ତିନିରଥ ପାଇଁ ଖୋର୍ଦ୍ଧା-ଗୁରୁଜଙ୍ଗରୁ ଶ୍ରୀକ୍ଷେତ୍ର ଗଲା ସୋଲଫୁଲ

ଭାବବିନୋଦିଆ ଠାକୁରଙ୍କ ପାଇଁ ଏକ ନିଆରା ପରମ୍ପରା

ଖୋର୍ଦ୍ଧା: ଖୋର୍ଦ୍ଧା ସହ ପୁରୀ ଶ୍ରୀମନ୍ଦିରର ସମ୍ପର୍କ ଯେପରି ପୌରାଣିକ ସେପରି ଐତିହାସିକ। ଗଡ଼ଖୋର୍ଦ୍ଧାରେ ଶ୍ରୀଜଗନ୍ନାଥଙ୍କ ଗୁପ୍ତ ସେବାନୀତି, ଶ୍ରୀମନ୍ଦିରର ସୁରକ୍ଷା ପାଇଁ ପାଇକଙ୍କ ସଂଗ୍ରାମ ଓ ଖୋର୍ଦ୍ଧା ରାଜପରିବାରର ଶ୍ରୀମନ୍ଦିର ସେବାର ଉତ୍ତରାଧିକାର ବିରୋଧରେ କୋର୍ଟରେ ବିଜୟ ଯେଭଳି ଐତିହାସିକ, ଖୋର୍ଦ୍ଧା ସହରରୁ କାର୍ତ୍ତିକ ମାସରେ ଫୁଲ, ଖୋର୍ଦ୍ଧାର ବୋଲଗଡ଼ରୁ ଚତୁର୍ଦ୍ଧାମୂର୍ତ୍ତିଙ୍କ ପାଇଁ ବସ୍ତ୍ର, ଗୁରୁଜଙ୍ଗରୁ ରଥ ପାଇଁ ସୋଲଫୁଲ ପଠାଇବାର ପରମ୍ପରା ସେଭଳି ଭକ୍ତିଭାବମୟ। ଭକ୍ତ ଦାସିଆ ବାଉରିର ନଡ଼ିଆ ଭଳି ଗତ ଦୁଇ ଦଶନ୍ଧୀ ଧରି ଗୁରୁଜଙ୍ଗର ରାଜକିଶୋରଙ୍କ ପରିବାର ଚତୁର୍ଦ୍ଦାମୂର୍ତ୍ତିଙ୍କ ରଥ ସଜାଇବା ପାଇଁ ସୋଲଫୁଲ ପଠାଇବା ଏକ ନିଆରା ପରମ୍ପରା ସୃଷ୍ଟି କରିଛି।

ଗୁରୁଜଙ୍ଗ ଭୋଇ ସାହିର ସୁଦର୍ଶନ ନାୟକଙ୍କ ୫ ଭାଇ ବୀରକିଶୋର, ଧନେଶ୍ୱର, ଗଣେଶ ଓ ରାଜକିଶୋର ଏବଂ ତାଙ୍କ ପରିବାର ଗତ ୨୦ ବର୍ଷ ଧରି ରଥ ଯାତ୍ରା ସମୟରେ ତିନିରଥ ସଜାଇବା ପାଇଁ ସୋଲଫୁଲ ପ୍ରସ୍ତୁତ କରି ଦେଇଥାନ୍ତି। ଏହି ପ୍ରସ୍ତୁତ କରିବା ସମ୍ପୂର୍ଣ୍ଣ ଭାବେ ଭକ୍ତିମୂଳକ। ଏଥିପାଇଁ କୌଣସି ପ୍ରାଶାସନିକ ପ୍ରୋତ୍ସାହନ ନାହିଁ। କୌଣସି କୌଣସି ସମୟରେ ଭକ୍ତିଙ୍କ କିଛି କିଛି ସହାୟତା ମିଳିଯାଏ, କିନ୍ତୁ ପ୍ରଭୁଜଗନ୍ନାଥଙ୍କ ପ୍ରେମରେ ହିଁ ସେ ନିଜ ଖର୍ଚ୍ଚରେ ଏହି କାର୍ଯ୍ୟ କରିଆସୁଛନ୍ତି। ରାଜକିଶୋରଙ୍କ କହିବା କଥା ହେଲା, ୨୦୦୦ ମସିହାରେ ପ୍ରଥମେ ସେ ରଥରେ ସୋଲଫୁଲ ସଜାଇବା ପାଇଁ ପ୍ରଶାସନର ଅନୁମତି ଲୋଡ଼ିଥିଲେ। ଶ୍ରୀମନ୍ଦିର ପ୍ରଶାସନର ଅନୁମତି ମିଳିବା ପରଠାରୁ ପ୍ରତିବର୍ଷ ସେ ଓ ତାଙ୍କ ପରିବାର ନିରବଚ୍ଛିନ୍ନ ଭାବେ ଏହି କାମ କରିଆସୁଛନ୍ତି। ଗତ ଦୁଇବର୍ଷ କରୋନା ମହାମାରୀ କଟକଣା ଯୋଗୁଁ ସୋଲଫୁଲ ସମୟାନୁସାରେ ସଂଗ୍ରହ କରିବାରେ କିଛି ସମସ୍ୟା ସୃଷ୍ଟି ହୋଇଥିଲା।

