୁ। ସେମିତି ବି ରେ କୋରାପୁଟ ପରି ପାହାଡିଆ ଜିଲ୍ଲାରେ ଜଳ କଷ୍ଟ ସବୁବଳେ ଲାଗି ରହେ। ପ୍ରତିବର୍ଷ ଜିଲ୍ଲାର ୧୪ଟି ବ୍ଲକର ଲକ୍ଷ ଲକ୍ଷ ଲୋକ ଜଳ କଷ୍ଟ ଭୋଗୁ ଥିବାବେଳେ ଚଳିତବର୍ଷ ମଧ୍ୟ ସମାନ ଦଶା ଭୋଗିବା ଆଶା କରାଯାଉଛି। କାହିଁକିନା ଜିଲ୍ଲାରେ ରହୁଥିବା ଲୋକଙ୍କ ପାଇଁ ପାନୀୟ ଜଳ କାର୍ଯ୍ୟ କରୁନାହିଁ। ଓରେଡା ପକ୍ଷରୁ ଜିଲ୍ଲାରେ କାର୍ଯ୍ୟ କରୁଥିବା ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ଫେଲ ମାରିଛି। ଆରମ୍ଭ ହେବାର ମାତ୍ର କେଇ ଦିନରେ ନଷ୍ଟ ହୋଇଯାଇଥିବାବେଳେ ସମସ୍ୟା ଯେଉଁ ତିମିରେକୁ ସେହି ତିମିରେ ପହଞ୍ଚିଛି। ମିଳିଥିବା ସୂଚନା ମୁତାବକ କୋରାପୁଟ ଜିଲ୍ଲା ବଡ କେରେଙ୍ଗା ପଞ୍ଚାୟତ ଅଧୀନରେ ୬ ବର୍ଷ ତଳେ ଆରମ୍ଭ ହୋଇଥିଲା ଚକ୍ରଲିଗୁଡା ସୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ। ଗାଁର ବଡି ମୁଦୁଲିଙ୍କ ୧୦ ସେଣ୍ଟ ଜାଗାକୁ ସରକାର ଗାଁର ପାନୀୟ ଜଳ ପାଇବେ ବୋଲି ଦାନ କରିଥିଲେ। ସରକାର ଜାଗା ସିନା ନେଇଗଲେ କିନ୍ତୁ ପାଣି ମୁନ୍ଦାଏ ମିଳିଲା ନାହିଁ। ୪ କୋଟି ଟଙ୍କା ବିନିମୟରେ ଏହିଠାରେ ପାନୀୟ ଜଳ ପ୍ରକଳ୍ପ ଆରମ୍ଭ ହୋଇଥିବାବେଳେ ତିନିଟି ସାହିରେ ରହୁଥିବା ୭୨ ଘରର ୩୫୦ ଲୋକ ଉପକୃତ ହୋଇଥାନ୍ତେ।

Advertisment

ଉପର ସାହି, ତଳ ସାହି ଓ ଢେପ ସାହିରେ ୪ଟି ଷ୍ଟାଣ୍ଡ ପଏଣ୍ଟ ଲାଗିଥିଲା। ହେଲେ ମାତ୍ର ସପ୍ତାହେ ପରେ ଏହା ଅକାମୀ ହୋଇଗଲା। ଅଭିଯୋଗ ଦେଇ ଦେଇ ଥକିବା ପରେ ଏବେ ଝରଣାପାଣି ଉପରେ ନିର୍ଭର କରୁଛନ୍ତି ୭୨ଟି ଆଦିବାସୀ, ହରିଜନ ଓ ଗରିବ ଶ୍ରେଣୀୟ ପରିବାର। ୧୦ ସେଣ୍ଟ ଜମି ଦେଇଥିବା ଗରିବ ବଡି ମୁଦୁଲି କାନ ମୁଣ୍ଡ ଆଉସି ହେଉଥିବାବେଳେ ସେଠାରେ କୌଣସି କାମ କରି ପାରୁନାହାଁନ୍ତି। ଉଚ୍ଚକ୍ଷମତା ସମ୍ପନ୍ନ ଯନ୍ତ୍ରପାତି ସବୁ ଚୋରି ହୋଇଯାଇ ଥିବାବେଳେ ପାଣିରେ ପଡିଛି ୪ କୋଟି ଟଙ୍କାର ଏହ ପ୍ରକଳ୍ପ। ଯେଉଁ ଲକ୍ଷ୍ୟ ନେଇ ୨୦୧୪ ଡିସେମ୍ବର ମାସ ୨୯ ତାରିଖରେ ଏହା ପ୍ରତିଷ୍ଠା ହୋଇଥିଲା ତାହା ଏବେ ସାତ ସପନ ପରି ମନେ ହେଉଛି।

