ଜିଲ୍ଲାର ପ୍ରଥମ ଶୁଖିଲା ବର୍ଯ୍ୟବସ୍ତୁ ପୃଥକୀକରଣ କେନ୍ଦ୍ର ଉଦଘାଟିତ

ଅଣୁ ଜୈବ ଖତ ବ୍ୟବହାରର ଶୁଭାରମ୍ଭ

ବାରିପଦା: ସ୍ୱଚ୍ଛଭାରତ ମିଶନ ଆନୁକୂଲ୍ୟରେ ବାରିପଦା ପୌରପାଳିକାର ୨୮ଟି ୱାର୍ଡ ପାଇଁ ୬ ଗୋଟି ଶୁଖିଲା ବର୍ଯ୍ୟବସ୍ତୁ ପୃଥକୀକରଣ କେନ୍ଦ୍ରର ସ୍ଥାପନ ପାଇଁ ପ୍ରସ୍ତାବ ରହିଛି। ସେଥିମଧ୍ୟରୁ ସର୍ବପ୍ରଥମେ ଶୁଖିଲା ବର୍ଯ୍ୟବସ୍ତୁ କେନ୍ଦ୍ର ସ୍ଥାନୀୟ ୨୨ ନମ୍ବର ୱାର୍ଡ ରଘୁନାଥପୁର ଠାରେ ସ୍ଥାପିତ ହୋଇଥିବା ସ୍ଥଳେ ଏହାର ପରିଚଳନା ପ୍ରକ୍ରିୟା କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲାପାଳ ତଥା ବାରିପଦା ପୌରପାଳିକାର ପ୍ରଶାସକ ବିନୀତ ଭରଦ୍ୱାଜ ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଜିଲ୍ଲା ଗ୍ରାମଉନ୍ନୟନ ତଥା-ସହର ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଭବେଶ କୁମାର ନାୟକ, ବାରିପଦା ଉପଜିଲ୍ଲାପାଳ ତଥା ପୌରପରିଷଦର କାର୍ଯ୍ୟନିବାହୀ ଅଧିକାରୀ ପି.ଅନ୍ୱେଷା ରେଡ୍ଡି ଯୋଗ ଦେଇଥିଲେ ।

ଶୁଖିଲା ବର୍ଯ୍ୟବସ୍ତୁ ପୃଥତ୍କକରଣ କେନ୍ଦ୍ର ପୌରାଂଚଳର ୫ଟି ୱାର୍ଡ ଯଥା ୧୫,୧୬,୧୯,୨୨,୨୩ ନମ୍ବର ୱାର୍ଡରୁ ପ୍ରତ୍ୟେକ ଘରୁ ଏବଂ ଦୋକାନ ବଜାରରୁ ବାହାରୁଥିବା ଶୁଖିଲା ଅଳିଆ ଆଦି ସଂଗ୍ରହ କରାଯାଇ ଏହି କେନ୍ଦ୍ର ଜରିଆରେ ଯଥା ପ୍ଲାଷ୍ଟିକ, କାଚ, ପଲିଥିନ, ଲୌହପଦାର୍ଥ, କାଗଜପେଟି, କପଡା ଇତ୍ୟାଦି ପୃଥିକୀକରଣ କରାଯିବାର ସମସ୍ତ ବ୍ୟବସ୍ଥା କରାଯାଇଅଛି ତତ୍ସହିତ ମହିଳାମାନଙ୍କ ସଶକ୍ତିକରଣ ପାଇଁ ଏହାର ପରିଚଳନା ଓ ରକ୍ଷଣାବେକ୍ଷଣ ଦାୟିତ୍ୱ ସ୍ଥାନୀୟ ଲକ୍ଷ୍ମୀନାରାୟଣ ଆଂଚଳିକ ମହାସଂଘ ମହିଳା ଗ୍ରୁପକୁ ନ୍ୟସ୍ତ କରାଯାଇଛି । ମୟୂରଭଞ୍ଜ ଜିଲ୍ଲାର ଏହା ପ୍ରଥମ ପୃଥିକୀକରଣ କେନ୍ଦ୍ର କାର୍ଯ୍ୟକ୍ଷମ ହୋଇଥିବାରୁ ଜିଲ୍ଲାପାଳ ସନ୍ତୋଷ ପ୍ରକାଶ କରିବା ସହିତ ଘରୁ ଏବଂ ବଜାରରୁ ବାହାରୁଥିବା ଶୁଖିଲା ବର୍ଯ୍ୟବସ୍ତୁ ଏଣେତେଣେ ନ ପକାଇ ସିଧାସଳଖ ଏହି କେନ୍ଦ୍ରକୁ ଆସିବା ଦ୍ୱାରା ସହରର ପରିଛନ୍ନତା ବଜାୟ ରହିବା ସହିତ ଭବିଷ୍ୟତରେ ଏକ ସ୍ୱସ୍ଥ ସହର ଗଢିବାର ସ୍ୱପ୍ନ ସକାର ହୋଇପାରିବ ବୋଲି ମତପ୍ରକାଶ କରିଥିଲେ ।

ସହରବାସୀଙ୍କୁ ଏହି କାର୍ଯ୍ୟକ୍ରମରେ ସହଯୋଗ କରିବା ପାଇଁ ପରାମର୍ଶ ଦିଆଯାଇଛି । ଅଣୁ ଜୈବ ପ୍ରସ୍ତୁତ ହୋଇଥିବା ମୋ ଖତ ବ୍ୟବହାର ପାଇଁ ଜିଲ୍ଲାପାଳ ଶୁଭାରମ୍ଭ କରିଥିଲେ । ଲକ୍ଷ୍ମୀନାରାୟଣ ଆଂଚଳିକ ମହାସଂଘ ର ସଭାପତି ତଥା ସଂପୃକ୍ତ ସଦସ୍ୟା ମାନଙ୍କ ସହିତ ପରିଚାଳନା ସଂପର୍କରେ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ପୌର ପରିଷଦର ସହକାରୀ ଯନ୍ତ୍ରୀ ମନମୋହନ ମହାପାତ୍ର, ପରିମଳ ନିରୀକ୍ଷକ ସନ୍ତୋଷ କୁମାର ମହାନ୍ତି, ପରିମଳ ବିଶେଷଜ୍ଞ ଗୌରୀ ଶଙ୍କର ନାୟକ, ସାର୍ଥକ ପ୍ରୟାସ, ଅମ୍ଲାନ ପଟ୍ଟନାୟକ, ପରିମଳ ସହାୟକ ଉଜ୍ଜଳ କୁମାର ବେହେରା ଏବଂ ଗୋଷ୍ଠୀ ସଙ୍ଗଠିକା ତାରାମଣୀ ମହାପାତ୍ର ପ୍ରମୁଖ ସହଯୋଗ କରିଥିଲେ ।

ସମ୍ବନ୍ଧିତ ଖବର