Sambad

ଗତବର୍ଷ ରଥଯାତ୍ରା ବନ୍ଦ ହେବ ଓ ପ୍ରସ୍ତୁତ କରିଥିବା ସୋଲଫୁଲ ପଠାଇ ପାରିବେ ନାହିଁ ବୋଲି ଆଶଙ୍କା ତାଙ୍କୁ ଓ ତାଙ୍କ ପରିବାରଙ୍କୁ ଅନେକ କଷ୍ଟ ଦେଇଥିଲା। କିନ୍ତୁ ଶ୍ରୀଜଗନ୍ନାଥତ ଭାବର ଠାକୁର ବୋଧହୁଏ ତାଙ୍କ ଡାକ ଶୁଣିଥିଲେ, ରଥଯାତ୍ରାକୁ ସୁପ୍ରିମକୋର୍ଟଙ୍କ ଠାରୁ ଅନୁମତି ମିଳିଥିଲା। ଏହାଥିଲା ତାଙ୍କ ପାଇଁ ଜୀବନର ଏକ ବଡ଼ ଘଟଣା। ସୁଦର୍ଶନ ନାୟକ କହିଛନ୍ତି, ସାଧାରଣତଃ ଭାବେ ସୋଲ ପାଇଁ ବାଙ୍ଗୀ, କୋଣାର୍କ, ନିର୍ମାପଡ଼ା, କାକଟପୁର, ଗୋପ, କଣାସ ଆଦି ଆଦ୍ରଭୂମୀରେ ବଢ଼ୁଥିବା ଏକ ନିର୍ଦ୍ଦିଷ୍ଟ ପ୍ରଜାତିର ଗଛର କାଠକୁ ସଂଗ୍ରହ କରିବାକୁ ପଡ଼ିଥାଏ।

କାର୍ତ୍ତିକ ମାସରୁ ଏହାର ସଂଗ୍ରହ କାର୍ଯ୍ୟରେ ଲାଗିଥାନ୍ତି। ସେଗୁଡ଼ିକୁ ଶୁଖାଇ ସେଥିରୁ କଦମ୍ବ, ସେବତୀ ଭଳି କୃତ୍ରିମ ଫୁଲ ପ୍ରସ୍ତୁତ କରିଥାନ୍ତି। ଅକ୍ଷୟତୃତୀୟା ଠାରୁ ପରିବାରର ସଦସ୍ୟମାନେ ନିଜ ଦୈନନ୍ଦିନ ଜୀବିକା ସହ ସୋଲଫୁଲ ପ୍ରସ୍ତୁତ କାମରେ ଲାଗିଥାନ୍ତି। ପରିବାରର ସଦସ୍ୟମାନେ ନୂଆ ଲୁଗା ପିନ୍ଧି ପୂଜାର୍ଚ୍ଚନା କରିବା ପରେ ଏହି ଫୁଲ ପ୍ରସ୍ତୁତ କରିଥାନ୍ତି। ଏଥିରେ କୌଣସି ରାସାୟନିକ ରଙ୍ଗ ଦିଆଯାଏ ନାହିଁ। ଏହି କାର୍ଯ୍ୟ ପାଇଁ ସେମାନଙ୍କୁ କୌଣସି ଆର୍ଥିକ ଲାଭ ମିଳୁନାହିଁ, କିନ୍ତୁ ଜଗତରନାଥ ଜଗନ୍ନାଥଙ୍କ ପାଇଁ ଗୁଣ୍ଡୁଚି ଭଳି ଏହି ସେବାକାର୍ଯ୍ୟ କରୁଥିବାରୁ ସେମାନେ ନିଜକୁ ଧନ୍ୟମନେ କରନ୍ତି ଓ ଏହି କାର୍ଯ୍ୟ ହିଁ ସେମାନଙ୍କ ପାଇଁ ସବୁଠାରୁ ଅମୂଲ୍ୟ ଧନ ବୋଲି ମନେ କରନ୍ତି ବୋଲି ବୀରକିଶୋର କହନ୍ତି। ତେବେ ବର୍ତ୍ତମାନ ସେମାନଙ୍କ ବୟାସାଧିକ୍ୟ ଓ ଶାରୀରିକ ଅସୁସ୍ଥତା ସାଙ୍ଗକୁ ଆର୍ଥିକ ଅନଟନ ସୋଲଫୁଲ ପ୍ରସ୍ତୁତ କରିବାରେ ଅନେକ ସମସ୍ୟା ସୃଷ୍ଟି ହୋଇଛି। ଏନେଇ ସେ ଜିଲ୍ଲାପାଳଙ୍କୁ ଦେଖା କରି ତିରିଶି ହଜାର ଟଙ୍କା ସହାୟତା ପାଇଁ ନିବେଦନ କରିଥିଲେ। ପ୍ରଶାସନ ମଧ୍ୟ ବିଚାର କରିବାକୁ ପ୍ରତିଶ୍ରୁତି ଦେଇଛି। ଶ୍ରୀଜଗନ୍ନାଥଙ୍କୁ ସେମାନଙ୍କୁ କେବେ ନିରାଶ କରିନାହାନ୍ତି, ଏହି କାର୍ଯ୍ୟ ମଧ୍ୟ କୌଣସି ମତେ ଚାଲିବ ବୋଲି ସେ ବିଶ୍ୱାସ ରଖନ୍ତି।

ସମ୍ବନ୍ଧିତ ଖବର