publive-image Sambad

ତେବେ ଏହାକୁ ନିର୍ଭର କରି ଆରମ୍ଭ ହୋଇଥିବା ସ୍ବଚ୍ଛ ଭାରତ ମିଶନ ମଧ୍ୟ ବାଟ ହୁଡିଛି। ପ୍ରତି ଘରେ ଯଦିଓ ପାଇଖାନା ନିର୍ମାଣ ହୋଇଛି ପାଣି ନ ଥିବାରୁ ସବୁ ବାହାରକୁ ମଳତ୍ୟାଗ କରିବାକୁ ଯାଉଥିବା ଦେଖିବାକୁ ମିଳିଛି। ଖାଲି କୋରାପୁଟ ବ୍ଲକ ବଡ କେରେଙ୍ଗା ନୁହେଁ ଜିଲ୍ଲାର ବୈପାରିଗୁଡା, ଜୟପୁର, ବୋରିଗୁମ୍ମା, କୁନ୍ଦୁରା, ଲମତାପୁଟ, ନନ୍ଦପୁର, ପଟାଙ୍ଗୀ, କୋଟପାଡ, ନାରାୟଣପାଟଣା, ବନ୍ଧୁଗାଁ, ସେମିଳିଗୁଡା, ଦଶମନ୍ତପୁର ଓ ଲକ୍ଷ୍ମୀପୁର ପରି ବ୍ଲକରେ ସମାନ ଅବସ୍ଥା। ଓଡ଼ିଶା ଅକ୍ଷୟଶକ୍ତି ବିକାଶ ଏଜେନ୍ସୀ ବା ଓରେଡା ପକ୍ଷରୁ ଯେଉଁ ସବୁ ସ୍ଥାନରେ ଗତ ୬ ବର୍ଷ ମଧ୍ୟରେ ଏହି ସ‌ୋଲାର ଚାଳିତ ପାନୀୟ ଜଳ ପ୍ରକଳ୍ପ ତିଆରି ହୋଇଛି ସବୁ ଏବେ ମାଟିରେ ମିଶିଛି।

ଅଧାରୁ ଅଧିକ ପ୍ରକଳ୍ପ କାମ କରୁ ନ ଥିବାବେଳେ ଏକାଧିକ ପ୍ରକଳ୍ପରୁ ଯନ୍ତ୍ରାଶ ଚୋରି ହୋଇଯାଇଥିବା ଜଣାପଡିଛି। ଫଳରେ ଯେଉଁ ଲକ୍ଷ ନେଇ ଏହାକୁ ବ୍ୟବହାର କରାଯାଉଥିଲା ତାହା ଅସମ୍ଭବରେ ପରିଣତ ହୋଇଛି। ଗାଁର ବଡି ମୁଦୁଲି କହିଛନ୍ତି ଯେ ଗାଁକୁ ପାନୀୟ ଜଳ ମିଳିବ ବୋଲି ଜମି ଦେଲି। ନା ପାନୀୟ ଜଳ ମିଲିଲା ନା ଘର କରିପାରିଲି। ଏବେ ସର୍ବହରା ହୋଇ ଏହି ପ୍ରକଳ୍ପର କଡରେ ରହୁଥିବାବେଳେ ପ୍ରକଳ୍ପ ଯୋଗୁଁ ଜାଗା ମାଡି ବସୁଥିବାରୁ ଘର କରି ହେଉ ନ ଥିବା ସେ କହିଛନ୍ତି। ଏନେଇ ଗାଁର ଚନ୍ଦ୍ରମଣି ଜାନୀ କହିଛନ୍ତି ଯେ ସରକାର ସ୍ବଚ୍ଛ ଭାରତ ମିଶନରେ ପାଇଖାନା ସିନା ନିର୍ମାଣ କରିଛନ୍ତି ହେଲେ ପାଇଖାନା ଯିବାକୁ ପାଣି ନାହିଁ। ସୋଲାର ପକ୍ରଳ୍ପ ଅଚଳ ଓ ପରବର୍ତ୍ତୀ ସମୟରେ ଯନ୍ତ୍ରାଶ ଚୋରି ହେବାରୁ ଗାଁ କଡରେ ରହିଥିବା ନଦୀ ହିଁ ଭରଷା। ସକାଳୁ ସଞ୍ଜରେ ଗାଁ ଲୋକେ ସବୁ ନଦୀକୁ ନିତ୍ୟକର୍ମ ପାଇଁ ଯାଉଥିବା ସେ କହିଛନ୍ତି। ସରକାର ଏତେ ଟଙ୍କା ଖର୍ଚ୍ଚ କରି ଯେଉଁ ପ୍ରକଳ୍ପ ଆରମ୍ଭ କଲେ ତାହା କି ଆବଶ୍ୟକ ଥିଲା ବୋଲି ସେ ପ୍ରଶ୍ନ କରିଛନ୍ତି।